ଆମେରିକା ପୁଣିଥରେ ଇରାନର ସାମରିକ ଠିକଣା ଉପରେ ବଡ଼ ଧରଣର ବିମାନ ଆକ୍ରମଣ କରିଛି। ଏହାର ପ୍ରତିକ୍ରିୟାରେ ଇରାନ ବାହାରିନ୍, କୁଏତ ଓ କତାର ଦିଗକୁ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ କରିଛି। ହର୍ମୁଜ୍ ଜଳସନ୍ଧିକୁ ନେଇ ସଂଘର୍ଷ ତୀବ୍ର ହେବାରୁ ବିଶ୍ୱ ତୈଳ ବଜାର ଓ ମଧ୍ୟପୂର୍ବର ସୁରକ୍ଷା ପରିସ୍ଥିତି ଉପରେ ନୂଆ ଚିନ୍ତା ସୃଷ୍ଟି ହୋଇଛି।

ତେହେରାନ, ୯ ଜୁଲାଇ;ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ପୁଣି ଗୁରୁତର ମୋଡ଼ ନେଇଛି। ଆମେରିକା ଇରାନ ବିରୋଧରେ ନୂଆ ବିମାନ ଆକ୍ରମଣ ଆରମ୍ଭ କରିବା ପରେ ସମଗ୍ର ଗଲ୍ଫ ଅଞ୍ଚଳରେ ଉତ୍ତେଜନା ଚରମ ସୀମାକୁ ପହଞ୍ଚିଛି। ଆମେରିକୀୟ ସେନା କହିଛି ଯେ, ହର୍ମୁଜ୍ ଜଳସନ୍ଧିରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣର ଜବାବରେ ଇରାନର ପ୍ରାୟ ୯୦ଟି ସାମରିକ ଲକ୍ଷ୍ୟବସ୍ତୁ ଉପରେ ଆକ୍ରମଣ କରାଯାଇଛି। ଏଥିରେ କ୍ଷେପଣାସ୍ତ୍ର ଘାଟି, ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ନୌସେନା ସଂସ୍ଥାପନ ଓ ସାମରିକ ଭିତ୍ତିଭୂମି ସାମିଲ ଥିଲା। 

ଏହାର କିଛି ସମୟ ପରେ ଇରାନ ପକ୍ଷରୁ ପ୍ରତିଆକ୍ରମଣ କରାଯାଇଥିଲା। ଇରାନୀ ସେନା ବାହାରିନ୍ ଓ କୁଏତରେ ଥିବା ଆମେରିକୀୟ ସାମରିକ ଘାଟିକୁ ଲକ୍ଷ୍ୟ କରି ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ କରିଥିବା ଦାବି କରିଛି। କତାରରେ ମଧ୍ୟ ସୁରକ୍ଷା ସତର୍କତା ବଢ଼ାଯାଇଥିଲା ଏବଂ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରାଯାଇଥିଲା। ବିଭିନ୍ନ ଅଞ୍ଚଳରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିବା ଖବର ମିଳିଛି। 

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ପୁଣି ଆକ୍ରମଣ କଲେ ଆହୁରି କଠୋର ସାମରିକ ପଦକ୍ଷେପ ନିଆଯିବ। ଅନ୍ୟପଟେ ଇରାନ ସ୍ପଷ୍ଟ କରିଛି ଯେ ନିଜ ସାର୍ବଭୌମତ୍ୱ ଉପରେ ହୋଇଥିବା ପ୍ରତ୍ୟେକ ଆକ୍ରମଣର ଉଚିତ ଜବାବ ଦିଆଯିବ। ଏହି ଘଟଣା ପୂର୍ବରୁ ଦୁଇ ଦେଶ ମଧ୍ୟରେ ଏକ ଅସ୍ଥାୟୀ ଯୁଦ୍ଧବିରତି ଓ ଆଲୋଚନାର ପ୍ରୟାସ ହୋଇଥିଲେ ମଧ୍ୟ ନୂଆ ଆକ୍ରମଣ ସେହି ପ୍ରକ୍ରିୟାକୁ ବଡ଼ ଝଟକା ଦେଇଛି। 

ଏହି ସଂଘର୍ଷର କେନ୍ଦ୍ରବିନ୍ଦୁ ପାଲଟିଛି ହର୍ମୁଜ୍ ଜଳସନ୍ଧି, ଯାହା ବିଶ୍ୱର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ ମଧ୍ୟରୁ ଗୋଟିଏ। ଏଠାରେ ସୁରକ୍ଷା ସଙ୍କଟ ବଢ଼ିବାରୁ ଅନେକ ତୈଳ ଟ୍ୟାଙ୍କର ନିଜ ଯାତ୍ରା ବଦଳାଇଛନ୍ତି ଓ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ଏହାର ପ୍ରଭାବ ଆଗାମୀ ଦିନରେ ବିଶ୍ୱ ଅର୍ଥନୀତି ଓ ଇନ୍ଧନ ମୂଲ୍ୟ ଉପରେ ପଡ଼ିପାରେ। 

ବିଶ୍ଳେଷକମାନଙ୍କ ମତରେ, ଯଦି ଦୁଇ ପକ୍ଷ ମଧ୍ୟରେ କୂଟନୈତିକ ଆଲୋଚନା ପୁଣି ଆରମ୍ଭ ନ ହୁଏ, ତେବେ ସମଗ୍ର ମଧ୍ୟପୂର୍ବରେ ଏହି ସଂଘର୍ଷ ଆହୁରି ବ୍ୟାପକ ରୂପ ନେଇପାରେ। ଗଲ୍ଫ ଦେଶଗୁଡ଼ିକ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ସ୍ତରରେ ରଖିଛନ୍ତି ଏବଂ ବିଶ୍ୱ ସମୁଦାୟ ପରିସ୍ଥିତି ଉପରେ ନଜର ରଖିଛି। 


 

Share This Article 1 shares

Continue Reading

View All ଦୁନିଆ →