ଭୁବନେଶ୍ୱର, ୦୮ ଅଗଷ୍ଟ; ଓଡ଼ିଶାର ହସ୍ତତନ୍ତ କ୍ଷେତ୍ର ପାଇଁ ଆସିଛି ଗର୍ବର ଖବର। ରାଜ୍ୟର ଦୁଇଜଣ ପ୍ରତିଭାବାନ ବୁଣାକାର ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି। ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଶୁକ୍ରବାର ୧୨ତମ ଜାତୀୟ ହସ୍ତତନ୍ତ ଦିବସ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ଦେଶର ହସ୍ତତନ୍ତ ପରମ୍ପରା ଓ ବୁଣାକାରଙ୍କ ଅବଦାନକୁ ସମ୍ମାନ ଜଣାଇଥିଲେ।
ବରଗଡ଼ ଜିଲ୍ଲାର ବୁଣାକାର ରାମ ମେହେରଙ୍କୁ ତାଙ୍କର ଉତ୍କୃଷ୍ଟ ବୁଣାକାରୀ ଦକ୍ଷତା ପାଇଁ ‘ସନ୍ଥ କବୀର ହସ୍ତତନ୍ତ ପୁରସ୍କାର’ ପ୍ରଦାନ କରାଯାଇଛି। ବିଚିତ୍ରପୁରୀ ବା ବିଚିଟପର ଖଦି ଶାଢ଼ି ବୁଣାରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ପାରମ୍ପରିକ ବୟନଶୈଳୀକୁ ଜୀବନ୍ତ ରଖିବା ସହ ଏହାକୁ ଆଗକୁ ନେବାରେ ମେହେରଙ୍କ ଅବଦାନ ଉଲ୍ଲେଖନୀୟ।
ସେହିପରି ଜଗତ୍ସିଂହପୁର ଜିଲ୍ଲାର ବୁଣାକାର ପ୍ରଫୁଲ୍ଲ କୁମାର ସାହୁ ମଧ୍ୟ ରାଷ୍ଟ୍ରପତିଙ୍କଠାରୁ ‘ଜାତୀୟ ହସ୍ତତନ୍ତ ପୁରସ୍କାର ୨୦୨୫’ ଗ୍ରହଣ କରିଛନ୍ତି। ପାରମ୍ପରିକ ଜଗତସିଂହପୁରୀ ଶାଢ଼ି ବୁଣା କ୍ଷେତ୍ରରେ ତାଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି। ପାରମ୍ପରିକ ବୁଣା ପଦ୍ଧତିର ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି।
୧୨ତମ ଜାତୀୟ ହସ୍ତତନ୍ତ ଦିବସ ସମାରୋହରେ ଦେଶର ମୋଟ ୨୨ଜଣ ବୁଣାକାରଙ୍କୁ ‘ସନ୍ଥ କବୀର ହସ୍ତତନ୍ତ ପୁରସ୍କାର’ ଓ ‘ଜାତୀୟ ହସ୍ତତନ୍ତ ପୁରସ୍କାର ୨୦୨୫’ ପ୍ରଦାନ କରାଯାଇଛି। ଏହି ଅବସରରେ ଭାରତର ବିଭିନ୍ନ ଅଞ୍ଚଳର ସମୃଦ୍ଧ ଓ ବିବିଧ ବୟନ ପରମ୍ପରାକୁ ସମ୍ମାନ ଜଣାଇ ୪ଟି ସ୍ମାରକୀ ଡାକଟିକଟ ମଧ୍ୟ ଉନ୍ମୋଚନ କରାଯାଇଛି।
ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ ଶହ ଶହ ବର୍ଷ ଧରି ହସ୍ତତନ୍ତ ଭାରତୀୟ ସଭ୍ୟତାର ବିକାଶ ଯାତ୍ରାର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଛି। ଏହା ଦେଶର ଅସାଧାରଣ ବିବିଧତାକୁ ପ୍ରତିଫଳିତ କରିବା ସହ ଆଞ୍ଚଳିକ ସ୍ୱତନ୍ତ୍ରତା ଓ ପରମ୍ପରାକୁ ସଂରକ୍ଷଣ କରୁଛି। ହସ୍ତତନ୍ତ କ୍ଷେତ୍ର ରୋଜଗାର ସୃଷ୍ଟି, ମହିଳା ସଶକ୍ତିକରଣ, କଳା-ସଂସ୍କୃତିର ସୁରକ୍ଷା ଏବଂ ପ୍ରକୃତି ପ୍ରତି ସମ୍ମାନ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ।
ଓଡ଼ିଶାର ଦୁଇ ବୁଣାକାର ଜାତୀୟ ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରାମ ମେହେର ଓ ପ୍ରଫୁଲ୍ଲ କୁମାର ସାହୁଙ୍କ ସଫଳତାକୁ ପ୍ରଶଂସା କରିଛନ୍ତି। ଏହି ସମ୍ମାନ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ଜାତୀୟ ସ୍ତରରେ ଆହୁରି ପରିଚିତ କରାଇବ ବୋଲି ଆଶା କରାଯାଉଛି।