ବିଶ୍ଵ: ଫିଫା ବିଶ୍ୱକପ୍ 2026ରେ ଫୁଟବଲ ପ୍ରେମୀମାନେ କେବଳ ରୋମାଞ୍ଚକର ମ୍ୟାଚ୍ ନୁହେଁ, ବରଂ ଅନେକ ଐତିହାସିକ ରେକର୍ଡର ମଧ୍ୟ ସାକ୍ଷୀ ହେଉଛନ୍ତି । ଫ୍ରାନ୍ସର ଷ୍ଟାର ଫରୱାର୍ଡ ଓସମାନ ଡେମ୍ବେଲେ ନରୱେ ବିପକ୍ଷ ମ୍ୟାଚ୍ରେ ପ୍ରଥମାର୍ଦ୍ଧରେ ହ୍ୟାଟ୍ରିକ୍ କରି ବିଶ୍ୱକପ୍ ଇତିହାସରେ ବିରଳ କୀର୍ତ୍ତି ସ୍ଥାପନ କରିଛନ୍ତି । 1994 ପରେ ବିଶ୍ୱକପ୍ରେ ପ୍ରଥମାର୍ଦ୍ଧରେ ହ୍ୟାଟ୍ରିକ୍ କରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି ।
ଅନ୍ୟପଟେ, ଫ୍ରାନ୍ସର ଅଧିନାୟକ କିଲିଆନ ଏମ୍ବାପେ ନିଜ ବିଶ୍ୱକପ୍ ଗୋଲ୍ ସଂଖ୍ୟାକୁ ଏମିତି ସ୍ତରକୁ ନେଇଛନ୍ତି ଯେ ସେ ଫୁଟବଲର ଦୁଇ ମହାନ ତାରକା ଲିଓନେଲ ମେସି ଓ ମିରୋସ୍ଲାଭ କ୍ଲୋଜେଙ୍କ ସହ ରେକର୍ଡ ତାଲିକାରେ ସ୍ଥାନ ପାଇଛନ୍ତି । ବିଶ୍ୱକପ୍ର ସର୍ବକାଳୀନ ସର୍ବାଧିକ ଗୋଲଦାତାଙ୍କ ତାଲିକାରେ ଏମ୍ବାପେ ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି ଏବଂ ଆଗାମୀ ମ୍ୟାଚ୍ଗୁଡ଼ିକରେ ନୂଆ କୀର୍ତ୍ତି ସ୍ଥାପନ କରିପାରନ୍ତି ।
ଏହି ବିଶ୍ୱକପ୍ର ସବୁଠାରୁ ବଡ଼ ଚମକ ଦେଇଛି କେପ୍ ଭର୍ଡେ । ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳୁଥିବା ଏହି ଆଫ୍ରିକୀୟ ଦେଶ ଗ୍ରୁପ୍ ପର୍ଯ୍ୟାୟରେ ଗୋଟିଏ ମଧ୍ୟ ମ୍ୟାଚ୍ ଜିତିନଥିଲେ ମଧ୍ୟ ତିନୋଟି ଡ୍ର' ସହ ରାଉଣ୍ଡ ଅଫ୍ 32କୁ ଉନ୍ନୀତ ହୋଇ ଇତିହାସ ସୃଷ୍ଟି କରିଛି । ବିଶ୍ୱକପ୍ ଇତିହାସରେ ଏଭଳି ସଫଳତା ହାସଲ କରିଥିବା ଦଳ ଅତ୍ୟନ୍ତ କମ୍ ।
କେପ୍ ଭର୍ଡେ ପୂର୍ବରୁ ଉରୁଗୁଏ ବିପକ୍ଷରେ ସିଧାସଳଖ ଫ୍ରି-କିକ୍ରୁ ନିଜର ପ୍ରଥମ ବିଶ୍ୱକପ୍ ଗୋଲ୍ ସ୍କୋର କରି ମଧ୍ୟ ଏକ ବିଶ୍ୱ ରେକର୍ଡ କରିଥିଲା । 1966 ପରଠାରୁ ବିଶ୍ୱକପ୍ରେ ଡେବ୍ୟୁ କରୁଥିବା କୌଣସି ଦଳ ପାଇଁ ଏହା ପ୍ରଥମ ଘଟଣା ।
ଏହାଛଡ଼ା, କ୍ରିଷ୍ଟିଆନୋ ରୋନାଲ୍ଡୋ ମଧ୍ୟ ଛଅଟି ଭିନ୍ନ ବିଶ୍ୱକପ୍ରେ ଗୋଲ୍ କରିବାରେ ପ୍ରଥମ ଖେଳାଳି ହୋଇ ନୂଆ ଇତିହାସ ରଚିଛନ୍ତି । ଏହା 2026 ବିଶ୍ୱକପ୍କୁ ରେକର୍ଡ ଭାଙ୍ଗିବାର ଏକ ସ୍ୱର୍ଣ୍ଣିମ ଟୁର୍ଣ୍ଣାମେଣ୍ଟରେ ପରିଣତ କରିଛି ।