ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭୁବନେଶ୍ୱରରେ ଆୟୋଜିତ ‘ଶକ୍ତି ବନ୍ଦନାର ମହାଗାଥା – ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ’ ଜାତୀୟ ସେମିନାରରେ ଏହି ଦୁଇଟି ମହତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ସେ କହିଥିଲେ, ସଂଶୋଧିତ ‘ଲକ୍ଷ୍ମୀ ପୁରାଣ’ର ୧ କୋଟି ପ୍ରତି ରାଜ୍ୟବ୍ୟାପୀ ବଣ୍ଟନ କରାଯିବ, ଯାହା ଓଡ଼ିଆ ସାହିତ୍ୟ ଓ ସାଂସ୍କୃତିକ ପରମ୍ପରାକୁ ନୂତନ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବ।
ଏହି ସଂଶୋଧିତ ସଂସ୍କରଣର ଅଡିଓ ପାଠକୁ ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଏବଂ ଗୀତା ଦାସ ସ୍ୱର ଦେବେ। ଏହା ମାଧ୍ୟମରେ ‘ଲକ୍ଷ୍ମୀ ପୁରାଣ’କୁ ଅଧିକ ଲୋକପ୍ରିୟ କରିବା ସରକାରଙ୍କ ଲକ୍ଷ୍ୟ।
ସେହିପରି, ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରେ ଅବସ୍ଥିତ କବି ବଳରାମ ଦାସଙ୍କ ସ୍ମୃତିପୀଠକୁ କେନ୍ଦ୍ର କରି ‘ମହାଲକ୍ଷ୍ମୀ କରିଡର’ ଗଢ଼ାଯିବ। ପ୍ରସ୍ତାବିତ କରିଡରରେ ବଳରାମ ଦାସଙ୍କ ଜୀବନ ଓ ସାହିତ୍ୟକୁ ଉତ୍ସର୍ଗୀକୃତ ଗ୍ୟାଲେରୀ, ଦେବୀ ଲକ୍ଷ୍ମୀଙ୍କ ଉପରେ ଗବେଷଣା କେନ୍ଦ୍ର ଏବଂ ପ୍ରାୟ ୫୦୦ ମହିଳା ଏକାସାଥିରେ ‘ଲକ୍ଷ୍ମୀ ପୁରାଣ’ ପାଠ କରିପାରିବା ଭଳି ସାଂସ୍କୃତିକ ପ୍ରାଙ୍ଗଣ ରହିବ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଲକ୍ଷ୍ମୀ ପୁରାଣ’ କେବଳ ଧାର୍ମିକ ଗ୍ରନ୍ଥ ନୁହେଁ, ଏହା ସାମାଜିକ ସମାନତା, ନାରୀ ସଶକ୍ତିକରଣ, ମାନବିକ ମୂଲ୍ୟବୋଧ ଏବଂ ସାମାଜିକ ନ୍ୟାୟର ବାର୍ତ୍ତା ବହନ କରେ। ଏହି ପ୍ରକଳ୍ପ ସାଂସ୍କୃତିକ ପର୍ଯ୍ୟଟନକୁ ବୃଦ୍ଧି କରିବା ସହ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରିବ।