ସମ୍ବାଦ ଖବର କାଗଜରେ ପ୍ରକାଶିତ

ତା ୨୨.୦୫.୨୦୨୬ 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁରୋପ ଗସ୍ତ ଅନେକ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ହୋଇଥିଲେ ହେଁ ଯେଉଁ ଏକ ଅରୁଚିକର କାରଣ ସକାଶେ ବିତର୍କର ବତାସ ସୃଷ୍ଟି ହୋଇଛି, ତାହା ନରୱେର ଜଣେ ସାମ୍ବାଦିକାଙ୍କ ପ୍ରଶ୍ନରୁ ସୃଷ୍ଟ ଅପ୍ରୀତିକର ପରିସ୍ଥିତି ଏବଂ ସେହି ଦେଶର ସବୁଠାରୁ ଅଧିକ ପୁରୁଣା ଓ ସର୍ବାଧିକ ପ୍ରସାରିତ ଖବରକାଗଜ ‘ଆଫଟେନପୋନ’ରେ ପ୍ରକାଶିତ ଏକ କାର୍ଟୁନକୁ କେନ୍ଦ୍ର କରି। ସାମାଜିକ ଗଣମାଧ୍ୟମରେ ସୁପ୍ରସାରିତ ଭିଡିଓ କ୍ଲିପରେ ଦିଶିଥାଏ କିଭଳି ସେଠାରେ ଆୟୋଜିତ ଏକ ‘ପ୍ରେସ ବ୍ରିଫ’ ସମୟରେ ସାମ୍ବାଦିକା ହେଲେ ଲିନଙ୍କ ତୁହାକୁ ତୁହା ପ୍ରଶ୍ନ ବାଣରେ ବରିଷ୍ଠ ଭାରତୀୟ କୂଟନୈତିକ ପ୍ରତିନିଧିଙ୍କୁ ଅପଦସ୍ତ ହେବାକୁ ପଡ଼ିଥିଲା ଏବଂ ପର ଦିନ ନରୱେର ଖବରକାଗଜରେ ପ୍ରସାରିତ କାର୍ଟୁନରେ ଦର୍ଶାଯାଇଥିଲା କିଭଳି ପ୍ରଧାନମନ୍ତ୍ରୀ ମୋଦୀ ଏକ ସାପୁଆ କେଳା ତୁଲ୍ୟ ‘ବିନ’ ବଜାଇ ସାପ ଭଳି ଊର୍ତ୍ତଫଣୀ ଏକ ‘ପେଟ୍ରେଲିଅମ ହୋଜ୍’କୁ ମଣ କରିବାରେ ବ୍ୟାପୃତ, ଯାହା ଅବଶ୍ୟ ସଂପ୍ରତି ଆମ ଦେଶ ସମ୍ମୁଖୀନ ହେଉଥିବା ଖଣିଜ ତୈଳ ସଂକଟ ଆଡ଼କୁ ଇଙ୍ଗିତ କରିଥାଏ। କିନ୍ତୁ, ଏହି ଦୁଇଟି ଘଟଣା ଉପରେ ଟିକିଏ ଗଭୀର ଦୃଷ୍ଟିପାତ କଲେ ସ୍ପଷ୍ଟ ହୋଇଥାଏ ଯେ ନିରପେକ୍ଷ ଓ ନିର୍ଭୟ ସାମ୍ବାଦିକତାର ଆସ୍ଫାଳନ କରୁଥିବା ପାଶ୍ଚାତ୍ୟ ଗଣମାଧ୍ୟମ ଦୟନୀୟ ଭାବେ ବିଭ୍ରାନ୍ତି ଓ ପୂର୍ବାଗ୍ରହ ଜର୍ଜର; ସେହି ଦୃଷ୍ଟିରୁ କପଟାଚାରୀ ମଧ୍ୟ !
