ଭାରତ: କ୍ରିକେଟ ଜଗତ ପାଇଁ ଏକ ଗର୍ବର ମୁହୂର୍ତ୍ତ ସୃଷ୍ଟି କରିଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା । ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ରେ ତାଙ୍କୁ ସମ୍ମାନିତ କରାଯାଇଛି । ଜୁନ୍ 23 ତାରିଖରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ୱିତୀୟ ସିଭିଲ ଇନଭେଷ୍ଟିଚର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରୋହିତ ଶର୍ମାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ ।

ରୋହିତ ଶର୍ମା ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ସଫଳ ବ୍ୟାଟରମାନଙ୍କ ମଧ୍ୟରୁ ଜଣେ । ଏକଦିବସୀୟ କ୍ରିକେଟରେ ତିନୋଟି ଦ୍ୱିଶତକ ହାସଲ କରିବା ସହିତ ସେ ଅନେକ ବିଶ୍ୱ ରେକର୍ଡର ଅଧିକାରୀ । ତାଙ୍କ ନେତୃତ୍ୱରେ ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସଫଳତା ହାସଲ କରିଛି । ତାଙ୍କର ନେତୃତ୍ୱ, ସ୍ଥିରତା ଓ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ତାଙ୍କୁ ବିଶ୍ୱ କ୍ରିକେଟରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ।
ଚଳିତ ବର୍ଷର ପଦ୍ମ ପୁରସ୍କାର ତାଲିକାରେ କ୍ରୀଡ଼ା କ୍ଷେତ୍ରର ଅନେକ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲେ ମଧ୍ୟ ରୋହିତ ଶର୍ମାଙ୍କ ପଦ୍ମଶ୍ରୀ ପ୍ରାପ୍ତି କ୍ରିକେଟ ପ୍ରେମୀଙ୍କ ପାଇଁ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ସମ୍ମାନ ତାଙ୍କ ଦୀର୍ଘ କ୍ରୀଡ଼ା ଜୀବନ, ଦେଶ ପାଇଁ ତାଙ୍କ ଅବଦାନ ଏବଂ ଭାରତୀୟ କ୍ରିକେଟକୁ ବିଶ୍ୱସ୍ତରରେ ଆଗକୁ ନେବାର ପ୍ରୟାସର ସ୍ୱୀକୃତି ବୋଲି କୁହାଯାଉଛି ।
ରୋହିତଙ୍କ ଏହି ସଫଳତା ପରେ କ୍ରୀଡ଼ା ଜଗତ, ପ୍ରଶଂସକ ଏବଂ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପଦ୍ମଶ୍ରୀ ସମ୍ମାନ ତାଙ୍କ କ୍ୟାରିୟରରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ଦେଇଛି ।