ଏବର୍ଷ ଅକ୍ଷୟ ତୃତୀୟାରେ ଦେଶରେ ୨୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଓ ରୁପା ବିକ୍ରି ହେବ। ଗତବର୍ଷ ହୋଇଥିବା ୧୬ ହଜାର କୋଟି ଟଙ୍କାର ବିକ୍ରି ତୁଳନାରେ ଏହା ୪ ହଜାର କୋଟି ବା ୨୫ ପ୍ରତିଶତ ଅଧିକ ।

ନୂଆଦିଲ୍ଲୀ: ଚଳିତବର୍ଷ ଅକ୍ଷୟ ତୃତୀୟାରେ ସୁନା ଓ ରୁପା ଦର ଅପ୍ରତ୍ୟାଶିତ ଭାବେ ବହୁ ଅଧିକ ରହିଛି। ଏହା ସତ୍ତ୍ବେ ଚଳିତବର୍ଷ ବ୍ୟବସାୟ ଭଲ ରହିବ। ପରିମାଣ ସେତେ ଅଧିକ ନହେଲେ ମଧ୍ୟ ମୂଲ୍ୟ ଅଧିକ ରହିବ। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି)ର ଆକଳନ ଅନୁଯାୟୀ ଏବର୍ଷ ଅକ୍ଷୟ ତୃତୀୟାରେ ଦେଶରେ ୨୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଓ ରୁପା ବିକ୍ରି ହେବ। ଗତବର୍ଷ ହୋଇଥିବା ୧୬ ହଜାର କୋଟି ଟଙ୍କାର ବିକ୍ରି ତୁଳନାରେ ଏହା ୪ ହଜାର କୋଟି ବା ୨୫ ପ୍ରତିଶତ ଅଧିକ। ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଅଧିକାଂଶ ଶୁଭ ବୋଲି ବିବେଚନା କରିଥାନ୍ତି। ଗତବର୍ଷ ଅକ୍ଷୟ ତୃତୀୟା ସମୟରେ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୧ ଲକ୍ଷ ଟଙ୍କା ରହିଥିଲା। ଚଳିତବର୍ଷ ଏହା ପ୍ରାୟ ୧ ଲକ୍ଷ ୫୮ ହଜାର ଟଙ୍କା ସ୍ତରରେ ରହିଛି। ସେହିଭଳି ଗତବର୍ଷ ଅକ୍ଷୟ ତୃତୀୟାରେ ରୁପା ଦର କିଲୋଗ୍ରାମ ପିଛା ୮୫ ହଜାର ଟଙ୍କା ଥିବାବେଳ ସଂପ୍ରତି ଏହା ୨ ଲକ୍ଷ ୫୫ ହଜାର ଟଙ୍କା ସ୍ତରରେ ରହିଛି। ଦରବୃଦ୍ଧି ପାଇଁ ଗ୍ରାହକମାନେ ବଜାରରୁ ଦୂରେଇବା ପରିବର୍ତ୍ତେ ହାଲକା ଓଜନର ଗହଣା କିଣିବାକୁ ପସନ୍ଦ କରୁଛନ୍ତି। ଏଥିସହିତ ସୋରୁମଗୁଡ଼ିକ ଗଢ଼ା ମଜୁରିରେ ଆକର୍ଷଣୀୟ ରିହାତି ପ୍ରଦାନ କରୁଛନ୍ତି। ଉପହାର ପ୍ରଦାନ ବ୍ୟବସ୍ଥା ବି ରହିଛି। ଏଥିଯୋଗୁ ସୁନା ଓ ରୁପା କିଣିବା ପାଇଁ ଗ୍ରାହକଙ୍କ ଆଗ୍ରହ ଜାରି ରହିଛି ।

Share This Article 0 shares