ଓଡ଼ିଶା କ୍ୟାବିନେଟ ଜୟଦେବ ବିହାରରୁ ନନ୍ଦନକାନନ ନିକଟ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ ୯.୫ କିଲୋମିଟର ରାସ୍ତାର ଉନ୍ନତୀକରଣ ପାଇଁ ₹୫୭୯ କୋଟି (ଜିଏସଟି ବ୍ୟତୀତ) ଟର୍ନକି ଚୁକ୍ତିକୁ ମଞ୍ଜୁରି ଦେଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଭୁବନେଶ୍ୱର-କଟକ ସଂଯୋଗ ଅଧିକ ସୁଗମ ହେବ ଏବଂ ଟ୍ରାଫିକ ଜାମ୍‌ରେ ଉଲ୍ଲେଖନୀୟ ହ୍ରାସ ଆସିବ।

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଦ୍ରୁତ ବର୍ଦ୍ଧିତ ଟ୍ରାଫିକ ସମସ୍ୟାର ସମାଧାନ ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟ କ୍ୟାବିନେଟ ଜୟଦେବ ବିହାରର କଳିଙ୍ଗ ଷ୍ଟାଡିୟମ ଗେଟ୍ ନଂ–୪ ଠାରୁ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ ୯.୫ କିଲୋମିଟର ରାସ୍ତାର ଉନ୍ନତୀକରଣ ପାଇଁ ₹୫୭୯ କୋଟି (ଜିଏସଟି ବ୍ୟତୀତ)ର ସର୍ବନିମ୍ନ ଟର୍ନକି ଟେଣ୍ଡରକୁ ଅନୁମୋଦନ କରିଛି । ଏହି କାର୍ଯ୍ୟ ଏମ୍/ଏସ୍ ଦିନେଶଚନ୍ଦ୍ର ଆର୍. ଅଗ୍ରୱାଲ ଇନ୍‌ଫ୍ରାକନ୍ ପ୍ରାଇଭେଟ୍ ଲିମିଟେଡ୍କୁ ପ୍ରଦାନ କରାଯାଇଛି ।
ଏହି ପ୍ରକଳ୍ପ ପାଇଁ ପୂର୍ବରୁ ରାଜ୍ୟ କାର୍ଯ୍ୟ ବିଭାଗ ପକ୍ଷରୁ ₹୯୪୯.୩୫ କୋଟିର ପ୍ରଶାସନିକ ଅନୁମୋଦନ ମିଳିଥିଲା । ବର୍ତ୍ତମାନ କ୍ୟାବିନେଟ କେବଳ ନିର୍ମାଣ କାର୍ଯ୍ୟର ଚୁକ୍ତିକୁ ମଞ୍ଜୁରି ଦେଇଛି ।
ଏହି ମେଗା ପ୍ରକଳ୍ପରେ ବର୍ତ୍ତମାନର ୬-ଲେନ୍ ରାସ୍ତାକୁ ୮-ଲେନ୍ ଆଧୁନିକ ଆର୍ଟେରିଆଲ କରିଡରରେ ପରିଣତ କରାଯିବ । ଜୟଦେବ ବିହାରରେ କେବଲ୍-ଷ୍ଟେଡ୍ ବ୍ରିଜ୍ ସହ କଳିଙ୍ଗ ହସ୍ପିଟାଲ ଛକ, ଦମଣା ଛକ ଓ କିଟ୍ ଛକରେ ଫ୍ଲାଏଓଭର ନିର୍ମାଣ କରାଯିବ । ଏହା ସହ କଳାରାହାଙ୍ଗ ଜଙ୍କସନର ଉନ୍ନତୀକରଣ, ସର୍ଭିସ ରୋଡ୍, ସ୍ଲିପ୍ ରୋଡ୍, ରାଉଣ୍ଡଅବାଉଟ୍, ଡ୍ରେନେଜ୍ ବ୍ୟବସ୍ଥା, ପଦଯାତ୍ରୀ ସବୱେ, ଭୂତଳ ପାର୍କିଂ, ଆଧୁନିକ ଆଲୋକ ବ୍ୟବସ୍ଥା ଓ ସଡ଼କ ସୌନ୍ଦର୍ଯ୍ୟକରଣ କାମ ମଧ୍ୟ କରାଯିବ । 
ମୁଖ୍ୟ ସଚିବ ଅନୁ ଗର୍ଗଙ୍କ କହିବା ଅନୁଯାୟୀ, ଏହି କରିଡରର ମୂଳ ଲକ୍ଷ୍ୟ ହେଉଛି ଟ୍ରାଫିକ ସଂଘର୍ଷ ବିନ୍ଦୁକୁ କମାଇବା, ସଡ଼କ ସୁରକ୍ଷା ବଢ଼ାଇବା, ପଦଯାତ୍ରୀଙ୍କ ପାଇଁ ସୁରକ୍ଷିତ ବ୍ୟବସ୍ଥା କରିବା ଏବଂ ଭୁବନେଶ୍ୱର-ବାରଙ୍ଗ-କଟକ ସଂଯୋଗକୁ ଅଧିକ ସୁଗମ କରିବା । ଏହା ସହରର ଦୀର୍ଘମିଆଦି ସହରାଞ୍ଚଳ ଗତିଶୀଳତା (Urban Mobility) ଯୋଜନାକୁ ମଧ୍ୟ ସୁଦୃଢ଼ କରିବ ।
ଏହି ପ୍ରକଳ୍ପର ଆଉ ଏକ ବିଶେଷତ୍ୱ ହେଉଛି ୧୦ ବର୍ଷର ଡିଫେକ୍ଟ ଲାୟାବିଲିଟି ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା। ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ ଓ ତାହାର ରକ୍ଷଣାବେକ୍ଷଣ ମଧ୍ୟ ସେହି ସମୟ ପର୍ଯ୍ୟନ୍ତ କରାଯିବ । ନିର୍ମାଣ କାମ ୨୪ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Share This Article 1 shares

Continue Reading

View All ଓଡ଼ିଶା →