ମାନନୀୟ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କପିଳେନ୍ଦ୍ର ଦେବଙ୍କ ଗୌରବମୟ ଇତିହାସର ଜାତୀୟ ସ୍ତରରେ ପ୍ରଚାର ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶିଷ୍ଟ ଐତିହାସିକ ପ୍ରଫେସର କୁଲଦୀପ୍ ଚନ୍ଦ୍ର ଅଗ୍ନିହୋତ୍ରୀ ବିଶିଷ୍ଟ ଅତିଥି ଏବଂ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ ।

ଭୁବନେଶ୍ୱର, ୨୯ ଜୁନ୍ ୨୦୨୬: ୨୯ ଜୁନ୍ ୧୪୩୫ ମସିହାରେ ଗଜପତି କପିଳେନ୍ଦ୍ର ଦେବଙ୍କ ରାଜ୍ୟାଭିଷେକର ୬ ଶତାବ୍ଦୀ ପରେ, ଓଡ଼ିଶାର ସେହି ମହାନ ସୂର୍ଯ୍ୟବଂଶୀ ସାମ୍ରାଜ୍ୟର ପ୍ରତିଷ୍ଠାତାଙ୍କ ବୀରତ୍ୱକୁ ମନେ ପକାଇବା ପାଇଁ ଆଜି ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ଏମ୍.କେ.ସି.ଜି. ପ୍ରେକ୍ଷାଳୟଠାରେ ‘ଗଜପତି ଦିବସ @ ୫୯୧’ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି। ବିୟଣ୍ଡ ହେରିଟେଜ୍ ଟ୍ରଷ୍ଟ, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଇତିହାସ ପ୍ରେମୀ ଓ ଜନସାଧାରଣ ଯୋଗ ଦେଇଥିଲେ।

ଏହି ଭବ୍ୟ ସମାରୋହରେ ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ମାନନୀୟ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କପିଳେନ୍ଦ୍ର ଦେବଙ୍କ ଗୌରବମୟ ଇତିହାସର ଜାତୀୟ ସ୍ତରରେ ପ୍ରଚାର ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶିଷ୍ଟ ଐତିହାସିକ ପ୍ରଫେସର କୁଲଦୀପ୍ ଚନ୍ଦ୍ର ଅଗ୍ନିହୋତ୍ରୀ ବିଶିଷ୍ଟ ଅତିଥି ଏବଂ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ସମ୍ମାନିତ ଅତିଥି ଭାବେ କଟକର ମାନନୀୟ ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ, ପ୍ରଫେସର କିଶୋର କୁମାର ବାସା ଏବଂ ପଦ୍ମଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକ ଉପସ୍ଥିତ ଥିଲେ। ଏହା ସହିତ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ଡକ୍ଟର ଚନ୍ଦ୍ରଶେଖର ହୋତା ଏବଂ ଆର୍କିଟେକ୍ଟ ଶ୍ରୀ ସୁଭଜ ମହାନ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଗରିମାମୟ ଉପସ୍ଥିତି ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ “ସମର, ସମ୍ରାଟ, ଓ ସନାତନ: ଗଜପତି କପିଳେନ୍ଦ୍ର ଦେବ” ଶୀର୍ଷକ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀର ଉଦ୍‌ଘାଟନ କରାଯିବା ସହ ଗଜପତିଙ୍କ ଜୀବନୀ ଉପରେ ଆଧାରିତ ଆନିମେଟେଡ୍ କ୍ଷୁଦ୍ର ଚଳଚ୍ଚିତ୍ର “ଲକ୍ଷେ ରଜାର ମଉଡ଼ମଣି: ଗଜପତିଙ୍କ ଗୌରବମୟ ଗାଥା” ଉନ୍ମୋଚନ ହୋଇଥିଲା। ଏହା ପରେ ଦୁଇଟି ଉଚ୍ଚକୋଟୀର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଶିଷ୍ଟ ଗବେଷକ ଓ ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିଥିଲେ। ଆୟୋଜକଙ୍କ ତରଫରୁ ଘୋଷଣା କରାଯାଇଛି କି, ପ୍ରତିବର୍ଷ ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବ ଏବଂ ଓଡ଼ିଶାର ଇତିହାସ ଓ ଶିଳାଲେଖ ଉପରେ ଗବେଷଣା କରୁଥିବା ବିଦ୍ୱାନମାନଙ୍କୁ ପ୍ରତିବର୍ଷ ଏକ ସ୍ୱତନ୍ତ୍ର ‘ଗବେଷଣା ପୁରସ୍କାର’ ପ୍ରଦାନ କରାଯିବ।

Share This Article 1 shares

Continue Reading

View All ଓଡ଼ିଶା →