ଭୁବନେଶ୍ୱର, ୮ ଜୁଲାଇ; ପଳାଶୁଣି-ରସୁଲଗଡ଼ ଅଞ୍ଚଳରେ ଓଡ଼ିଶାର ପ୍ରଥମ ସ୍କାଇୱାକ୍ (Skywalk) ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଜାତୀୟ ରାଜପଥ-16 (NH-16) ଉପରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) କାର୍ଯ୍ୟକାରୀ କରିବ ।
ପ୍ରାୟ ₹18.42 କୋଟି ବ୍ୟୟରେ ନିର୍ମାଣ ହେଉଥିବା ଏହି ସ୍କାଇୱାକ୍ର ଲମ୍ବ 450 ମିଟର ଓ ପ୍ରସ୍ଥ 3 ମିଟର ରହିବ। ଏହାକୁ ପଳାଶୁଣିର ବର୍ତ୍ତମାନ ଥିବା ଫୁଟ୍ ଓଭରବ୍ରିଜ୍ ସହ ସଂଯୋଗ କରାଯିବ । ଏଥିସହ ରସୁଲଗଡ଼ ଓ ପଳାଶୁଣି କେନାଲ ନିକଟରେ ତିନୋଟି ନୂଆ ଫୁଟ୍ ଓଭରବ୍ରିଜ୍ ଏବଂ ଛଅଟି ଲିଫ୍ଟ ନିର୍ମାଣ କରାଯିବ, ଯାହା ଦିବ୍ୟାଙ୍ଗ ଓ ବୟସ୍କ ଲୋକଙ୍କ ପାଇଁ ସହଜ ଯାତାୟାତ ସୁନିଶ୍ଚିତ କରିବ ।
ଆଧୁନିକ ଷ୍ଟିଲ୍ ଫ୍ରେମ୍ ଓ ସେଫ୍ଟି ଗ୍ଲାସ୍ରେ ନିର୍ମିତ ଏହି ସ୍କାଇୱାକ୍ ପ୍ରକଳ୍ପ ମାର୍ଚ୍ଚ 2027 ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ରଖାଯାଇଛି । ବ୍ୟସ୍ତ NH-16 ରେ ପାଦଚାରୀମାନଙ୍କୁ ରାସ୍ତା ପାର୍ ହେବାକୁ ଆଉ ସିଧାସଳଖ ହାଇୱେ ଅତିକ୍ରମ କରିବାକୁ ପଡ଼ିବ ନାହିଁ, ଯାହା ଦୁର୍ଘଟଣା କମାଇବାରେ ବଡ଼ ଭୂମିକା ନେବ ।
ଶିଳାନ୍ୟାସ ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ ଯେ, ରସୁଲଗଡ଼-ପଳାଶୁଣି ଅଞ୍ଚଳରେ ବାରମ୍ବାର ଘଟୁଥିବା ସଡ଼କ ଦୁର୍ଘଟଣା ଓ ପାଦଚାରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସେ ଦୀର୍ଘଦିନ ଧରି ଏହି ପ୍ରକଳ୍ପ ପାଇଁ ପ୍ରୟାସ କରୁଥିଲେ । ଏହା ଓଡ଼ିଶାର ସହରୀ ଭିତ୍ତିଭୂମି ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି ।