ଭୁବନେଶ୍ବର, ୮ ଜୁଲାଇ; ଓଡ଼ିଶା ସରକାରଙ୍କ ନାମରେ ଭାଇରାଲ୍ ହୋଇଥିବା ଏକ ମିଛ ନିଯୁକ୍ତି ପତ୍ରକୁ ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ୭,୨୩୪ଟି ଶିଶୁ ବାଟିକା ଶିକ୍ଷକ ପଦ ସୃଷ୍ଟି ଓ ନିଯୁକ୍ତି ସମ୍ପର୍କିତ ଚିଠି ସମ୍ପୂର୍ଣ୍ଣ ଭାବେ ଜାଲ୍ ଏବଂ ଏହା କୌଣସି ସରକାରୀ ବିଭାଗ ପକ୍ଷରୁ ଜାରି କରାଯାଇନାହିଁ ।
ଭାଇରାଲ୍ ହୋଇଥିବା ଚିଠିରେ ଦାବି କରାଯାଇଥିଲା ଯେ, ଆର୍ଥିକ ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (OSEPA) ଅଧୀନରେ ୭,୨୩୪ଟି ଶିଶୁ ବାଟିକା ଶିକ୍ଷକ ପଦ ସୃଷ୍ଟି କରାଯାଇଛି ଏବଂ ପ୍ରତି ମାସରେ ₹୨୬,୦୦୦ ଦରମା ଦିଆଯିବ । ଏହି ଚିଠି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ପ୍ରଚାରିତ ହୋଇ ହଜାର ହଜାର ଚାକିରି ଆଶାୟୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିଥିଲା ।
ଏହା ପରେ ଅର୍ଥ ବିଭାଗ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ସ୍ପଷ୍ଟୀକରଣ ଜାରି କରି କହିଛନ୍ତି ଯେ, ଏହି ଚିଠିରେ ବ୍ୟବହୃତ ନମ୍ବର ଓ ବିଭାଗୀୟ ବିବରଣୀ ସବୁ ନକଲି । ସରକାର ଏହାକୁ ଗୁରୁତର ଅପରାଧ ବୋଲି ବର୍ଣ୍ଣନା କରି ଦୋଷୀଙ୍କ ବିରୋଧରେ ତଦନ୍ତ ଓ ଆଇନଗତ ପଦକ୍ଷେପ ନେବାକୁ ସକ୍ଷମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସରକାର ସାଧାରଣ ଲୋକ ଓ ଚାକିରି ପ୍ରାର୍ଥୀମାନଙ୍କୁ ସତର୍କ କରି କହିଛନ୍ତି ଯେ, କୌଣସି ନିଯୁକ୍ତି ସମ୍ପର୍କିତ ସୂଚନାକୁ ବିଶ୍ୱାସ କରିବା ପୂର୍ବରୁ ସମ୍ପୃକ୍ତ ବିଭାଗର ଅଧିକୃତ ବିଜ୍ଞପ୍ତି ଯାଞ୍ଚ କରନ୍ତୁ । ସୋସିଆଲ ମିଡିଆରେ ପ୍ରଚାରିତ ଅଯାଞ୍ଚିତ ସୂଚନାକୁ ସେୟାର କରିବାରୁ ବିରତ ରହିବାକୁ ମଧ୍ୟ ଅନୁରୋଧ କରାଯାଇଛି ।