ନୂଆଦିଲ୍ଲୀ, ୧୦ ଜୁଲାଇ; ଅଷ୍ଟ୍ରେଲିଆ-ଭାରତ ବାର୍ଷିକ ନେତୃତ୍ୱ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆର ୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆ ନିୟମକୁ "ବିଶ୍ୱ ପାଇଁ ଏକ ଉଦାହରଣ" ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଶିଶୁମାନଙ୍କୁ ଅନଲାଇନ୍ ବିପଦରୁ ସୁରକ୍ଷା ଦେବା ପାଇଁ ଅଷ୍ଟ୍ରେଲିଆର ପଦକ୍ଷେପରୁ ଭାରତ ମଧ୍ୟ ଅନେକ କିଛି ଶିଖୁଛି ଏବଂ ପ୍ରୟୋଗ କରୁଛି ।
କେନ୍ଦ୍ର ସରକାର ୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସମ୍ପୂର୍ଣ୍ଣ ସୋସିଆଲ ମିଡିଆ ନିଷେଧ ଘୋଷଣା କରିନାହାନ୍ତି। ସରକାର ଏକ graded କିମ୍ବା ବୟସ ଭିତ୍ତିକ ନିୟମାବଳୀ ଉପରେ ବିଚାର କରୁଛନ୍ତି। ପ୍ରସ୍ତାବ ଅନୁସାରେ ୮–୧୨, ୧୨–୧୬ ଓ ୧୬–୧୮ ବର୍ଷ ବୟସ ଗୋଷ୍ଠୀ ପାଇଁ ଭିନ୍ନ ଭିନ୍ନ ନିୟମ ରହିପାରେ। ଏଥିରେ ସ୍କ୍ରିନ୍ ସମୟ, ଅଭିଭାବକଙ୍କ ସମ୍ମତି ଏବଂ ବୟସ ଯାଞ୍ଚ ଭଳି ବ୍ୟବସ୍ଥା ସାମିଲ ହୋଇପାରେ।
ଅଷ୍ଟ୍ରେଲିଆ ଦୁନିଆର ପ୍ରଥମ ଦେଶ ଭାବେ ୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ କଠୋର ନିୟମ ଲାଗୁ କରିଛି। Facebook, Instagram, TikTok, Snapchat ଓ YouTube ପରି ପ୍ଲାଟଫର୍ମଗୁଡ଼ିକୁ ବୟସ ଯାଞ୍ଚ କରିବାକୁ ପଡ଼ୁଛି। ନିୟମ ପାଳନ ନକଲେ କମ୍ପାନୀଗୁଡ଼ିକୁ ବହୁତ ବଡ଼ ଅର୍ଥଦଣ୍ଡ ଦିଆଯାଇପାରେ। ସମ୍ପ୍ରତି ଅଷ୍ଟ୍ରେଲିଆ ସରକାର ଏହି ଆଇନକୁ ଆହୁରି କଠୋର କରିବା ପାଇଁ ଜରିମାନା ବଢ଼ାଇବା ଏବଂ ନିୟାମକଙ୍କ କ୍ଷମତା ବଢ଼ାଇବା ଘୋଷଣା କରିଛି।
ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ବିଭିନ୍ନ ସୋସିଆଲ ମିଡିଆ କମ୍ପାନୀ ସହ ଆଲୋଚନା କରୁଛି। ଡିଜିଟାଲ ସୁରକ୍ଷା, ଶିଶୁଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ବୟସ ଯାଞ୍ଚ ବ୍ୟବସ୍ଥାକୁ ନେଇ ନୂଆ ନିୟମ ଆସିପାରେ। କିନ୍ତୁ ଏହି ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ବ୍ୟାନ୍ ସମ୍ପର୍କରେ କୌଣସି ସରକାରୀ ଘୋଷଣା ହୋଇନାହିଁ।