ଅବଶ୍ୟ, ଏଥିରେ ଦ୍ବିରୁକ୍ତି ନାହିଁ ଯେ ଜଣେ ସାମ୍ବାଦିକ ହିସାବରେ ହେଲେ ଲିନଙ୍କ ନିକଟରେ ଅପ୍ରିୟ ପ୍ରଶ୍ନ ପଚାରିବାର ସମସ୍ତ ଅଧିକାର ରହିଛି ଏବଂ ଅତ୍ୟନ୍ତ ପାରଦର୍ଶୀ ଗଣତନ୍ତ୍ର ଭାବେ ସୁଖ୍ୟାତ ନରୱେରେ ଏହି ଅଧିକାର ପ୍ରଶ୍ନତୀତ ଓ ସ୍ବାଭାବିକ ହୋଇଥାଏ ମଧ୍ୟ। କିନ୍ତୁ ଗଲା ବୁଧବାର ଦିନ ‘ଆଫଟେନପୋଷ୍ଟନ’ ଖବରକାଗଜରେ ଉପକ୍ରମରେ ବଣ୍ଣତ କାର୍ଟୁନଟି ପ୍ରକାଶିତ ହୋଇ ସନ୍ଦେହ ସୃଷ୍ଟି କରିଛି ଯେ ହେଲେ ଲିନଙ୍କ ଉଦ୍ୟମରେ ସୁନିଦ୍ଦିଷ୍ଟ ଭାବେ ଭାରତକୁ ଅପଦସ୍ତ କରିବାର ଅଭିସନ୍ଧି ମଧ୍ୟ ଥାଇପାରେ! ଶଂସିତ କାର୍ଟୁନ ମାଧ୍ୟମରେ, ପ୍ରକୃତରେ, ଯାହା କହିବାର ପ୍ରଚେଷ୍ଟା କରାଯାଇ ଥାଉ ନା କାହିଁକି, ପ୍ରତୀକାତ୍ମକ ଭାବେ ଭାରତକୁ ଏକ ସାପୁଆ କେଳାଙ୍କ ରାଷ୍ଟ୍ର ରୂପେ ଦର୍ଶାଯାଇଛି; ଦରିଦ୍ର ଓ ପରାଧୀନ ଭାରତ ସକାଶେ ଯେଉଁ ପରିଚିତିକୁ ପ୍ରଗାଢ଼ କରି ବ୍ରିଟିସ ଶାସକ ତଥା ତାହାର ମିତ୍ର ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଏକ ନିର୍ମମ ଉଲ୍ଲାସ ଲାଭ କରୁଥିଲେ। ସେହି ଦୃଷ୍ଟିରୁ ସାଂପ୍ରତିକ ବିଡ଼ମ୍ବନାଟି ହେଲା ଏହା ଯେ ଦ୍ରୁତ ଅଭିବୃଦ୍ଧିଶୀଳ ଏବଂ ପୃଥିବୀର ଅନ୍ୟତମ ଆର୍ଥିକ ମହାଶକ୍ତି ତଥା ପୃଥିବୀର ବିଶାଳତମ ବଜାରରେ ପରିଣତ ହୋଇଥିବା ବର୍ତ୍ତମାନର ଭାରତକୁ ଉପଯୁକ୍ତ ଭାବେ ବର୍ଣ୍ଣନା କରିବା ନେଇ, ବ୍ୟଙ୍ଗାତ୍ମକ ଦୃଷ୍ଟିରୁ ହେଲେ ସୁଦ୍ଧା, ୟୁରୋପୀୟଙ୍କ ବୌଦ୍ଧିକ ଦାରିଦ୍ର୍ୟ ଏବଂ ତା’ ସହିତ ହୀନମନ୍ୟତା ଓ ଈର୍ଷାରେ ଜଡ଼ସଡ଼ ମାନସିକତା। ପ୍ରକାଶ ଥାଉ କି ଏଭଳି ଧାରଣା ଜନ୍ମନ୍ତା ନାହିଁ ଯଦି ‘ଆଫଟେନପୋଷ୍ଟନ’ ନରୱେର ସର୍ବାଧିକ ପ୍ରସାରିତ, ପଠିତ ଓ ସମ୍ମାନାସ୍ପଦ ଖବରକାଗଜ ମଧ୍ୟରେ ପରିଗଣିତ ହେଉ ନ ଥାଆନ୍ତା ବା ତାହା ଅଯଥା ଚାଞ୍ଚଲ୍ୟ ସୃଷ୍ଟିରେ ପ୍ରବୃତ୍ତ କୌଣସି ଟାବଲଏଡଧର୍ମୀ କାଗଜ ହୋଇଥାଆନ୍ତା । ଏଭଳି ସ୍ଥଳେ ନିରପେକ୍ଷ ସାମ୍ବାଦିକତାର ଉଚ୍ଚାଦର୍ଶ ସଂଦର୍ଭରେ ନରୱେ ବା ସାମଗ୍ରିକ ଭାବେ ପାଶ୍ଚାତ୍ୟ ଗଣମାଧ୍ୟମ ଦ୍ୱାରା ସୃଷ୍ଟ ଉଚ୍ଚାଟ ସ୍ବାଭାବିକ ଭାବେ ପ୍ରଶ୍ନ ସଂକୁଳ ହୋଇଯାଏ ଏବଂ ହେଲେ ଲିନ ସନ୍ଦେହାସ୍ପଦ ହୋଇଉଠନ୍ତି ।
