ଭୁବନେଶ୍ୱର: ରାଜଧାନୀର ହୋଟେଲରେ ଧର୍ମ ପ୍ରଚାର ଆଳରେ ଚାଲୁଥିଲା ବେଆଇନ ଧର୍ମ ପରିବର୍ତ୍ତନ, ୪ ବ୍ୟକ୍ତି ଅଟକ
ଭୁବନେଶ୍ୱର, ୧୩ ମଇ: ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଅବସ୍ଥିତ ଅନ୍ନପୂର୍ଣ୍ଣା ହୋଟେଲରୁ ଏକ ଚାଞ୍ଚଲ୍ୟକର ଘଟଣା ଆଲୋଚନାକୁ ଆସିଛି। ସ୍ଥାନୀୟ ଅଧିବାସୀ ଓ ସୂଚନା ମାଧ୍ୟମ ସୂତ୍ରରୁ ଜଣା ପଡ଼ିଛି ଯେ ଉକ୍ତ ହୋଟେଲରେ "ଧର୍ମ ପ୍ରଚାର" ର ଆବରଣ ଦେଖାଇ ବେଆଇନ ଭାବରେ ଧର୍ମ ପରିବର୍ତ୍ତନ ହେଉଥିଲା ।
ସୂଚନା ମିଳିବା ମାତ୍ରେ ସ୍ଥାନୀୟ ଅଧିବାସୀ ଘଟଣାସ୍ଥଳରେ ପହଞ୍ଚି ଏ ଘଟଣାକୁ ବିରୋଧ ଜଣାଇଲେ ଓ ପୋଲିସକୁ ସୁଚନା ଦେଇଥିଲେ । ଏହି ଖବର ପାଇ କମିଶନରେଟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବେଆଇନ ଧର୍ମ ପରିବର୍ତ୍ତନ କାର୍ଯ୍ୟ ଉପରେ ଚଢ଼ାଉ ଅଭିଯାନ ଚଳାଇଥିଲା ।
ଉକ୍ତ ଅଭିଯାନ ସମୟରେ ପୋଲିସ ଘଟଣାସ୍ଥଳରୁ ୪ ଟି ବାଇବେଲ ଜବତ କରିବା ସହ ଏହି ଘଟଣାରେ ସଂଶ୍ଳିଷ୍ଟ ୪ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି ବୋଲି ସୂଚନା ମିଳିଛି। ଅଟକ ହୋଇଥିବା ବ୍ୟକ୍ତିଙ୍କ ପରିଚୟ ଓ ସେମାନେ କେଉଁ ସଂଗଠନ ସହ ଜଡ଼ିତ ତାହା ତଦନ୍ତ ଚାଲୁ ଥିବାରୁ ଏବେ ଜଣାପଡ଼ିନାହିଁ।
ଓଡ଼ିଶାରେ ୧୯୬୭ ମସିହା ଠାରୁ "ଓଡ଼ିଶା ଧର୍ମ ସ୍ୱାଧୀନତା ଆଇନ" ଲାଗୁ ଅଛି। ଏହି ଆଇନ ଅନୁଯାୟୀ ଲୋଭ ଦେଖାଇ, ଭୟ ଦେଖାଇ ବା ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଇବା ଏକ ଦଣ୍ଡନୀୟ ଅପରାଧ। ଦୋଷ ପ୍ରମାଣିତ ହଲେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଜରିମାନା ଓ କାରାଦଣ୍ଡ ଭୋଗ କରିବାକୁ ପଡ଼ିପାରେ।
ଘଟଣା ଜଣାପଡ଼ିବା ପରଠୁ ସ୍ଥାନୀୟ ଲୋକ ଏ ଘଟଣାକୁ ତୀବ୍ର ନିନ୍ଦା ଜଣାଇଛନ୍ତି। ସ୍ଥାନୀୟ ଅଧିବାସୀ ଅଭିଯୋଗ କଲେ ଯେ ଧର୍ମ ପ୍ରଚାରର ଛଦ୍ମବେଶ ଧାରଣ ଓ ହୋଟେଲ ଭଳି ଏକ ଜାଗାରେ ଏହି ଧର୍ମ ପରିବର୍ତ୍ତନ ପ୍ରକ୍ରିୟା ଚଲାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।