ଓଡ଼ିଶା ରାଜନୀତିରେ ଗତ କିଛି ମାସ ଧରି ଚର୍ଚ୍ଚାରେ ଥିବା ସୁଜାତା ରାଉତ କାର୍ତ୍ତିକେୟନଙ୍କ ବିଜେଡି ପ୍ରବେଶ ଶେଷରେ ସତ୍ୟରେ ପରିଣତ ହୋଇଛି । ୨୦୦୦ ବ୍ୟାଚ୍ର ପୂର୍ବତନ IAS ଅଧିକାରୀ ସୁଜାତା ଗୁରୁବାର ଦିନ ଶଙ୍ଖ ଭବନରେ ବିଜେଡି ସଭାପତି Naveen Patnaikଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଛନ୍ତି ।
ଦଳରେ ତାଙ୍କ ଯୋଗଦାନକୁ ସ୍ୱାଗତ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ ସୁଜାତା ଜଣେ ସାଧାରଣ କର୍ମୀ ଭାବେ ଦଳରେ କାମ କରିବେ ଏବଂ ବିଶେଷକରି ମହିଳାଙ୍କ ସଶକ୍ତିକରଣ କ୍ଷେତ୍ରରେ ତାଙ୍କ ଅଭିଜ୍ଞତା ଦଳକୁ ଲାଭ ଦେବ । ସେ ଆଗାମୀ ନିର୍ବାଚନରେ ନିଜେ ବିଜେଡିର ନେତୃତ୍ୱ କରିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ।
ସୁଜାତାଙ୍କ ସମ୍ଭାବ୍ୟ ପ୍ରବେଶକୁ ନେଇ ପୂର୍ବରୁ ଦଳ ଭିତରେ ମିଶ୍ର ପ୍ରତିକ୍ରିୟା ଦେଖାଯାଇଥିଲା । ବିଜେଡି ବିଧାୟିକା ଟୁକୁନି ସାହୁ କହିଥିଲେ ଯେ ସୁଜାତାଙ୍କ ସହ କାମ କରିବାର ଅନୁଭବ ରହିଛି ଏବଂ ମହିଳା କଲ୍ୟାଣ ପ୍ରତି ତାଙ୍କର ଦୃଢ଼ ଦୃଷ୍ଟିକୋଣ ରହିଛି । ଦଳ ସଭାପତି ଯଦି ନିଷ୍ପତ୍ତି ନେଇଛନ୍ତି, ତେବେ ତାଙ୍କୁ ସ୍ୱାଗତ କରାଯିବ ବୋଲି ସେ କହିଥିଲେ ।
ଅନ୍ୟପକ୍ଷରେ କିଛି ବରିଷ୍ଠ ନେତା ଏହି ପ୍ରସଙ୍ଗକୁ ନେଇ ସତର୍କ ମନୋଭାବ ପ୍ରକାଶ କରିଛନ୍ତି । ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପାଇଁ ଭି.କେ. ପାଣ୍ଡିଆନଙ୍କୁ ଦାୟୀ କରୁଥିବା ଏକ ବର୍ଗ ନେତା ସୁଜାତାଙ୍କ ପ୍ରବେଶକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ ।
ରାଜନୈତିକ ବିଶ୍ଳେଷକଙ୍କ ମତରେ, ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ଥିବା ସୁଜାତାଙ୍କ ଯୋଗଦାନ ବିଜେଡିର ସାଂଗଠନିକ ଶକ୍ତିକୁ ବଢ଼ାଇପାରେ । ବିଶେଷକରି ମିଶନ ଶକ୍ତି ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସହ ତାଙ୍କ ସମ୍ପର୍କ ଦଳକୁ ଗ୍ରାମାଞ୍ଚଳରେ ନୂଆ ଶକ୍ତି ଦେଇପାରେ ।
ନବୀନଙ୍କ ନିମନ୍ତ୍ରଣ ସତ୍ବେ ମଧ୍ୟ ଅନେକ ବବି ଦାସ, ରାଜା, ବଦ୍ରି, ବିକ୍ରମ ପ୍ରମୁଖ କିଛି ନେତା ଏହି ସଭାରେ ଯୋଗ ଦେଇ ନଥିଲେ । ଏହାକୁ ଲକ୍ଷ କରି ବିଜେଡ଼ିର ଆଭ୍ୟନ୍ତରୀଣ ସ୍ଥିତି ଏବେ ମଧ୍ୟ ଦ୍ଵନ୍ଦରେ ପରି ମନେହୁଏ ।