ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଜୁଲାଇ ୪ରୁ ୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ରାଷ୍ଟ୍ରୀୟ ଶେଷ ଯାତ୍ରା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ ନାହିଁ। ତାଙ୍କ ବଦଳରେ କେନ୍ଦ୍ର ବିଦେଶ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏବଂ ବିହାରର ରାଜ୍ୟପାଳ ସୟଦ ଆତା ହସନୈନ୍ ଭାରତ ସରକାରଙ୍କ ପକ୍ଷରୁ ଇରାନ ଗସ୍ତ କରିବେ।

ନୂଆଦିଲ୍ଲୀ : ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ରାଷ୍ଟ୍ରୀୟ ଶେଷ ଯାତ୍ରାକୁ ନେଇ ବିଶ୍ୱର ନଜର ତେହରାନ ଉପରେ ରହିଛି। ଏହି ଅବସରରେ ଇରାନ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଔପଚାରିକ ନିମନ୍ତ୍ରଣ ଦେଇଥିଲା। କିନ୍ତୁ ଭାରତ ସରକାର ପକ୍ଷରୁ ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଭାରତର ବିଦେଶ ମନ୍ତ୍ରଣାଳୟ (MEA) ସୂଚନା ଦେଇଛି ଯେ, କେନ୍ଦ୍ର ବିଦେଶ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏବଂ ବିହାରର ରାଜ୍ୟପାଳ ସୟଦ ଆତା ହସନୈନ୍ ଜୁଲାଇ ୩ରେ ଇରାନ ଯାଇ ଭାରତ ସରକାରଙ୍କ ପକ୍ଷରୁ ଶେଷ ଯାତ୍ରା ସମାରୋହରେ ଅଂଶଗ୍ରହଣ କରିବେ। ବିବୃତିରେ କୁହାଯାଇଛି ଯେ, ଏହି ଉଚ୍ଚସ୍ତରୀୟ ପ୍ରତିନିଧିତ୍ୱ ଭାରତ-ଇରାନ ମଧ୍ୟରେ ଦୀର୍ଘଦିନର ସଭ୍ୟତାଗତ, ସାଂସ୍କୃତିକ ଓ ଜନସମ୍ପର୍କର ପ୍ରତିଫଳନ।

ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ଜୁଲାଇ ୪ରୁ ଆରମ୍ଭ ହୋଇ ତେହରାନ, କୋମ୍ ଓ ଇରାକର ନଜାଫ୍‌ରେ ଶ୍ରଦ୍ଧାଞ୍ଜଳି ସଭା ପରେ ଜୁଲାଇ ୯ରେ ମଶହଦରେ ଶେଷ ହେବ। ଇରାନ ପକ୍ଷରୁ ଲକ୍ଷାଧିକ ଲୋକ ଯୋଗଦେବାର ଆଶା କରାଯାଇଛି।

ଏହି ମଧ୍ୟରେ ଇରାନ ବିଭିନ୍ନ ଭାରତୀୟ ରାଜନୈତିକ ଦଳର କିଛି ନେତାଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଇଛି। କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ଶିଦ କହିଛନ୍ତି ଯେ ସେ ଦଳ ପକ୍ଷରୁ ଶେଷ ଯାତ୍ରାରେ ଯୋଗଦେବେ।

ବିଶ୍ଳେଷକଙ୍କ ମତରେ, ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତି ସତ୍ତ୍ୱେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପଠାଇ ଭାରତ ଇରାନ ସହ ତାହାର କୂଟନୈତିକ ସମ୍ପର୍କ ଓ ପାରମ୍ପରିକ ବନ୍ଧନକୁ ଗୁରୁତ୍ୱ ଦେଇଥିବାର ସନ୍ଦେଶ ଦେଇଛି।

Share This Article 1 shares

Continue Reading

View All ଦେଶ →