ଇସ୍କନ ଦ୍ୱାରା ନିର୍ଦ୍ଧାରିତ ତିଥି ପୂର୍ବରୁ ରଥଯାତ୍ରା ଆୟୋଜନକୁ ନେଇ ଓଡ଼ିଶାରେ ବିବାଦ ଦେଖାଦେଇଛି । ଜଗନ୍ନାଥ ପରମ୍ପରାର ସୁରକ୍ଷା ପାଇଁ ଅନେକ ସଂଗଠନ ଓ ଭକ୍ତମାନେ ଆପତ୍ତି ଉଠାଇଥିବାବେଳେ, ଇସ୍କନ ଏହାକୁ ବିଶ୍ୱସ୍ତରରେ ଭକ୍ତି ପ୍ରଚାରର ଏକ ଉଦ୍ୟମ ବୋଲି ବ୍ୟାଖ୍ୟା କରିଛି ।

ଓଡ଼ିଶା: ଭଗବାନ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓଡ଼ିଶାର ସବୁଠାରୁ ପବିତ୍ର ଓ ପାରମ୍ପରିକ ଧାର୍ମିକ ଉତ୍ସବ ହୋଇଥିବାବେଳେ, ଚଳିତ ବର୍ଷ ଇସ୍କନ (International Society for Krishna Consciousness) ଦ୍ୱାରା ନିର୍ଦ୍ଧାରିତ ତିଥି ପୂର୍ବରୁ କିଛି ସ୍ଥାନରେ ରଥଯାତ୍ରା ଆୟୋଜନକୁ ନେଇ ବିବାଦ ଦେଖାଦେଇଛି । ଓଡ଼ିଶାର ଅନେକ ଜଗନ୍ନାଥ ପ୍ରେମୀ, ଗବେଷକ ଓ ସାମାଜିକ ସଂଗଠନ ଏହାକୁ “ଅଦିନିଆ ରଥଯାତ୍ରା” ବୋଲି ଅଭିହିତ କରି ଆପତ୍ତି ଜଣାଇଛନ୍ତି ।

ପାରମ୍ପରିକ ଭାବେ ପୁରୀ ଶ୍ରୀମନ୍ଦିରରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ କରାଯାଏ । ୨୦୨୬ ମସିହାରେ ଏହି ତିଥି ଜୁଲାଇ ୧୬ରେ ପଡ଼ୁଥିବାବେଳେ, ଇସ୍କନର କେତେକ ବିଦେଶୀ ଏବଂ ଭାରତୀୟ କେନ୍ଦ୍ରରେ ଜୁନ୍ ମାସରେ ରଥଯାତ୍ରା ଆୟୋଜନ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହାକୁ ନେଇ ଜଗନ୍ନାଥ ସଂସ୍କୃତିର ଅନୁଗାମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଗ୍ଲୋବାଲ ଓଡ଼ିଆ ଡାୟାସ୍ପୋରାର ସଂସ୍ଥାପକ ଅରୁଣ କୁମାର ପ୍ରହରାଜଙ୍କ ସହ ଅନେକ ଜଗନ୍ନାଥ ଭକ୍ତ ମତ ଦେଇଛନ୍ତି ଯେ ରଥଯାତ୍ରା, ସ୍ନାନଯାତ୍ରା, ଅଣସର ଓ ବାହୁଡ଼ା ପରି ନୀତିଗୁଡ଼ିକ ଶତାବ୍ଦୀ ପୁରୁଣା ପରମ୍ପରା ସହ ଜଡ଼ିତ ଥିବାରୁ ସେଗୁଡ଼ିକୁ ନିର୍ଦ୍ଧାରିତ ତିଥିରେ ହିଁ ପାଳନ କରାଯିବା ଉଚିତ । ସେମାନଙ୍କ ଅଭିଯୋଗ ଅନୁସାରେ, ସୁବିଧା ଓ ଅଧିକ ଭକ୍ତଙ୍କ ଯୋଗଦାନ ପାଇଁ ତିଥି ପରିବର୍ତ୍ତନ କରିବା ଜଗନ୍ନାଥ ପରମ୍ପରା ସହ ସହମତ ନୁହେଁ ।

ଅନ୍ୟପଟେ ଇସ୍କନ ପକ୍ଷରୁ କୁହାଯାଇଛି ଯେ ବିଶ୍ୱର ବିଭିନ୍ନ ସହରରେ ସ୍ଥାନୀୟ ପରିସ୍ଥିତି, ସପ୍ତାହାନ୍ତ ଓ ଭକ୍ତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରଥଯାତ୍ରାର ଆୟୋଜନ କରାଯାଏ, ଯାହା ମାଧ୍ୟମରେ ଅଧିକ ଲୋକ ଶ୍ରୀଜଗନ୍ନାଥଙ୍କ ଭକ୍ତି ଓ ସଂସ୍କୃତି ସହ ଯୋଡ଼ି ହୋଇପାରିବେ । ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । 

 

Share This Article 1 shares

Continue Reading

View All ଓଡ଼ିଶା →