ନୂଆଦିଲ୍ଲୀ: ୧୬ତମ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦ (CCHFW) ସମ୍ମିଳନୀରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଦେଶବ୍ୟାପୀ ମାତୃ ଓ ନବଜାତ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ‘SUMAN Roadmap 2030’ ଉନ୍ମୋଚନ କରିବେ । ଏହି ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀ, ସାଂସଦ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।
SUMAN (Surakshit Matritva Aashwasan) Roadmap 2030 ହେଉଛି ମାତୃ ଓ ନବଜାତ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏକ ଜାତୀୟ କୌଶଳପତ୍ର । ଏହାର ପ୍ରମୁଖ ଲକ୍ଷ୍ୟ ହେଉଛି ୨୦୩୦ ସୁଦ୍ଧା ପ୍ରତି ଏକ ଲକ୍ଷ ଜୀବନ୍ତ ପ୍ରସବରେ ମାତୃ ମୃତ୍ୟୁହାରକୁ ୭୦ରୁ କମ୍ କରିବା, ନବଜାତ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଏବଂ ପ୍ରତିରୋଧଯୋଗ୍ୟ ମାତୃ ଓ ନବଜାତ ମୃତ୍ୟୁକୁ ଶୂନ୍ୟ ନିକଟକୁ ଆଣିବା ।

ଏହି ରୋଡମ୍ୟାପରେ ଉଚ୍ଚ ବିପଦପୂର୍ଣ୍ଣ ଗର୍ଭଧାରଣ ଚିହ୍ନଟ, ଗର୍ଭାବସ୍ଥା ପୂର୍ବରୁ ଆରମ୍ଭ କରି ପ୍ରସବ ଓ ପ୍ରସବ ପରବର୍ତ୍ତୀ ସେବା ପର୍ଯ୍ୟନ୍ତ Life-cycle Approach ଅନୁସରଣ କରାଯିବ । ୧୩ଟି ଉଚ୍ଚ-ପ୍ରାଥମିକତା ରାଜ୍ୟର ୧୩୦ଟି ଜିଲ୍ଲା, ଯେଉଁଥିରେ ଓଡ଼ିଶା ମଧ୍ୟ ରହିଛି, ସେଠାରେ ବିଶେଷ ଗୁରୁତ୍ୱ ଦିଆଯିବ । ଆଶା କର୍ମୀଙ୍କ ଘର ପରିଦର୍ଶନ, ରେଫରାଲ୍ ପରିବହନ, Birth Waiting Homes, Maternal & Child Health Wings ଏବଂ ICU ସୁବିଧା ବିସ୍ତାର ମଧ୍ୟ ଏହି ଯୋଜନାର ଅଂଶ ।
ଏହା ସହ କେନ୍ଦ୍ର ସରକାର National Ambulance Services (NAS) Operational Guidelines 2026 ମଧ୍ୟ ଜାରି କରିବେ । ଏଥିରେ ଦେଶବ୍ୟାପୀ ଆମ୍ବୁଲାନ୍ସ ସେବାକୁ ଏକକ ମାନଦଣ୍ଡରେ ଆଣିବା, GPS-ଆଧାରିତ ଟ୍ରାକିଂ, ଜରୁରୀକାଳୀନ କମାଣ୍ଡ ସେଣ୍ଟର, ପ୍ରଶିକ୍ଷିତ EMT, AIS-125 ମାନକ ଏବଂ 112 ଜରୁରୀ ସେବା ସହ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଛି ।
ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM), ସସ୍ଥାୟୀ ବିକାଶ ଲକ୍ଷ୍ୟ (SDGs), ଖାଦ୍ୟ ଓ ଔଷଧ ସଂସ୍କାର, ଏବଂ Allied Health Services ଉପରେ କେନ୍ଦ୍ର-ରାଜ୍ୟ ସମନ୍ୱୟକୁ ନେଇ ମଧ୍ୟ ଆଲୋଚନା ହେବ ।