ନୂଆଦିଲ୍ଲୀ: ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହେବାରେ ବାଧା ଦେଇ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମହିଳାମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛି ବୋଲି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମହିଳାମାନେ ଶାସକ ଦଳକୁ ଦଣ୍ଡ ଦେବେ। ବାଙ୍କୁଡ଼ା ଜିଲ୍ଲାର ବିଷ୍ଣୁପୁରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ମୋଦୀ ୨୦୨୯ ପୂର୍ବରୁ ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ଚାହୁଥିବା ବିଲ୍‌କୁ ବିରୋଧ କରିଥିବାରୁ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଥିଲେ।

ମୋଦୀ ଅଭିଯୋଗ କରିଛନ୍ତି ଯେ, ଟିଏମ୍‌ସି ଏହି ଆଇନକୁ ବିରୋଧ କରିଛି କାରଣ ରାଜ୍ୟର ମହିଳାମାନେ ଏହାର ମହାଜଙ୍ଗଲରାଜକୁ ଚ୍ୟାଲେଞ୍ଜ କରୁଛନ୍ତି। ଟିଏମ୍‌ସି ମହିଳା ସଶକ୍ତୀକରଣ ଓ ସଂରକ୍ଷଣ ଚାହୁନାହିଁ। ପଶ୍ଚିମବଙ୍ଗର ମହିଳାମାନେ ବହୁସଂଖ୍ୟାରେ ସାଂସଦ ଓ ବିଧାୟକ ହୁଅନ୍ତୁ ବୋଲି ଏହା ଚାହୁନାହିଁ କାରଣ ରାଜ୍ୟର ମହିଳାମାନେ ଏହାର ‘ମହାଜଙ୍ଗଲରାଜ’କୁ ଚ୍ୟାଲେଞ୍ଜ କରୁଛନ୍ତି। ସେଥିପାଇଁ ସେମାନେ କଂଗ୍ରେସ ସହ ମିଶି ଷଡଯନ୍ତ୍ର କରିଥିଲେ ଏବଂ ଏହି ବିଲକୁ ବିରୋଧ କରିଥିଲେ। ପଶ୍ଚିମବଙ୍ଗର ମହିଳାମାନେ ଏହି ନିର୍ବାଚନରେ ଟିଏମ୍‌ସିକୁ ଦଣ୍ଡ ଦେବେ।
ଶୁକ୍ରବାର ଏହି ବିଲ୍‌ ଲୋକସଭାରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିଲା। ଏହି ବିଲ୍‌ ସପକ୍ଷରେ ୨୯୮ ଜଣ ଓ ବିପକ୍ଷରେ ୨୩୦ ଜଣ ଭୋଟ୍ ଦେଇଥିବା ବେଳେ ଏହି ବିଲ୍‌ ପାରିତ ହେବା ପାଇଁ ୩୫୨ ଭୋଟ୍ ଆବଶ୍ୟକ ଥିଲା। ବିଜେପି ଓ ଟିଏମ୍‌ସି ମଧ୍ୟରେ ପାର୍ଥକ୍ୟ ଦର୍ଶାଇ ମୋଦୀ କହିଛନ୍ତି ଯେ ବିଜେପିର ପରିଚୟ ମହିଳା ସଶକ୍ତୀକରଣ ଓ ସେମାନଙ୍କ ସୁରକ୍ଷା ସହିତ ଜଡିତ। ମହିଳା ସଶକ୍ତୀକରଣକୁ ବିରୋଧ କରୁଥିବାବେଳେ ଶାସକ ଦଳ ଅନୁପ୍ରବେଶକାରୀଙ୍କୁ ସମର୍ଥନ କରୁଥିବା ମୋଦୀ ଅଭିଯୋଗ କରିଛନ୍ତି।

Share This Article 0 shares

Continue Reading

View All ଦେଶ →