ସରକାର ସଂସଦରେ Public Examinations (Prevention of Unfair Means) Amendment Bill, 2026 ଉପସ୍ଥାପନ କରୁଛନ୍ତି। ପେପର ଲିକ୍ ଓ ପରୀକ୍ଷାରେ ଅନିୟମିତତା ରୋକିବା ପାଇଁ କଡ଼ା ଶାସ୍ତି, ଦ୍ରୁତ ତଦନ୍ତ, ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଏବଂ ପ୍ରାୟ ୧୦ ଘଣ୍ଟିଆ ସଂସଦୀୟ ଆଲୋଚନା ଏହି ବିଲ୍‌ର ପ୍ରମୁଖ ଆକର୍ଷଣ।

ନୂଆଦିଲ୍ଲୀ, ୨୭ ଜୁଲାଇ; ଦେଶବ୍ୟାପୀ ପରୀକ୍ଷା ପେପର ଲିକ୍ ଘଟଣା ଓ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ମଧ୍ୟରେ କେନ୍ଦ୍ର ସରକାର ସୋମବାର ଲୋକସଭାରେ Public Examinations (Prevention of Unfair Means) Amendment Bill, 2026 ଉପସ୍ଥାପନ କରୁଛନ୍ତି। ଏହି ସଂଶୋଧନ ବିଲ୍‌ର ଉଦ୍ଦେଶ୍ୟ ହେଉଛି ସରକାରୀ ନିଯୁକ୍ତି ଓ ପ୍ରବେଶିକା ପରୀକ୍ଷାରେ ପେପର ଲିକ୍, ସଂଗଠିତ ଜାଲିଆତି ଏବଂ ଅନ୍ୟାନ୍ୟ ଅନିୟମିତତାକୁ କଠୋର ଆଇନଗତ ବ୍ୟବସ୍ଥା ମାଧ୍ୟମରେ ରୋକିବା। 

ସରକାର ଏହି ବିଲ୍ ଉପରେ ପ୍ରାୟ ୧୦ ଘଣ୍ଟିଆ ଆଲୋଚନା ପାଇଁ ସମୟ ନିର୍ଦ୍ଧାରଣ କରିଛନ୍ତି। ବିଶେଷ କଥା ହେଲା, ଶାସକ ମହାମେଳି (NDA) ପକ୍ଷରୁ ଯୁବ ସାଂସଦମାନଙ୍କୁ ଏହି ଚର୍ଚ୍ଚାର ନେତୃତ୍ୱ ଦିଆଯାଇଛି। ବିଜେପିର ବଂଶୁରୀ ସ୍ୱରାଜ, ତେଜସ୍ୱୀ ସୂର୍ଯ୍ୟଙ୍କ ସହ ବିଭିନ୍ନ ସହଯୋଗୀ ଦଳର ଯୁବ ସାଂସଦମାନେ ବିଲ୍‌ର ସମର୍ଥନରେ ମତ ରଖିବେ। ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରେନ୍ ରିଜିଜୁ ବିରୋଧୀ ଦଳଙ୍କୁ ମଧ୍ୟ ଆଲୋଚନାରେ ସକ୍ରିୟ ଭାବେ ଭାଗ ନେବାକୁ ଆହ୍ୱାନ କରିଛନ୍ତି। 

ପ୍ରସ୍ତାବିତ ସଂଶୋଧନ ଅନୁସାରେ, ପେପର ଲିକ୍ କିମ୍ବା ପରୀକ୍ଷାରେ ଅନ୍ୟାୟ ଉପାୟ ଅବଲମ୍ବନ କରୁଥିବା ବ୍ୟକ୍ତିଙ୍କ ପାଇଁ ଶାସ୍ତିକୁ ଆହୁରି କଠୋର କରାଯାଇଛି। ଦୋଷୀ ସାବ୍ୟସ୍ତ ହେଲେ ୫ରୁ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ₹୫୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା ହୋଇପାରିବ। ସଂଗଠିତ ଅପରାଧ କିମ୍ବା ବଡ଼ ରାକେଟ୍ ମାମଲାରେ ସର୍ବନିମ୍ନ ୭ ବର୍ଷ ଜେଲ୍ ଏବଂ ₹୧୦ କୋଟି ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି। ପରୀକ୍ଷା ପରିଚାଳନା କରୁଥିବା ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ବିରୋଧରେ ମଧ୍ୟ ଅଧିକ କଠୋର ଦଣ୍ଡ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଷେଧାଜ୍ଞା ଲାଗୁ କରିବାର ପ୍ରସ୍ତାବ ରହିଛି। 

ଏହି ବିଲ୍‌ରେ Special Task Force (STF) ଗଠନର ବ୍ୟବସ୍ଥା ରହିଛି, ଯାହା ଗୁରୁତର ପେପର ଲିକ୍ ମାମଲାର ତଦନ୍ତ କରିବ। ସେହିପରି, ତଦନ୍ତକୁ ଦୁଇ ମାସ ମଧ୍ୟରେ ସମାପ୍ତ କରିବା ଏବଂ ମାମଲାର ଶୀଘ୍ର ବିଚାର ପାଇଁ ସମୟବଦ୍ଧ ବ୍ୟବସ୍ଥା ମଧ୍ୟ ପ୍ରସ୍ତାବିତ ହୋଇଛି। ସରକାରଙ୍କ ମତରେ, ଏହି ବ୍ୟବସ୍ଥା ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା ଓ ବିଶ୍ୱାସ ବଢ଼ାଇବ। 

ଏହି ବିଲ୍‌କୁ ନେଇ ସଂସଦରେ ଜୋରଦାର ରାଜନୈତିକ ତର୍କ ହେବାର ସମ୍ଭାବନା ରହିଛି। ବିରୋଧୀ ଦଳଗୁଡ଼ିକ ନିକଟରେ ଘଟିଥିବା NEET ପେପର ଲିକ୍ ଘଟଣାକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ଥିବାବେଳେ, କେନ୍ଦ୍ର ସରକାର ଦାବି କରୁଛନ୍ତି ଯେ ଏହି ସଂଶୋଧନ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ କରିବ ଏବଂ ପରୀକ୍ଷା ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ୱାସକୁ ପୁନଃସ୍ଥାପିତ କରିବ।

 

Share This Article 1 shares

Continue Reading

View All ଦେଶ →