ଭୁବନେଶ୍ୱର, ୧୧ ଅଗଷ୍ଟ; ଓଡ଼ିଶାରେ ବୈଧ ବୀମା ବିନା ଚାଲୁଥିବା ଗାଡ଼ି ବିରୋଧରେ ଏବେ ଆହୁରି କଡ଼ା ହେବ ଯାଞ୍ଚ ବ୍ୟବସ୍ଥା। ଇ-ଡିଟେକ୍ସନ ପ୍ରଣାଳୀ ମାଧ୍ୟମରେ ଟୋଲ୍ଗେଟ୍ରେ ଗାଡ଼ି ଚିହ୍ନଟ କରାଯାଇ ଏହାର ବୀମା ସ୍ଥିତି ଯାଞ୍ଚ କରାଯିବ। ବୈଧ ବୀମା ନଥିବା ଗାଡ଼ି ଧରାପଡ଼ିଲେ ଇ-ଚାଲାଣ ଜାରି ହେବ। ନିୟମ ଅବମାନନା ଜାରି ରହିଲେ ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର ବା RC ବିରୋଧରେ ମଧ୍ୟ କଡ଼ା ପଦକ୍ଷେପ ନିଆଯାଇପାରେ।
ପୂର୍ବରୁ ପରିବହନ ବିଭାଗର ତଥ୍ୟ ଅନୁସାରେ ଓଡ଼ିଶାରେ ପ୍ରାୟ ୮୬ ଲକ୍ଷ ଗାଡ଼ି ଚଳାଚଳ କରୁଥିବା ବେଳେ ପ୍ରାୟ ୬୦ ପ୍ରତିଶତ ଗାଡ଼ିର ବୈଧ ବୀମା ନଥିବା ଆକଳନ କରାଯାଇଥିଲା। ଏହି ହିସାବରେ ପ୍ରାୟ ୬୫ ଲକ୍ଷ ଗାଡ଼ି ବୀମା ଯାଞ୍ଚର ପରିସରକୁ ଆସୁଛି। ବିଶେଷକରି ଦୁଇଚକିଆ ଓ ନନ୍-ଟ୍ରାନ୍ସପୋର୍ଟ ହାଲୁକା ଗାଡ଼ି ମଧ୍ୟରେ ବୀମା ନଥିବା ଗାଡ଼ିର ସଂଖ୍ୟା ଅଧିକ ବୋଲି ରିପୋର୍ଟରେ କୁହାଯାଇଥିଲା।
ଇ-ଡିଟେକ୍ସନ ବ୍ୟବସ୍ଥାରେ ଟୋଲ୍ଗେଟ୍ ଦେଇ ଯାଉଥିବା ଗାଡ଼ିର ନମ୍ବର ଓ ଛବି ରେକର୍ଡ କରାଯାଇପାରିବ। FASTag ଓ ଅନ୍ୟ ଉପଲବ୍ଧ ତଥ୍ୟ ସହ ଗାଡ଼ିର ନମ୍ବରକୁ Vahan ପୋର୍ଟାଲର ତଥ୍ୟ ସହ ମେଳ କରାଯିବ। ବୀମା ବୈଧ ନଥିଲେ ସିଷ୍ଟମ୍ ମାଧ୍ୟମରେ ଗାଡ଼ି ଚିହ୍ନଟ କରାଯାଇ ଇ-ଚାଲାଣ ପ୍ରକ୍ରିୟା ଆରମ୍ଭ ହେବ।
କେବଳ ଚାଲାଣ କାଟି ଛାଡ଼ି ଦିଆଯିବ ନାହିଁ। ବାରମ୍ବାର ମୋଟର ଯାନ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ବିରୋଧରେ RC ସ୍ଥଗିତ କିମ୍ବା ରଦ୍ଦ କରିବାର ଅଧିକାର ପରିବହନ ବିଭାଗ ପାଖରେ ରହିଛି। ନିକଟରେ ବୈଧ ଫିଟନେସ୍ ସାର୍ଟିଫିକେଟ୍ ବିନା ଚାଲୁଥିବା ବାରମ୍ବାର ଉଲ୍ଲଂଘନକାରୀ ବାଣିଜ୍ୟିକ ଗାଡ଼ି ବିରୋଧରେ ମଧ୍ୟ RC ରଦ୍ଦ ଓ ଗାଡ଼ି ଜବତ ଭଳି କଡ଼ା ପଦକ୍ଷେପ ନେବାକୁ STA ନିର୍ଦ୍ଦେଶ ଦେଇଛି।
ବୀମା ବିନା ଗାଡ଼ି ଚଳାଇବା ମୋଟର ଯାନ ଆଇନ ଅନୁଯାୟୀ ନିୟମବିରୋଧୀ। ଦୁର୍ଘଟଣା ଘଟିଲେ ତୃତୀୟ ପକ୍ଷର କ୍ଷତିପୂରଣ ଓ ଆଇନଗତ ଦାୟିତ୍ୱ ସମ୍ପର୍କିତ ସମସ୍ୟା ଉପୁଜିପାରେ। ତେଣୁ ଗାଡ଼ି ମାଲିକମାନେ ନିଜ ଗାଡ଼ିର ବୀମା ବୈଧ ଅଛି କି ନାହିଁ ଯାଞ୍ଚ କରି ସମୟ ପୂର୍ବରୁ ନବୀକରଣ କରିବା ଜରୁରୀ।
ଓଡ଼ିଶା ପରିବହନ ବିଭାଗର ଏହି ଡିଜିଟାଲ ନଜରଦାରି ବ୍ୟବସ୍ଥା ଫଳରେ ବୀମାବିହୀନ ଗାଡ଼ି ଚଳାଚଳ ଉପରେ ନିୟନ୍ତ୍ରଣ ବଢ଼ିବା ସହ ସଡ଼କ ସୁରକ୍ଷା ନିୟମ ପାଳନ ଆହୁରି କଡ଼ା ହେବ ବୋଲି ଆଶା କରାଯାଉଛି।