ଆମେରିକା ଓ ଇରାନ ମଧ୍ୟରେ ଗତ କିଛି ଦିନ ଧରି ଚାଲିଥିବା ପ୍ରତିଆକ୍ରମଣ ପରେ ଉଭୟ ଦେଶ ଅସ୍ଥାୟୀ ଭାବେ ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ସମ୍ମତ ହୋଇଥିବା ସୂଚନା ମିଳିଛି । ଆମେରିକୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୩୦ ଜୁନ୍ରେ କତାରର ରାଜଧାନୀ ଦୋହାରେ ଉଭୟ ପକ୍ଷର ପ୍ରତିନିଧିମାନେ ବୈଠକ କରିବେ । ଏହି ଆଲୋଚନାର ପ୍ରମୁଖ ବିଷୟ ରହିବ ବିଶ୍ୱ ତୈଳ ବାଣିଜ୍ୟର ଜୀବନରେଖା ଭାବେ ପରିଚିତ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ଓ ସୁରକ୍ଷା ବ୍ୟବସ୍ଥା ।
ଗତ କିଛି ଦିନ ଧରି ହର୍ମୁଜ୍ ପ୍ରଣାଳୀରେ ଆକ୍ରମଣ, ତୈଳବାହୀ ଜାହାଜକୁ ନେଇ ବିବାଦ ଏବଂ ପରସ୍ପର କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ଅଞ୍ଚଳରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା । ଏହାର ପ୍ରଭାବ ବିଶ୍ୱ ତୈଳ ବଜାର ଓ ସମୁଦ୍ର ବାଣିଜ୍ୟ ଉପରେ ମଧ୍ୟ ପଡ଼ିଥିଲା । ଦୋହା ଆଲୋଚନା ମାଧ୍ୟମରେ ଏହି ସଙ୍କଟର କୂଟନୈତିକ ସମାଧାନ ଖୋଜିବାକୁ ଉଭୟ ଦେଶ ଉଦ୍ୟମ କରୁଛନ୍ତି ।
ଉପଲବ୍ଧ ସୂଚନା ଅନୁସାରେ, ଏକ ପ୍ରାଥମିକ ବୁଝାମଣା ଅନୁଯାୟୀ ଇରାନ ବାଣିଜ୍ୟିକ ଜାହାଜର ନିରାପଦ ଚଳାଚଳକୁ ସହଯୋଗ କରିବା ଉପରେ ଆଲୋଚନାକୁ ପ୍ରସ୍ତୁତ ଥିବାବେଳେ ଆମେରିକା ମଧ୍ୟ ଉତ୍ତେଜନା କମାଇବା ପାଇଁ କିଛି ପଦକ୍ଷେପ ବିଚାର କରୁଛି । ତେବେ ଚୂଡ଼ାନ୍ତ ସହମତି ଦୋହା ବୈଠକ ପରେ ସ୍ପଷ୍ଟ ହେବ ।
ଅନ୍ୟପଟେ ଲେବାନନରେ ପରିସ୍ଥିତି ଏପର୍ଯ୍ୟନ୍ତ ଅଶାନ୍ତ ରହିଛି। ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ ହିଜବୁଲ୍ଲାର ଭୂତଳ ସୁଡ଼ଙ୍ଗ, ଅସ୍ତ୍ରଭଣ୍ଡାର ଓ ରକେଟ୍ ଲଞ୍ଚର ଧ୍ୱଂସ କରିଥିବା ଦାବି କରିଛି । ଏହା ପରେ ହିଜବୁଲ୍ଲା ଏହାକୁ ଯୁଦ୍ଧବିରତିର ଉଲ୍ଲଂଘନ ବୋଲି କହିବା ସହ ନିଜ ଭୂମିକୁ ସୁରକ୍ଷା ଦେବାର ଅଧିକାର ସଂରକ୍ଷିତ ରଖିଥିବା ସ୍ପଷ୍ଟ କରିଛି ।
ବିଶ୍ଳେଷକମାନଙ୍କ ମତରେ, ଆମେରିକା-ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବା ସକାରାତ୍ମକ ସଙ୍କେତ ହେଲେ ମଧ୍ୟ ଲେବାନନରେ ଚାଲିଥିବା ସଂଘର୍ଷ ଏବଂ ହିଜବୁଲ୍ଲା-ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ତିକ୍ତତା ସମଗ୍ର ପଶ୍ଚିମ ଏସିଆର ଶାନ୍ତି ପ୍ରକ୍ରିୟାକୁ ପୁଣି ଥରେ ବିପଦରେ ପକାଇପାରେ । ଦୋହା ବୈଠକର ଫଳାଫଳ ଉପରେ ଏବେ ସମଗ୍ର ବିଶ୍ୱର ନଜର ରହିଛି ।