ଉଲ୍ଲେଖଯୋଗ୍ୟ ଯେ ୨୦୧୫ ମସିହାରେ ଭାରତ, ଚନ୍ଦ୍ରଯାନ ଓ ମଙ୍ଗଳଯାନ ଅଭିଯାନରେ ଲାଭ କରିଥିବା ସଫଳତା ପରେ ମହାକାଶ ବିଜ୍ଞାନର ଗବେଷଣାରେ ଉତ୍କର୍ଷ ଲାଭ କରିଥିବା ସେହି ବିରଳ ପଞ୍ଚ-ରାଷ୍ଟ୍ରୀୟ କ୍ଲବରେ ଯୋଗ ଦେଇଥିଲା, ଯାହାର ସଦସ୍ୟ ଥିଲେ ଆମେରିକା, ରୁଷିଆ (ସୋଭିଏତ), ଇଂଲାଣ୍ଡ, ଫ୍ରାନ୍ସ ଓ ଚୀନ। କିନ୍ତୁ, ଭାରତର ଏହି ବିରଳ ଉପଲବ୍‌ଧିକୁ ‘ନ୍ୟୁୟର୍କ ଟାଇମ୍ସ’ ଖବରକାଗଜ ଯେଉଁ କାର୍ଟୁନ ଜରିଆରେ ଉପସ୍ଥାପନ କରିଥିଲା, ତହିଁରେ ଦେଖିବାକୁ ମିଳିଥିଲା ଯେ ସାହେବୀ ପୋଷାକରେ ପାଞ୍ଚ ଜଣ ବ୍ୟକ୍ତି ଥିବା ଏକ ବନ୍ଦ ପ୍ରକୋଷ୍ଠର ଦରଜାକୁ ଠକ୍ ଠକ୍ କରି ଡାକୁଛି ଧୋତି ପରିହିତ ତଥା ଗାଈଟିଏକୁ ସାଙ୍ଗରେ ଧରି ଆସିଥିବା ଜଣେ ଦରିଦ୍ର ଚାଷୀ, ଅର୍ଥାତ୍‌ ଭାରତ! ସେହି ବର୍ଷ ପ୍ୟାରିସ ଠାରେ ଅନୁଷ୍ଠିତ ହୋଇଥିବା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଶିଖର ସମ୍ମିଳନୀ ପ୍ରେକ୍ଷାପଟରେ ସେହି ‘ନ୍ୟୁୟର୍କ ଟାଇମ୍‌ସ’ରେ ପ୍ରକାଶିତ ଏକ କାର୍ଟୁନ ଦେଖାଇ ଥିଲା ଯେ ହସ୍ତୀ ରୂପୀ ଭାରତ ତା’ର ମନ୍ଦ-ମନ୍ଥର ବେଗରେ ଅଗ୍ରସର ହୋଇ ଜଳବାୟୁ କାର୍ଯ୍ୟକ୍ରମଗୁଡ଼ିକର ପଥରୋଧ କରୁଛି। ସେମିତି ଅଷ୍ଟ୍ରେଲିଆରେ ପ୍ରକାଶିତ ଖବରକାଗଜ ‘ଅଷ୍ଟ୍ରେଲିଆନ’ରେ, ୨୦୧୫ ମସିହାରେ, ସ୍ଥାନିତ ଏକ କାର୍ଟୁନରେ ଦେଖିବାକୁ ମିଳିଥିଲା ଯେ ଗୋଟିଏ ଭାରତୀୟ ଗାଁରେ ଖଞ୍ଜା ଯାଇଥିବା ସୌର ପ୍ୟାନେଲଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକାଇ ବୁଭୁକ୍ଷୁ ଗ୍ରାମବାସୀଗଣ ସେ ସବୁକୁ ଆମ୍ବ ଚଟଣି ସହିତ ଖାଇବାରେ ନିମଜ୍ଜିତ! ୨୦୨୩ ମସିହାରେ, ଭାରତର ଜନସଂଖ୍ୟା ଚୀନକୁ ଅତିକ୍ରମ କରିଯିବା ସଂଦର୍ଭରେ ଜର୍ମାନିର ଖବରକାଗଜ ‘ଡେର ଶିଗେଲ’ରେ ପ୍ରକାଶିତ ବ୍ୟଙ୍ଗ ଚିତ୍ରରେ ଦିଶିଥିଲା ଯେ ଯାତ୍ରୀଙ୍କ ଦ୍ବାରା ଖୁନ୍ଦାଖୁନ୍ଦି, ଏପରିକି ଛାତ ଉପରେ ଭରପୂର ଲୋକଙ୍କ ସହ ଯାତ୍ରା ପଥରେ ଗୋଟିଏ ଦଦରା ଭାରତୀୟ ଟ୍ରେନ କିଭଳି ଏକ ବେଗବାନ ବୁଲେଟ ଟ୍ରେନକୁ ମଧ୍ୟ ଅତିକ୍ରମ କରିଯାଉଛି। କହିବା ଅନାବଶ୍ୟକ ଯେ ଏଥିରେ ଭାରତକୁ ପରିହାସ କଲା ବେଳେ ବିକାଶ ସଂଦର୍ଭରେ ଚୀନ ସହିତ ତୁଳନାର ଏକ ଚିତ୍ର ମଧ୍ୟ ଦିଆଯାଇଥିଲା । କହିବା ବାହୁଲ୍ୟ, ଏଭଳି ଅରୁଚିକର ତଥା ଭାବମୃତ୍ତ କ୍ଷୁଣ୍ଣକାରୀ ଚିତ୍ରମାନ ଭାରତରେ ତୀବ୍ର ଜନ ସମାଲୋଚନା ସୃଷ୍ଟି କରିଥାଏ; ଏପରିକି ୨୦୧୫ ମସିହାରେ ‘ନ୍ୟୁୟର୍କ ଟାଇମ୍ସ' ମହାକାଶ ଗବେଷଣା ସଂପର୍କିତ କାର୍ଟୁନକୁ ନେଇ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲା। କିନ୍ତୁ କଥା ହେଲା, ଏଭଳି ଆଭିମୁଖ୍ୟରେ ନିହିତ ସମସ୍ୟାଟି ଭାରତକୁ ନେଇ ରହିଥିବା ପୂର୍ବାଗ୍ରହରେ କେବଳ ସୀମିତ ନ ଥାଏ; ସ୍ଥଳ ବିଶେଷରେ କପଟାଚାରୀ ସାମ୍ବାଦିକତାର ଆଭାସ ମଧ୍ୟ ଦେଇଥାଏ। ଉଦାହରଣ ସ୍ବରୂପ ଚୀନ ଉପରେ ନିତାନ୍ତ ନିର୍ଭରଶୀଳ ଜର୍ମାନି, ‘ଡେର ୱିଗେଲ’ରେ ପ୍ରକାଶିତ ସେହି କାର୍ଟୁନରେ ବୁଲେଟ ଟ୍ରେନକୁ ଦେଖାଇ ସତେ ଯେମିତି ଚୀନ ପ୍ରତି ସଦ୍ଦିଚ୍ଛା ଜ୍ଞାପନ କରିବାର ପ୍ରୟାସ କରିଥିଲା । ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମାନବିକ ଅଧିକାରର ଉପାସକ ୟୁରୋପୀୟ ରାଷ୍ଟ୍ରଙ୍କ ସକାଶେ ଏକଛତ୍ରବାଦୀ ଚୀନ ଆଦୌ ଆଦର୍ଶସ୍ଥାନୀୟ ହୋଇ ନ ଥାଏ; କିନ୍ତୁ ପ୍ରଶ୍ନ ହେଲା ଦୈବାତ୍ ନରୱେ ଗସ୍ତ କଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ପ୍ରଶ୍ନ କରିବାର ସୁଯୋଗ ଓ ସାହସ ହେଲେ ଲିନ ପାଆନ୍ତେ ତ ? ଏହା ହିଁ ହେଉଛି ୟୁରୋପୀୟଙ୍କ କପଟାଚାରର ନିଦର୍ଶନ!
