.ଶ୍ରୀନଗର, ୦୪ ସେପ୍ଟେମ୍ବର; ଜମ୍ମୁ-କାଶ୍ମୀରର ବଡଗାମ ଜିଲ୍ଲାର ୟୁସମର୍ଗ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାବଳର ଅପରେସନ୍ରେ ଜଣେ ଆତଙ୍କୀ ନିହତ ହୋଇଛି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି ଅପରେସନ୍ରେ ଭାରତୀୟ ସେନା, ଜମ୍ମୁ-କାଶ୍ମୀର ପୁଲିସ ଓ CRPFର ଯବାନ ସାମିଲ ହୋଇଥିବା ରିପୋର୍ଟ ମିଳିଛି।
ଉପଲବ୍ଧ ସୂଚନା ଅନୁସାରେ, ବଡଗାମର ଉଚ୍ଚ ୟୁସମର୍ଗ ଅଞ୍ଚଳରେ କିଛି ଆତଙ୍କୀ ଲୁଚିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାବଳ କର୍ଡନ୍ ଆଣ୍ଡ ସର୍ଚ୍ଚ ଅପରେସନ୍ (CASO) ଆରମ୍ଭ କରିଥିଲେ। ତଲାସୀ ସମୟରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।
ରାତିରେ ଅନ୍ଧାରର ସୁଯୋଗ ନେଇ ଆତଙ୍କୀମାନେ ଖସିଯିବାକୁ ନ ପାରନ୍ତୁ, ସେଥିପାଇଁ ଅଞ୍ଚଳରେ ସୁରକ୍ଷାବଳ ଘେରାଉକୁ ଆହୁରି କଡ଼ା କରିଥିଲେ। ୫୩ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ମଧ୍ୟ ଅପରେସନ୍କୁ ମଜବୁତ କରିଥିବା ରିପୋର୍ଟରେ କୁହାଯାଇଛି। ୟୁସମର୍ଗର ଭୌଗୋଳିକ ପରିସ୍ଥିତି ଏବଂ ଘନ ଜଙ୍ଗଲ ଯୋଗୁଁ ଅପରେସନ୍ ସୁରକ୍ଷାବଳ ପାଇଁ ଚ୍ୟାଲେଞ୍ଜିଂ ରହିଥିଲା।
ଶୁକ୍ରବାର ମିଳିଥିବା ତାଜା ସୂଚନା ଅନୁସାରେ, ମିଳିତ ଅପରେସନ୍ରେ ଜଣେ ଆତଙ୍କୀ ନିହତ ହୋଇଛି। ତେବେ ଆଉ ଜଣେ ଆତଙ୍କୀ ଅଞ୍ଚଳରେ ଥାଇପାରନ୍ତି ବୋଲି ସନ୍ଦେହ କରି ସୁରକ୍ଷାବଳ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି।