‘ସ୍ପାଇଡର-ମ୍ୟାନ: ବ୍ରାଣ୍ଡ ନ୍ୟୁ ଡେ’ର ନୂଆ ଟ୍ରେଲରରେ ଟମ୍ ହଲାଣ୍ଡଙ୍କ ପିଟର ପାର୍କର ଏକ ମନ-ନିୟନ୍ତ୍ରଣକାରୀ ଖଲନାୟକଙ୍କ ସହ ଲଢ଼ୁଥିବା ବେଳେ ହଲ୍କ ଓ ପନିଶରଙ୍କ ସହ ଟିମ୍ ଅପ୍ କରୁଥିବା ଦେଖାଯାଇଛି। ଡିଏନଏ ମ୍ୟୁଟେସନ, ନୂଆ ଶକ୍ତି ଏବଂ ଭୟଙ୍କର ଶତ୍ରୁଙ୍କ ସହ ଏହି ଫିଲ୍ମ ମାର୍ଭେଲ ଭକ୍ତଙ୍କ ପାଇଁ ଏକ ବଡ଼ ସିନେମାଟିକ ଅନୁଭୂତି ହେବାକୁ ଯାଉଛି।

ମାର୍ଭେଲ ଏବଂ ସୋନି ପିକ୍ଚର୍ସର ବହୁ ପ୍ରତୀକ୍ଷିତ ଫିଲ୍ମ Spider-Man: Brand New Day ର ନୂଆ ଟ୍ରେଲର ମୁକ୍ତି ପାଇଛି। ଟ୍ରେଲର ମୁକ୍ତି ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଟ୍ରେଲରରେ Tom Holland ଙ୍କ ପିଟର ପାର୍କର ପୂର୍ବପେକ୍ଷା ଅଧିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ‘No Way Home’ ଘଟଣା ପରେ ସମସ୍ତେ ପିଟର ପାର୍କରଙ୍କ ପରିଚୟ ଭୁଲିଯାଇଥିବାରୁ ସେ ଏକାକୀ ଜୀବନ ବିତାଉଛନ୍ତି ଏବଂ ପୂର୍ଣ୍ଣ ସମୟର ସ୍ପାଇଡର-ମ୍ୟାନ ଭାବେ ଅପରାଧ ବିରୋଧରେ ଲଢ଼ୁଛନ୍ତି। 

ନୂଆ ଟ୍ରେଲରର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏକ ରହସ୍ୟମୟ ଖଳନାୟକ, ଯିଏ ଅନ୍ୟମାନଙ୍କ ମନ ଓ ଶରୀରକୁ ନିୟନ୍ତ୍ରଣ କରିପାରେ। ଏହି ମାଇଣ୍ଡ-କଣ୍ଟ୍ରୋଲ୍ ଶକ୍ତି ଫଳରେ ବ୍ରୁସ ବ୍ୟାନର ହଲ୍କର ଭୟଙ୍କର ରୂପ ଧାରଣ କରି ସ୍ପାଇଡର-ମ୍ୟାନଙ୍କ ବିରୋଧରେ ଯୁଦ୍ଧ କରୁଥିବା ଦୃଶ୍ୟ ଟ୍ରେଲରରେ ରହିଛି। ପରେ ପିଟର ଓ ବ୍ରୁସ ବ୍ୟାନର ମିଶି ଏହି ନୂଆ ବିପଦକୁ ମୁକାବିଲା କରିବାର ସଙ୍କେତ ମଧ୍ୟ ମିଳିଛି।

ଟ୍ରେଲରରେ Mark Ruffalo ଙ୍କ ହଲ୍କ ଓ Punisher ଭାବେ Jon Bernthal ଙ୍କ ଫେରିବା ଦର୍ଶକଙ୍କ ଉତ୍ସାହକୁ ଦୁଇଗୁଣ କରିଛି। ପନିଶର ଏବଂ ସ୍ପାଇଡର-ମ୍ୟାନଙ୍କ ମଧ୍ୟରେ ପ୍ରଥମେ ମତଭେଦ ଦେଖାଯାଉଥିଲେ ମଧ୍ୟ ପରେ ସେମାନେ ଏକ ସାଧାରଣ ଶତ୍ରୁ ବିରୋଧରେ ଏକାଠି ହୋଇ ଲଢ଼ୁଥିବା ଦେଖାଯାଇଛି। 

ଏହା ସହିତ ପିଟର ପାର୍କରଙ୍କ ଶରୀରରେ ଅସାମାନ୍ୟ ପରିବର୍ତ୍ତନ ହେଉଥିବାର ସଙ୍କେତ ମଧ୍ୟ ଟ୍ରେଲରରେ ମିଳିଛି। ତାଙ୍କ ଡିଏନଏ ମ୍ୟୁଟେସନ ହେଉଥିବାରୁ ତାଙ୍କର ଶକ୍ତି ନିୟନ୍ତ୍ରଣ ବାହାରକୁ ଯାଉଛି। ଏହି ପରିବର୍ତ୍ତନ ଭବିଷ୍ୟତରେ ମାର୍ଭେଲ ସିନେମାଟିକ ୟୁନିଭର୍ସରେ ନୂଆ କାହାଣୀର ଦ୍ୱାର ଖୋଲିପାରେ ବୋଲି ଅନେକ ପ୍ରଶଂସକ ମନେ କରୁଛନ୍ତି। 

ଫିଲ୍ମଟିରେ Zendaya, Sadie Sink ଏବଂ ଅନ୍ୟାନ୍ୟ ମାର୍ଭେଲ ଚରିତ୍ର ମଧ୍ୟ ନଜର ଆସିବେ। ନିର୍ଦ୍ଦେଶକDestin Daniel Cretton ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ 31 ଜୁଲାଇ 2026ରେ ବିଶ୍ୱବ୍ୟାପୀ ମୁକ୍ତି ପାଇବ। ଟ୍ରେଲରକୁ ଦେଖି ଲାଗୁଛି ଯେ ଏହା ଟମ୍ ହଲାଣ୍ଡଙ୍କ ସ୍ପାଇଡର-ମ୍ୟାନ ଶୃଙ୍ଖଳାର ସବୁଠାରୁ ବଡ଼ ଏବଂ ଆକ୍ସନରେ ଭରପୂର ଫିଲ୍ମ ହେବ।

 

 

 

Share This Article 0 shares

Continue Reading

View All କ୍ରୀଡା ଓ ମନୋରଂଜନ →