ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସିଙ୍ଗାପୁର ହାଇକମିଶନର ସାଇମନ ୱଙ୍ଗଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଗ୍ରୀନ ଏନର୍ଜି, ନଗର ବିକାଶ, ବନ୍ଦର, ପ୍ରଯୁକ୍ତି ଓ କୌଶଳ ବିକାଶ ଉପରେ ଆଲୋଚନା। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସ୍ୱାକ୍ଷରିତ ୮ଟି MoUର ଶୀଘ୍ର କାର୍ଯ୍ୟକାରିତାକୁ ଗୁରୁତ୍ୱ। ନିବେଶ ବୃଦ୍ଧି ପାଇଁ Structured Engagement Mechanism ଗଠନ ନିଷ୍ପତ୍ତି। ‘ସମୃଦ୍ଧ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟରେ ସିଙ୍ଗାପୁର ହେବ ପ୍ରମୁଖ ସହଭାଗୀ। 

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଭାରତରେ ସିଙ୍ଗାପୁରର ହାଇକମିଶନର ସାଇମନ ୱଙ୍ଗଙ୍କ ସହ ଲୋକସେବା ଭବନରେ ଏକ ଫଳପ୍ରଦ ବୈଠକ କରିଥିଲେ । ଏହି ବୈଠକରେ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ଆର୍ଥିକ, ପ୍ରଯୁକ୍ତିଗତ ଓ ପ୍ରତିଷ୍ଠାନଗତ ସହଯୋଗକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ବୈଠକ ସମୟରେ ଉଭୟ ପକ୍ଷ ସହର ବିକାଶ, ଗ୍ରୀନ ଏନର୍ଜି, ବନ୍ଦର ଭିତ୍ତିଭୂମି, ପ୍ରଯୁକ୍ତି, ନବୋନ୍ମେଷ ଏବଂ କୌଶଳ ବିକାଶ ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ବିସ୍ତୃତ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ‘ସମୃଦ୍ଧ ଓଡ଼ିଶା-୨୦୩୬’ ଓ ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ପୂରଣ ଦିଗରେ ଆଗେଇ ଯାଉଥିବା ବେଳେ ସିଙ୍ଗାପୁର ଏକ ସ୍ୱାଭାବିକ ଏବଂ ବିଶ୍ୱସନୀୟ ବିକାଶ ସହଭାଗୀ ଭାବେ ଉଭା ହୋଇଛି ।

ମୁଖ୍ୟମନ୍ତ୍ରୀ ବିଶେଷ ଭାବରେ ସିଙ୍ଗାପୁର ରାଷ୍ଟ୍ରପତି Tharman Shanmugaratnamଙ୍କ ଓଡ଼ିଶା ଗସ୍ତ ସମୟରେ ସ୍ୱାକ୍ଷରିତ ଆଠଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ଚୁକ୍ତି (MoU)ର ଶୀଘ୍ର କାର୍ଯ୍ୟକାରିତା ଉପରେ ଜୋର ଦେଇଥିଲେ । ଏହି ଚୁକ୍ତିଗୁଡ଼ିକର ସଫଳ ରୂପାୟନ ଏବଂ ସିଙ୍ଗାପୁରୀ ନିବେଶକଙ୍କ ପ୍ରସ୍ତାବକୁ ତ୍ୱରିତ ଅଗ୍ରଗତି ଦେବା ପାଇଁ ଏକ “Structured Engagement Mechanism” ଗଠନ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା ।

ମୋହନ ମାଝୀ କହିଥିଲେ ଯେ, ସିଙ୍ଗାପୁରର ସହର ଯୋଜନା, ସ୍ୱଚ୍ଛ ଶକ୍ତି, ବନ୍ଦର ପରିଚାଳନା ଓ ପ୍ରଯୁକ୍ତି କ୍ଷେତ୍ରର ଅନୁଭବ ଓଡ଼ିଶାର ଭବିଷ୍ୟତ ବିକାଶ ପାଇଁ ବହୁତ ଉପକାରୀ ହେବ । ରାଜ୍ୟ ସରକାର ନିବେଶକମାନଙ୍କୁ ସିଙ୍ଗଲ୍ ୱିଣ୍ଡୋ ସୁବିଧା ଓ ତ୍ୱରିତ ଅନୁମୋଦନ ପ୍ରଦାନ କରିବାକୁ ପ୍ରତିବଦ୍ଧ ବୋଲି ସେ ଆଶ୍ୱାସନା ଦେଇଥିଲେ । 

ଏହା ସହିତ ସିଙ୍ଗାପୁରର ବ୍ୟବସାୟିକ ପ୍ରତିନିଧି ଦଳକୁ ଓଡ଼ିଶା ଗସ୍ତ ପାଇଁ ଆମନ୍ତ୍ରଣ କରାଯାଇଥିଲା, ଯାହା ମାଧ୍ୟମରେ ଗ୍ରୀନ ଏନର୍ଜି, ନଗର ଉନ୍ନୟନ, ଫିନଟେକ୍, ଇନସୁରଟେକ୍ ଏବଂ କୌଶଳ ବିକାଶ କ୍ଷେତ୍ରରେ ନୂତନ ନିବେଶ ସୁଯୋଗ ସୃଷ୍ଟି ହେବ । ଅନ୍ୟପକ୍ଷରେ ସାଇମନ ୱଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର ବିକାଶ ଯାତ୍ରାରେ ସିଙ୍ଗାପୁରର ପୂର୍ଣ୍ଣ ସହଯୋଗ ଜାରି ରହିବ ବୋଲି କହିଥିଲେ । 

ଭାରତ ଓ ସିଙ୍ଗାପୁର ମଧ୍ୟରେ ବର୍ତ୍ତମାନ ବ୍ୟାପକ କୌଶଳଗତ ସହଭାଗିତା ରହିଛି ଏବଂ ଓଡ଼ିଶା-ସିଙ୍ଗାପୁର ସହଯୋଗ ଆଗାମୀ ଦିନରେ ରାଜ୍ୟର ଶିଳ୍ପ, ପ୍ରଯୁକ୍ତି ଓ ନିବେଶ କ୍ଷେତ୍ରରେ ନୂଆ ଅଧ୍ୟାୟ ରଚନା କରିବ ବୋଲି ଆଶା କରାଯାଉଛି ।

Share This Article 0 shares

Continue Reading

View All ଓଡ଼ିଶା →