ଭୁବନେଶ୍ୱର: ନୀତି ଆୟୋଗର ଶାସନ ପରିଷଦ ବୈଠକରେ ଓଡ଼ିଶାର ଅର୍ଥନୈତିକ ସଫଳତା ଓ ଭବିଷ୍ୟତ ବିକାଶ ରୂପରେଖ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟକୁ “ବିକଶିତ ଭାରତ ୨୦୪୭”ର ଏକ ପ୍ରମୁଖ ଅଭିବୃଦ୍ଧି ଭାବେ ଗଢ଼ି ତୋଳିବା ପାଇଁ ଦୃଢ଼ ସଂକଳ୍ପ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ୨୦୨୫-୨୬ ଆର୍ଥିକ ବର୍ଷରେ ୭.୯ ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ସହ ଆର୍ଥିକ ଶୃଙ୍ଖଳା ବଜାୟ ରଖିଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୀତି ଆୟୋଗର Fiscal Health Index 2026ରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ସ୍ଥାନ ଅଧିକାର କରିଛି । ଏହା ରାଜ୍ୟର ଦାୟିତ୍ୱଶୀଳ ଆର୍ଥନୈତିକ ପରିଚାଳନା, ରାଜସ୍ୱ ସଂଗ୍ରହ ଓ ଋଣ ପରିଚାଳନା କ୍ଷେତ୍ରରେ ସଫଳତାର ପ୍ରତିଫଳନ ବୋଲି ସେ କହିଛନ୍ତି ।
ନୀତି ଆୟୋଗ ବୈଠକରେ ମୋହନ ମାଝୀ କହିଥିଲେ ଯେ ଡବଲ୍ ଇଞ୍ଜିନ୍ ସରକାରର ସହଯୋଗରେ ରାଜ୍ୟରେ ଭିତ୍ତିଭୂମି ବିକାଶ, ଶିଳ୍ପାୟନ ଏବଂ ମାନବ ସମ୍ବଳ ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି । ରେଳ, ସଡ଼କ, ବନ୍ଦର ଓ ଜଳପଥ କ୍ଷେତ୍ରରେ ବ୍ୟାପକ ନିବେଶ ଓଡ଼ିଶାର ଅର୍ଥନୀତିକୁ ନୂଆ ଗତିପଥ ପ୍ରଦାନ କରୁଛି । କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ ୧୦,୯୨୮ କୋଟି ଟଙ୍କାର ରେଳ ବଜେଟ୍ ବ୍ୟବସ୍ଥା କରାଯାଇଥିବା ବେଳେ ୯୦ ହଜାର କୋଟି ଟଙ୍କାରୁ ଅଧିକ ରେଳ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ହେଉଛି ।

ସେ ଆହୁରି କହିଛନ୍ତି ଯେ ଗଭୀର ସମୁଦ୍ର ବନ୍ଦର, ଜାତୀୟ ଜଳପଥ-୫ ଓ ସେମିକଣ୍ଡକ୍ଟର ପ୍ରକଳ୍ପ ଭଳି ମେଗା ପ୍ରକଳ୍ପଗୁଡ଼ିକ ଓଡ଼ିଶାକୁ ପୂର୍ବ ଭାରତର ଏକ ପ୍ରମୁଖ ଲଜିଷ୍ଟିକ୍ସ ଏବଂ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବ । ଏହା ଦ୍ଵାରା ରାଜ୍ୟରେ ଅଧିକ ନିବେଶ ଓ ରୋଜଗାର ସୃଷ୍ଟିରେ ସହାୟକ ହେବ।
ମାନବଶକ୍ତି ବିକାଶ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି । ଦକ୍ଷତା ବିକାଶ, ଶିକ୍ଷା, କ୍ରୀଡ଼ା ଭିତ୍ତିଭୂମି, ଶିଶୁ ଯତ୍ନ ଏବଂ ଜ୍ଞାନଭିତ୍ତିକ ଅର୍ଥନୀତି ଗଠନ ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ଯୁବକ ଓ ମହିଳାମାନଙ୍କୁ ଦକ୍ଷ କରି ନୂତନ ଚାକିରି ସୁଯୋଗ ସୃଷ୍ଟି କରାଯାଉଛି ।
ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା (AI)କୁ ଶାସନ ବ୍ୟବସ୍ଥାର କେନ୍ଦ୍ରରେ ରଖିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ‘ଆମ ସାଥୀ’ ଭଳି ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖକୁ ସହଜରେ ପହଞ୍ଚାଯାଉଛି । କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ AI ବ୍ୟବହାରକୁ ବିସ୍ତାର କରାଯାଉଛି ।
ମୁଖ୍ୟମନ୍ତ୍ରୀଙ୍କ ମତରେ, ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି, ସାମାଜିକ ବିକାଶ ଏବଂ ପ୍ରଯୁକ୍ତିଗତ ନବୀକରଣର ସମନ୍ୱୟ ରାଜ୍ୟକୁ “ବିକଶିତ ଓଡ଼ିଶା ୨୦୩୬” ଓ “ବିକଶିତ ଭାରତ ୨୦୪୭” ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ।