ହର୍ମୁଜ୍‌ ପ୍ରଣାଳୀକୁ ନେଇ ଆମେରିକା-ଇରାନ୍‌ ମଧ୍ୟରେ ତିକ୍ତତା ଆହୁରି ବଢ଼ିଛି। ଆମେରିକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଏହି ଜଳପଥ ଥିବା ଦାବି କରିବା ସହ ଏହାକୁ ଆଗକୁ ମଧ୍ୟ ରଖିବାକୁ ଚାହୁଁଥିବା ଟ୍ରମ୍ପ କହିଛନ୍ତି। ତେବେ ଇରାନ୍‌ ଏହି ଦାବିକୁ ଖଣ୍ଡନ କରିଛି।

ନୂଆଦିଲ୍ଲୀ, ୧୩ ଅଗଷ୍ଟ; ହର୍ମୁଜ୍‌ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ୍‌ ମଧ୍ୟରେ ତିକ୍ତତା ଆହୁରି ତୀବ୍ର ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ଉପରେ ଏବେ ଆମେରିକାର “ସମ୍ପୂର୍ଣ୍ଣ ନିୟନ୍ତ୍ରଣ” ରହିଛି। ବୁଧବାର ଟ୍ରମ୍ପ ସୋସିଆଲ୍‌ ମିଡିଆ ପୋଷ୍ଟରେ ଏହି ଦାବି କରିବା ସହ ଆମେରିକା ଏହି ନିୟନ୍ତ୍ରଣକୁ ଆଗକୁ ମଧ୍ୟ ରଖିବ ବୋଲି ସଙ୍କେତ ଦେଇଛନ୍ତି। 

ଟ୍ରମ୍ପ ତାଙ୍କ ବୟାନରେ ଆମେରିକାର ନୌସେନା ଅବରୋଧକୁ “ୱାଲ୍‌ ଅଫ୍‌ ଷ୍ଟିଲ୍‌” ବୋଲି ବର୍ଣ୍ଣନା କରିଛନ୍ତି। ଇରାନ୍‌ ପାଖରେ ନୌସେନା ଓ ବାୟୁସେନା ନଥିବା, ଏହାର ସୈନ୍ୟ ଓ ନେତୃତ୍ୱ ଦୁର୍ବଳ ହୋଇପଡ଼ିଥିବା ଏବଂ ଦେଶ ପାଖରେ ଟଙ୍କା ନଥିବା ବୋଲି ମଧ୍ୟ ସେ ଦାବି କରିଛନ୍ତି। ଟ୍ରମ୍ପଙ୍କ ମତରେ ଇରାନ୍‌ର ଅର୍ଥନୈତିକ ଓ ସାମରିକ କ୍ଷମତା ଉପରେ ଆମେରିକୀୟ ଚାପର ପ୍ରଭାବ ପଡ଼ିଛି। 

ହର୍ମୁଜ୍‌ ପ୍ରଣାଳୀ ବିଶ୍ୱ ତୈଳ ଯୋଗାଣ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୁଦ୍ରପଥ। ଏହି ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହେଲେ ଅଶୋଧିତ ତୈଳ ଓ ଅନ୍ୟାନ୍ୟ ଶକ୍ତି ସାମଗ୍ରୀର ବିଶ୍ୱବ୍ୟାପୀ ଯୋଗାଣ ଉପରେ ପ୍ରଭାବ ପଡ଼ିପାରେ। ଏହି କାରଣରୁ ହର୍ମୁଜ୍‌କୁ ନେଇ ଆମେରିକା-ଇରାନ୍‌ ମୁହାଁମୁହିଁ ପରିସ୍ଥିତିକୁ ବିଶ୍ୱ ବଜାର ଓ ଅନ୍ୟ ଦେଶଗୁଡ଼ିକ ମଧ୍ୟ ନଜରରେ ରଖିଛନ୍ତି। 

ତେବେ ଟ୍ରମ୍ପଙ୍କ “ସମ୍ପୂର୍ଣ୍ଣ ନିୟନ୍ତ୍ରଣ” ଦାବିକୁ ଇରାନ୍‌ ପକ୍ଷରୁ ଖଣ୍ଡନ କରାଯାଇଛି। ଇରାନ୍‌ର ପାର୍ସିଆନ୍‌ ଗଲ୍ଫ ଏବଂ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ସମ୍ବନ୍ଧୀୟ କର୍ତ୍ତୃପକ୍ଷ ଜଣାଇଛନ୍ତି ଯେ, ଆମେରିକାର ଦାବିରେ ବାସ୍ତବତା ବଦଳିଯାଏ ନାହିଁ ଏବଂ ଜଳପଥ ଏବେ ମଧ୍ୟ ଅବରୋଧିତ ରହିଛି। 

ଏହି ବୟାନ ପରେ ହର୍ମୁଜ୍‌କୁ ନେଇ ଆମେରିକା-ଇରାନ୍‌ ମଧ୍ୟରେ ରାଜନୈତିକ ଓ ସାମରିକ ଚାପ ଆହୁରି ବଢ଼ିବା ଆଶଙ୍କା ଦେଖାଦେଇଛି। ଜଳପଥର ସୁରକ୍ଷା, ତୈଳ ପରିବହନ ଏବଂ ମଧ୍ୟପ୍ରାଚ୍ୟର ସ୍ଥିରତା ଉପରେ ଏହି ବିବାଦର ପ୍ରଭାବ କେତେ ଦୂର ପଡ଼ିବ, ତାହା ଉପରେ ବିଶ୍ୱର ନଜର ରହିଛି। 

Share This Article 1 shares

Continue Reading

View All ଦୁନିଆ →