ତାମିଲନାଡୁ: ତିରୁଭାଲ୍ଲୁର ଜିଲ୍ଲାର ଏକ ବେସରକାରୀ ସି-ଫୁଡ୍ ପ୍ରୋସେସିଂ ଏବଂ ରପ୍ତାନି କାରଖାନାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରେ ଓଡ଼ିଶାର ୫ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସମସ୍ତେ କେନ୍ଦୁଝର ଜିଲ୍ଲାର ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଏହି ଦୁର୍ଘଟଣା ପରେ ଓଡ଼ିଶା ସରକାର ତୁରନ୍ତ ପଦକ୍ଷେପ ନେଇ ପ୍ରଭାବିତ ଶ୍ରମିକ ଓ ପରିବାରଙ୍କୁ ସହାୟତା ଯୋଗାଇବା ପାଇଁ ଏକ ୩ ସଦସ୍ୟ ବିଶିଷ୍ଟ ଟିମ୍ ତାମିଲନାଡୁ ପଠାଇଛନ୍ତି।
ରବିବାର ଏହି କାରଖାନାରେ ନିୟମିତ କାର୍ଯ୍ୟ ସମୟରେ ହଠାତ୍ ଆମୋନିଆ ଗ୍ୟାସ ଲିକ୍ ହୋଇଥିଲା। ଏହା ଫଳରେ ସେଠାରେ କାର୍ଯ୍ୟରତ ଶ୍ରମିକମାନେ ବିଷାକ୍ତ ଗ୍ୟାସର ସଂସ୍ପର୍ଶରେ ଆସିଥିଲେ। ଘଟଣାରେ ମୋଟ ୭୪ ଜଣ ଶ୍ରମିକ ପ୍ରଭାବିତ ହୋଇଥିବା ବେଳେ ୬୭ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। କେତେକ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।
ମୁଖ୍ୟମନ୍ତ୍ରୀ Mohan Charan Majhi ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ପ୍ରଭାବିତ ପରିବାରଙ୍କୁ ସମସ୍ତ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାର ମୁଖ୍ୟ ଶାସନ ସଚିବ ତାମିଲନାଡୁ ସରକାରଙ୍କ ସହ ଯୋଗାଯୋଗ କରି ଆହତ ଓଡ଼ିଆ ଶ୍ରମିକଙ୍କ ଚିକିତ୍ସା ଓ ମୃତଦେହ ଫେରାଇ ଆଣିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି।
ତାମିଲନାଡୁ ସରକାର ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି। ପ୍ରାଥମିକ ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଏବଂ ବିସ୍ତୃତ ରିପୋର୍ଟ ତିନି ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ମଧ୍ୟ ଘୋଷଣା କରାଯାଇଛି।