ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ସମଗ୍ର ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ରେଡ୍, ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
IMDର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତିପ୍ରବଳରୁ ଅତ୍ୟଧିକ ପ୍ରବଳ ବର୍ଷା (Extremely Heavy Rainfall) ହେବାର ସମ୍ଭାବନା ଥିବାରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହାସହ ବରଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ନବରଙ୍ଗପୁର, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ପାଣିପାଗ ବିଭାଗ କହିଛି ଯେ, ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ। ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ଜଳବନ୍ଦୀ, ସହରାଞ୍ଚଳରେ ଜଳ ଜମିବା, ଛୋଟ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଛି।
IMD ସାଧାରଣ ଲୋକଙ୍କୁ ଅନାବଶ୍ୟକ ଯାତ୍ରା ଏଡ଼ାଇବା, ଜଳ ଜମୁଥିବା ଅଞ୍ଚଳକୁ ନଯିବା ଏବଂ ସ୍ଥାନୀୟ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରିଛି। ଏହାସହ ଜୁଲାଇ ୩ରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବା ଓ ପବନର ବେଗ ଘଣ୍ଟାପ୍ରତି ୪୦–୫୦ କିମି (ଦମକା ପବନରେ ୬୦ କିମି ପର୍ଯ୍ୟନ୍ତ) ପହଞ୍ଚିପାରେ ବୋଲି ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ରାଜ୍ୟ ସରକାର ମଧ୍ୟ ଜିଲ୍ଲା ପ୍ରଶାସନଗୁଡ଼ିକୁ ସତର୍କ ରହିବା, ତଳିଆ ଅଞ୍ଚଳ ଉପରେ ନଜର ରଖିବା ଏବଂ ଆବଶ୍ୟକ ସ୍ଥାନରେ ଉଦ୍ଧାରକାରୀ ଦଳ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।