ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ଭାରତର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଦଳ ପରିଚାଳନାର ଚୟନ ନୀତିକୁ ପ୍ରଶ୍ନ କରି କହିଛନ୍ତି ଯେ, ୧୫ ବର୍ଷୀୟ ବୈଭବଙ୍କୁ ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାରେ ନିଶ୍ଚିତ ଭାବେ ଖେଳିବାର ସୁଯୋଗ ମିଳିବା ଉଚିତ୍ ଥିଲା।
ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟି-୨୦ ମ୍ୟାଚ୍ର ପ୍ରସାରଣ ସମୟରେ ଶାସ୍ତ୍ରୀ କହିଥିଲେ, ଆୟରଲ୍ୟାଣ୍ଡର ଧୀର ଓ ଛୋଟ ମାଠ ବୈଭବଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ସର୍ବୋତ୍ତମ ଥିଲା। ତାଙ୍କ ମତରେ, ଆଇପିଏଲ୍ରେ ବଡ଼ ବଡ଼ ବୋଲରଙ୍କ ବିପକ୍ଷରେ ସଫଳ ହୋଇଥିବା ଏହି ଯୁବ ବ୍ୟାଟରଙ୍କୁ ବେଞ୍ଚରେ ବସାଇ ରଖିବା ଠିକ୍ ନିଷ୍ପତ୍ତି ନୁହେଁ।
ଶାସ୍ତ୍ରୀ କହିଛନ୍ତି, “ବୈଭବ ଦଳ ପାଇଁ ଏକ ‘ଏକ୍ସ-ଫ୍ୟାକ୍ଟର’। ତାଙ୍କ ବୟସ କମ୍ ହୋଇପାରେ, କିନ୍ତୁ ସେ ନିର୍ଭୀକ ଭାବେ ବ୍ୟାଟିଂ କରନ୍ତି। ପାୱାରପ୍ଲେର ପ୍ରଥମ କିଛି ଓଭରରେ ସେ ଦ୍ରୁତ ଆରମ୍ଭ ଦେଇ ମଧ୍ୟକ୍ରମକୁ ମଜବୁତ ଭିତ୍ତି ଦେଇପାରିବେ। ସେଥିପାଇଁ ତାଙ୍କୁ ଯଥାଶୀଘ୍ର ସୁଯୋଗ ଦେବା ଆବଶ୍ୟକ।”
ବୈଭବଙ୍କୁ ଆୟରଲ୍ୟାଣ୍ଡ ଶୃଙ୍ଖଳାର କୌଣସି ମ୍ୟାଚ୍ରେ ସୁଯୋଗ ମିଳିନଥିଲା। ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ମଧ୍ୟ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ। ଏହା ପରେ କ୍ରିକେଟ୍ ମହଳରେ ଦଳ ପରିଚାଳନାର ନିଷ୍ପତ୍ତିକୁ ନେଇ ବିଭିନ୍ନ ମତ ପ୍ରକାଶ ପାଉଛି।
ଅନ୍ୟପକ୍ଷରେ, ଭାରତୀୟ ଟିମ୍ ମ୍ୟାନେଜମେଣ୍ଟର ଆଭିମୁଖ୍ୟ ଭିନ୍ନ। ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ସହକାରୀ କୋଚ୍ ରିଆନ୍ ଟେନ୍ ଡୋସ୍କେଟ୍ ବୈଭବଙ୍କୁ ନେଇ ତରବରିଆ ନହେବାକୁ କହିଛନ୍ତି। ସେମାନଙ୍କ ମତରେ, ଯୁବ ପ୍ରତିଭାଙ୍କୁ ଦୀର୍ଘମିଆଦି ଯୋଜନା ଅନୁଯାୟୀ ପ୍ରସ୍ତୁତ କରିବା ଅଧିକ ଜରୁରୀ।
ଏହି ମଧ୍ୟରେ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ମଧ୍ୟ ସତର୍କ କରି କହିଛନ୍ତି ଯେ, ବାରମ୍ବାର ଦଳରେ ରଖି ଖେଳାଇବାର ସୁଯୋଗ ନ ଦେଲେ ବୈଭବଙ୍କ ଉପରେ ଅନାବଶ୍ୟକ ମାନସିକ ଚାପ ବଢ଼ିପାରେ। ତେଣୁ ତାଙ୍କୁ ସ୍ପଷ୍ଟ ଯୋଜନା ସହ ଆଗକୁ ବଢ଼ାଇବା ଉଚିତ୍ ବୋଲି ସେ ପରାମର୍ଶ ଦେଇଛନ୍ତି।