ଭୁବନେଶ୍ୱର: ଆୟୁର୍ବେଦ ଶିକ୍ଷା, ଗବେଷଣା ଓ ଉନ୍ନତ ଚିକିତ୍ସା ସେବାକୁ ପୂର୍ବ ଭାରତରେ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ନୂଆଦିଲ୍ଲୀରେ କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପରାଓ ଗଣପତରାଓ ଯାଧବଙ୍କୁ ସାକ୍ଷାତ କରି ଓଡ଼ିଶାରେ All India Institute of Ayurveda (AIIA) ପ୍ରତିଷ୍ଠା ପାଇଁ ବିସ୍ତୃତ ପ୍ରସ୍ତାବ ଦାଖଲ କରିଛନ୍ତି ।
ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶାର ସମୃଦ୍ଧ ଆୟୁର୍ବେଦିକ ପରମ୍ପରା, ଔଷଧୀୟ ଉଦ୍ଭିଦ ସମ୍ପଦ ଏବଂ ପୂର୍ବ ଭାରତର କୌଶଳଗତ ଅବସ୍ଥିତି ଏହି ସଂସ୍ଥା ପାଇଁ ରାଜ୍ୟକୁ ଉପଯୁକ୍ତ କରୁଛି । କେନ୍ଦ୍ର ବଜେଟ୍ରେ ଘୋଷିତ ତିନିଟି ନୂଆ AIIA କ୍ୟାମ୍ପସ ସ୍ଥାପନ ପ୍ରକ୍ରିୟାରେ ଓଡ଼ିଶା ଆବଶ୍ୟକ ସମସ୍ତ ମାନଦଣ୍ଡ ପୂରଣ କରି ପ୍ରସ୍ତାବ ଦାଖଲ କରିଥିବା ସରକାର ସୂଚନା ଦେଇଛନ୍ତି ।
ରାଜ୍ୟ ସରକାର ପକ୍ଷରୁ ଭୁବନେଶ୍ୱର ନିକଟରେ ପ୍ରାୟ ୧୦୦ ଏକର ସରକାରୀ ଜମି ଚିହ୍ନଟ କରିବାକୁ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରସ୍ତାବିତ ସ୍ଥାନଟି ସଡ଼କ, ରେଳ ଓ ବିମାନ ଯୋଗାଯୋଗ ଦୃଷ୍ଟିରୁ ଅତ୍ୟନ୍ତ ସୁବିଧାଜନକ ଥିବାରୁ ଏକ ଜାତୀୟ ସ୍ତରର ଅନୁଷ୍ଠାନ ପାଇଁ ଉପଯୁକ୍ତ ବୋଲି ଦର୍ଶାଯାଇଛି ।
ଡା. ମହାଲିଙ୍ଗ କହିଛନ୍ତି ଯେ ବର୍ତ୍ତମାନ ପୂର୍ବ ଓ ମଧ୍ୟ ଭାରତରେ କୌଣସି ଜାତୀୟ ସ୍ତରର AIIA ନାହିଁ । ଓଡ଼ିଶାରେ ଏହି ସଂସ୍ଥା ସ୍ଥାପନ ହେଲେ ଏହା କେବଳ ରାଜ୍ୟ ନୁହେଁ, ବରଂ ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର, ଛତିଶଗଡ଼ ସମେତ ସମଗ୍ର ପୂର୍ବାଞ୍ଚଳର ଲୋକଙ୍କୁ ଉନ୍ନତ ଆୟୁର୍ବେଦ ଚିକିତ୍ସା, ଉଚ୍ଚଶିକ୍ଷା ଓ ଗବେଷଣାର ସୁବିଧା ଯୋଗାଇବ । ସେହି ସହିତ ଏହା ଆୟୁଷ କ୍ଷେତ୍ରରେ ନୂତନ ରୋଜଗାର ସୃଷ୍ଟି, ଗବେଷଣା ଓ ପାରମ୍ପରିକ ଚିକିତ୍ସା ପ୍ରଣାଳୀର ବିକାଶକୁ ଗତି ଦେବ ।
ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମୟୂରଭଞ୍ଜରେ AIIA ସ୍ଥାପନ ପାଇଁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ନିକଟରେ ଦାବି ଉଠାଇଥିଲେ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ଔପଚାରିକ ପ୍ରସ୍ତାବ ଏହି ଦାବିକୁ ଅଧିକ ଶକ୍ତିଶାଳୀ କରିଲା ।