କାନାଡାର ଟରୋଣ୍ଟୋରେ ଖେଳାଯାଇଥିବା ଫିଫା ବିଶ୍ୱକପ୍ 2026ର ରାଉଣ୍ଡ ଅଫ୍ 32 ମୁକାବିଲାରେ ପର୍ତ୍ତୁଗାଲ ରୋମାଞ୍ଚକର ଭାବେ ୨-୧ରେ କ୍ରୋଏସିଆକୁ ପରାସ୍ତ କରି ଶେଷ-୧୬ରେ ପ୍ରବେଶ କରିଛି।
ମ୍ୟାଚ୍ର ୫୩ତମ ମିନିଟରେ ଇଭାନ୍ ପେରିସିଚ୍ ଗୋଲ ସ୍କୋର କରି କ୍ରୋଏସିଆକୁ ଅଗ୍ରଣୀ କରିଥିଲେ। ଏହାପରେ ୬୮ତମ ମିନିଟରେ ପେନାଲ୍ଟିରୁ କ୍ରିଷ୍ଟିଆନୋ ରୋନାଲ୍ଡୋ ସମତାସୂଚକ ଗୋଲ କରିଥିଲେ। ଏହା ବିଶ୍ୱକପ୍ ନକ୍-ଆଉଟ୍ ପର୍ଯ୍ୟାୟରେ ରୋନାଲ୍ଡୋଙ୍କ କ୍ୟାରିୟରର ପ୍ରଥମ ଗୋଲ ହୋଇଥିବା ସହ ୪୧ ବର୍ଷ ବୟସରେ ସେ ନୂଆ କୀର୍ତ୍ତିମାନ ମଧ୍ୟ ସ୍ଥାପନ କରିଛନ୍ତି।
ନିର୍ଦ୍ଧାରିତ ସମୟର ଅତିରିକ୍ତ ମୁହୂର୍ତ୍ତରେ ବଦଳ ଖେଳାଳି ଗୋନ୍ସାଲୋ ରାମୋସ ରାଫାଏଲ ଲିଆଓଙ୍କ କ୍ରସକୁ ହେଡରରେ ଗୋଲରେ ପରିଣତ କରି ପର୍ତ୍ତୁଗାଲକୁ ୨-୧ରେ ଆଗୁଆ କରିଥିଲେ।
ମ୍ୟାଚ୍ର ସବୁଠାରୁ ବଡ଼ ବିବାଦ ଶେଷ ମୁହୂର୍ତ୍ତରେ ସୃଷ୍ଟି ହୋଇଥିଲା। କ୍ରୋଏସିଆ ପକ୍ଷରୁ ହୋଇଥିବା ସମତାସୂଚକ ଗୋଲକୁ VAR ସମୀକ୍ଷା ପରେ ଅଫସାଇଡ୍ ଘୋଷଣା କରାଯାଇଥିଲା। ଏହି ନିଷ୍ପତ୍ତିକୁ ନେଇ କ୍ରୋଏସିଆ ଶିବିର ଅସନ୍ତୋଷ ପ୍ରକାଶ କରିଥିଲା। ଦଳର ମୁଖ୍ୟ କୋଚ୍ ଜ୍ଲାଟକୋ ଡାଲିଚ୍ ରେଫରିଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଥିଲେ, ଯଦିଓ ପରାଜୟ ପାଇଁ ସେ କେବଳ ରେଫରିଙ୍କୁ ଦାୟୀ କରିନଥିଲେ।
ଏହି ବିଜୟ ସହ ପର୍ତ୍ତୁଗାଲ ବର୍ତ୍ତମାନ ଶେଷ-୧୬ରେ ସ୍ପେନକୁ ଭେଟିବ। ଅନ୍ୟପଟେ, ଏହି ପରାଜୟ ସହ କ୍ରୋଏସିଆର ଅଭିଯାନ ଶେଷ ହୋଇଛି ଏବଂ ଏହା ଅଭିଜ୍ଞ ଅଧିନାୟକ ଲୁକା ମୋଡ୍ରିଚଙ୍କ ଶେଷ ବିଶ୍ୱକପ୍ ମ୍ୟାଚ୍ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି।