ସନାତନ ସଂସ୍କୃତିର ପ୍ରଚାରକ ଓ ଜନଜାତି ସମାଜର ଉନ୍ନତି ପାଇଁ ଜୀବନ ସମର୍ପିତ କରିଥିବା ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିକୁ ଚିରସ୍ମରଣୀୟ କରିବା ପାଇଁ ଓଡ଼ିଶା ସରକାର ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ନାମ ତାଙ୍କ ନାମରେ ରଖିବା ସହ ଜଲେଶପଟ୍ଟା ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠି (CMSA)ରୁ ₹୧୩ କୋଟି ଅନୁଦାନ ମଞ୍ଜୁର କରିଛନ୍ତି।

ଭୁବନେଶ୍ୱର, ୨୮ ଜୁଲାଇ; ଓଡ଼ିଶା ସରକାର ସନାତନ ସଂସ୍କୃତିର ପ୍ରଖ୍ୟାତ ପ୍ରଚାରକ, ବେଦାନ୍ତ କେଶରୀ ଏବଂ ଜନଜାତି ସମାଜର ଉନ୍ନତି ପାଇଁ ଜୀବନ ଉତ୍ସର୍ଗ କରିଥିବା ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତି ଗଭୀର ଶ୍ରଦ୍ଧା ଜଣାଇ ଏକାଧିକ ଐତିହାସିକ ଘୋଷଣା କରିଛନ୍ତି। ସ୍ୱାମୀଜୀଙ୍କ ନିଷ୍କାମ ସେବା, ଆଧ୍ୟାତ୍ମିକ ଜୀବନ, ଶିକ୍ଷାର ପ୍ରସାର ଏବଂ ଜନଜାତି ସମାଜର ଆତ୍ମବିଶ୍ୱାସ ବୃଦ୍ଧିରେ ତାଙ୍କର ଅବଦାନକୁ ସମ୍ମାନ ଜଣାଇ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ନାମକୁ “ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ” ଭାବେ ନାମିତ କରାଯିବ। ଏହି ପଦକ୍ଷେପ ସ୍ୱାମୀଜୀଙ୍କ ଆଦର୍ଶ ଓ ସମାଜ ସେବାକୁ ନୂତନ ପିଢ଼ି ସମ୍ମୁଖରେ ଚିରସ୍ମରଣୀୟ କରିବାରେ ସହାୟକ ହେବ।

ଏହା ସହିତ କନ୍ଧମାଳ ଜିଲ୍ଲାର ଜଲେଶପଟ୍ଟା ସ୍ଥିତ ସ୍ୱାମୀଜୀଙ୍କ ସେବାପୀଠ, ଆଶ୍ରମ, ଆଶ୍ରମ ସ୍କୁଲ ଏବଂ କନ୍ୟାଶ୍ରମର ସାମଗ୍ରିକ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠି (CMSA)ରୁ ₹୧୩ କୋଟି ଅନୁଦାନ ମଞ୍ଜୁର କରାଯାଇଛି। ଏହି ଅର୍ଥରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଛାତ୍ରୀମାନଙ୍କ ପାଇଁ ୩୦୦ ଆସନ ବିଶିଷ୍ଟ ଏକ ଆଧୁନିକ ଛାତ୍ରୀ ନିବାସ ନିର୍ମାଣ କରାଯିବ, ଯାହା ସୁରକ୍ଷିତ ଓ ଗୁଣାତ୍ମକ ଶିକ୍ଷା ପରିବେଶ ସୃଷ୍ଟିରେ ସହାୟକ ହେବ। ସେହିପରି ସ୍ୱାମୀଜୀଙ୍କ ସାଧନାପୀଠର ସୁରକ୍ଷା, ଐତିହ୍ୟ ସଂରକ୍ଷଣ ଏବଂ ଆଧ୍ୟାତ୍ମିକ ପରିବେଶର ବିକାଶ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।

ଆଶ୍ରମ ପରିସରରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଏକ ମେଗା ରିଭର ଲିଫ୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହାଛଡ଼ା ଶ୍ରେଣୀଗୃହର ନବୀକରଣ, ଅତିରିକ୍ତ କୋଠା ନିର୍ମାଣ, ପ୍ରାଚୀର ନିର୍ମାଣ ଓ ଆଶ୍ରମ ଏବଂ ହଷ୍ଟେଲ ପରିସରର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ଏହି ପ୍ରକଳ୍ପର ଅଂଶ ହେବ। ସରକାରଙ୍କ ମତରେ ଏହି ବିକାଶମୂଳକ ପଦକ୍ଷେପ ଜନଜାତି ଅଞ୍ଚଳରେ ଶିକ୍ଷା, ସଂସ୍କାର ଓ ସାମାଜିକ ସଶକ୍ତିକରଣକୁ ଆହୁରି ମଜବୁତ କରିବ।

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ନିଜ ଜୀବନରେ ଶିକ୍ଷା, ସେବା, ସଂସ୍କାର ଓ ସନାତନ ଧର୍ମର ମୂଲ୍ୟବୋଧକୁ ଗ୍ରାମାଞ୍ଚଳ ଏବଂ ଜନଜାତି ସମାଜ ମଧ୍ୟରେ ପହଞ୍ଚାଇବା ପାଇଁ ଅବିରତ କାର୍ଯ୍ୟ କରିଥିଲେ। ତାଙ୍କ ପ୍ରତି ସମ୍ମାନ ସ୍ୱରୂପ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ କେବଳ ଜଣେ ସନ୍ଥଙ୍କୁ ଶ୍ରଦ୍ଧାଞ୍ଜଳି ନୁହେଁ, ବରଂ ସେବା, ତ୍ୟାଗ ଓ ସାମାଜିକ ସମର୍ପଣର ଆଦର୍ଶକୁ ଆଗକୁ ବଢ଼ାଇବାର ଏକ ସଂକଳ୍ପ ବୋଲି ବିବେଚନା କରାଯାଉଛି। ସରକାର କହିଛନ୍ତି ଯେ ସ୍ୱାମୀଜୀଙ୍କ ପ୍ରଦର୍ଶିତ ପଥକୁ ଅନୁସରଣ କରି ଏକ ସମୃଦ୍ଧ, ସଶକ୍ତ ଓ ଗୌରବମୟ ଓଡ଼ିଶା ଗଠନ ପାଇଁ ପ୍ରୟାସ ଜାରି ରହିବ।

Share This Article 1 shares

Continue Reading

View All ଓଡ଼ିଶା →