ଫିଫା ବିଶ୍ୱକପ୍ ୨୦୨୬ର ରାଉଣ୍ଡ ଅଫ୍ ୩୨ରେ ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା ୩-୨ ଗୋଲ୍‌ରେ କେପ୍ ଭର୍ଡେକୁ ପରାସ୍ତ କରି ଶେଷ-୧୬ରେ ପହଞ୍ଚିଛି। ଲିଓନେଲ୍ ମେସି ପ୍ରଥମ ଗୋଲ୍ କରିଥିଲେ, କିନ୍ତୁ ବିଶ୍ୱକପ୍‌ରେ ପ୍ରଥମ ଥର ଖେଳୁଥିବା କେପ୍ ଭର୍ଡେ ଦୁଇଥର ସମତା ଫେରାଇ ମ୍ୟାଚ୍‌କୁ ଅତିରିକ୍ତ ସମୟକୁ ନେଇଥିଲା। ଶେଷରେ ୧୧୧ତମ ମିନିଟରେ ହୋଇଥିବା ଏକ ଆତ୍ମଘାତୀ ଗୋଲ୍ ଆର୍ଜେଣ୍ଟିନାକୁ ବିଜୟ ଦେଇଥିଲା।

ଫିଫା ବିଶ୍ୱକପ୍ ୨୦୨୬ର ରାଉଣ୍ଡ ଅଫ୍ ୩୨ରେ ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛି। ମିଆମି ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍‌ରେ କେପ୍ ଭର୍ଡେକୁ ୩-୨ ଗୋଲରେ ପରାସ୍ତ କରି ଆର୍ଜେଣ୍ଟିନା ଶେଷ-୧୬ରେ ପ୍ରବେଶ କରିଛି। ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ୧-୧ରେ ଶେଷ ହେବା ପରେ ବିଜେତା ନିର୍ଣ୍ଣୟ ପାଇଁ ଅତିରିକ୍ତ ସମୟ ଖେଳାଯାଇଥିଲା।

ମ୍ୟାଚ୍‌ର ୨୯ତମ ମିନିଟରେ ଲିଓନେଲ୍ ମେସି ସୁନ୍ଦର ଫିନିସ୍‌ ସହ ଆର୍ଜେଣ୍ଟିନାକୁ ଅଗ୍ରଣୀ କରିଥିଲେ। ଏହା ତାଙ୍କର ବିଶ୍ୱକପ୍ କ୍ୟାରିୟରର ୨୦ତମ ଗୋଲ୍ ଥିଲା, ଯାହା ଆଉ ଏକ ଐତିହାସିକ କୀର୍ତ୍ତିମାନ ସ୍ଥାପନ କରିଛି। କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଡେରୟ ଡୁଆର୍ଟେ କେପ୍ ଭର୍ଡେ ପାଇଁ ସମତାସୂଚକ ଗୋଲ୍ କରି ମ୍ୟାଚକୁ ରୋମାଞ୍ଚକର କରିଦେଇଥିଲେ।

ଅତିରିକ୍ତ ସମୟରେ ଲିସାଣ୍ଡ୍ରୋ ମାର୍ଟିନେଜ୍ ଆର୍ଜେଣ୍ଟିନାକୁ ପୁଣି ଆଗୁଆ କରିଥିଲେ। କିନ୍ତୁ କେପ୍ ଭର୍ଡେର ସିଡ୍ନି ଲୋପେସ୍ କାବ୍ରାଲ୍ ଦମଦାର ଗୋଲ୍ କରି ପୁଣି ସ୍କୋରକୁ ୨-୨ କରିଦେଇଥିଲେ। ଏହାପରେ ୧୧୧ତମ ମିନିଟରେ ମେସିଙ୍କ କର୍ଣ୍ଣରରୁ କ୍ରିଷ୍ଟିଆନ୍ ରୋମେରୋଙ୍କ ହେଡର୍ କେପ୍ ଭର୍ଡେ ଖେଳାଳି ଡିନେ ବୋର୍ଗେସଙ୍କ ଶରୀରରେ ବାଜି ଆତ୍ମଘାତୀ ଗୋଲ‌ରେ  ପରିଣତ ହୋଇଥିଲା। ଏହି ଗୋଲ୍‌ ହିଁ ଆର୍ଜେଣ୍ଟିନାର ବିଜୟ ନିଶ୍ଚିତ କରିଥିଲା।

ମ୍ୟାଚ୍ ପରେ ଆର୍ଜେଣ୍ଟିନା କୋଚ୍ ଲିଓନେଲ୍ ସ୍କାଲୋନି କହିଥିଲେ, "ଏହା ଅତ୍ୟନ୍ତ କଠିନ ମ୍ୟାଚ୍ ଥିଲା। କେପ୍ ଭର୍ଡେ ଅସାଧାରଣ ଫୁଟବଲ୍ ଖେଳିଛି ଏବଂ ବିଶ୍ୱକପ‌ରେ  କୌଣସି ମ୍ୟାଚ୍ ସହଜ ନୁହେଁ ବୋଲି ପ୍ରମାଣ କରିଛି।" ଅନ୍ୟପଟେ, କେପ୍ ଭର୍ଡେ ଯଦିଓ ପରାଜିତ ହୋଇଛି, ତଥାପି ନିଜର ସାହସିକ ପ୍ରଦର୍ଶନ ପାଇଁ ବିଶ୍ୱ ଫୁଟବଲ୍ ପ୍ରେମୀଙ୍କ ପ୍ରଶଂସା ସାଉଁଟିଛି।

ଏହି ବିଜୟ ସହ ଆର୍ଜେଣ୍ଟିନା ବର୍ତ୍ତମାନ ରାଉଣ୍ଡ ଅଫ୍ ୧୬ରେ ଇଜିପ୍ଟକୁ ଭେଟିବ। ମେସିଙ୍କ ଫର୍ମ ଦଳ ପାଇଁ ବଡ଼ ସକାରାତ୍ମକ ଦିଗ ହୋଇଥିଲେ ମଧ୍ୟ, ଏହି ମ୍ୟାଚ୍ ଆର୍ଜେଣ୍ଟିନାର ରକ୍ଷଣଭାଗର ଦୁର୍ବଳତାକୁ ସାମ୍ନାକୁ ଆଣିଛି।

Share This Article 1 shares

Continue Reading

View All କ୍ରୀଡା ଓ ମନୋରଂଜନ →