କୋଲକାତାର ଟାରାତାଲାରେ ନିର୍ମାଣାଧୀନ ଗୋଦାମ ଧସି ପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ଓ ୨୦ରୁ ଅଧିକ ଆହତ ହୋଇଛନ୍ତି। ଘଟଣା ସମୟରେ ୫୦-୬୦ ଶ୍ରମିକ କାମ କରୁଥିବା ଜଣାପଡ଼ିଛି। ସେନା, NDRF ଓ SDRF ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି।

କୋଲକାତା: କୋଲକାତାର ଟାରାତାଲା ଅଞ୍ଚଳରେ ଏକ ନିର୍ମାଣାଧୀନ ତିନି ମହଲା ବିଶିଷ୍ଟ ଗୋଦାମ ଭୁଶୁଡ଼ି ପଡ଼ିବାରୁ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଅତି କମରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହୁରି ଅନେକ ଶ୍ରମିକ ଧ୍ୱଂସସ୍ତୂପ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। 

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୁର୍ଘଟଣା ସମୟରେ ପ୍ରାୟ ୫୦ରୁ ୬୦ ଜଣ ଶ୍ରମିକ ନିର୍ମାଣ କାମରେ ନିୟୋଜିତ ଥିଲେ। ହଠାତ୍ ଗୋଦାମର ଛାତ ଏବଂ ଉପର ଅଂଶ ଭାଙ୍ଗି ପଡ଼ିବାରୁ ଶ୍ରମିକମାନେ କଂକ୍ରିଟ, ଲୁହା ବିମ୍ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ତଳେ ଚାପି ହୋଇଯାଇଥିଲେ। 

ଘଟଣା ପରେ ତୁରନ୍ତ ସେନା, ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (NDRF), ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (SDRF), ଦମକଳ ବିଭାଗ ଓ କୋଲକାତା ପୋଲିସ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବଡ଼ ବଡ଼ କଂକ୍ରିଟ ସ୍ଲାବ ଓ ଇସ୍ପାତ ଗଠନକୁ କାଟି ଫସିଥିବା ଲୋକଙ୍କୁ ବାହାର କରିବା ପ୍ରୟାସ ଜାରି ରହିଛି। 

ପ୍ରଶାସନ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୨୦ରୁ ଅଧିକ ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ ହୋଇଛି ଏବଂ ନିର୍ମାଣ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବା ଅଭିଯୋଗ ମଧ୍ୟ ଉଠିଛି। 

ଏହି ଦୁର୍ଘଟଣା ପରେ ପଶ୍ଚିମବଙ୍ଗ ସରକାର କୋଲକାତା ନଗର ନିଗମ ଅଞ୍ଚଳରେ ଚାଲିଥିବା ଅନେକ ନିର୍ମାଣ ପ୍ରକଳ୍ପର ସୁରକ୍ଷା ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଘଟଣା ସମ୍ପର୍କରେ କିଛି ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। 

 

Share This Article 1 shares

Continue Reading

View All ଦେଶ →