୨୦୧୭ ମସିହାରେ ଏକା ସାଙ୍ଗରେ ୧୦୪ଟି ଉପଗ୍ରହକୁ ପୃଥିବୀର କକ୍ଷପଥରେ ସ୍ଥାପନ କରି ଭାରତ ଏକ ଅସାମାନ୍ୟ କୀର୍ତିମାନ ସୃଷ୍ଟି କରିଥିଲା । ସେହିଭଳି ୨୦୨୩ ମସିହାରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରି ଏକ ଅଦ୍ବିତୀୟ ସଫଳତା ଲାଭ କରିଥିଲା । କିନ୍ତୁ ଏଭଳି ଉତ୍କର୍ଷ ନେଇ ସମ୍ବାଦ ପ୍ରକାଶନ ଓ ପ୍ରସାରଣରେ ପାଶ୍ଚାତ୍ୟ ଗଣମାଧ୍ୟମ ପ୍ରାୟତଃ ନିରବତା ଅବଲମ୍ବନ କରିଥିଲା। ବି.ବି.ସି. ପକ୍ଷରୁ ଯାହା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା, ତାହା ଥିଲା ଅତି ଶସ୍ତାରେ ଏଭଳି ଏକ ସଫଳତା ଲାଭ କରିବାରେ ଭାରତୀୟ ସାମର୍ଥ୍ୟ; ଅନେକଙ୍କ ମତରେ ତାହା ମଧ୍ୟ ଥିଲା ଭାରତ ପ୍ରତି ହେୟମଣ୍ୟ ଭାବର ପରିପ୍ରକାଶ; ସତେ ଯେମିତି ଏକ ଦରିଦ୍ର ରାଷ୍ଟ୍ର ତା’ର ପରିତ୍ରାଣର ମାର୍ଗ ଖୋଜି ପାଇଛି। ଏହା କ’ଣ ପୂର୍ବରୁ ଇଙ୍ଗିତ କରାଯାଇଥିବା ଈର୍ଷାର ଏକ ସଂକେତ କି ? ଏହା କ’ଣ ପାଶ୍ଚାତ୍ୟ ଗଣମାଧ୍ୟମର ପ୍ରକୃତ ସ୍ବରୂପ ?
ତେବେ, ଏକ ସାଙ୍ଗରେ ଏତେ ସଂଖ୍ୟକ ଉପଗ୍ରହ ସ୍ଥାପନ କରିଥିବା ଭଳି ଅନନ୍ୟ କୃତିକୁ ଘେନି ‘ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ କାର୍ଟୁନ ଦ୍ବାରା ‘ନ୍ୟୁୟର୍କ ଟାଇମ୍‌ସ’କୁ ପ୍ରତ୍ୟୁତ୍ତର ଦେବାର ଚେଷ୍ଟା କରାଯାଇଥିଲା; ଯହିଁରେ ଦିଶୁଥିଲା ଯେ ଏକ ବନ୍ଦ ପ୍ରକୋଷ୍ଠରେ ଉପବିଷ୍ଟ ଅଛନ୍ତି ଭାରତୀୟ ଚାଷୀ ଏବଂ ବାହାରେ ସାବେହୀ ପୋଷାକ ପରିହିତ ଓ ହାତରେ ରକେଟ ଧରିଥିବା ଦୁଇ ଜଣ ବ୍ୟକ୍ତି ଭିତରକୁ ପଶିବାକୁ କବାଟ ବାଡ଼େଇବାରେ ବ୍ୟସ୍ତ । ସ୍ଥଳ ବିଶେଷରେ ଏଭଳି ପାଲଟା ଉତ୍ତରକୁ ଯଥାର୍ଥ ବୋଲି ହୁଏତ ମନେ କରାଯାଇପାରେ। କିନ୍ତୁ, ଟିକିଏ ସ୍ଥିର ବିଚାର କଲେ ବୋଧ ହୋଇଥାଏ ଯେ ଭାରତ ସକାଶେ ଅଧିକ ଯଥାର୍ଥ ହେବ ଉତ୍କର୍ଷ ପ୍ରତିପାଦନରେ ନିରନ୍ତର ବ୍ରତୀ ରହି, ଗଣତନ୍ତ୍ରର ତ୍ରୁଟିକୁ ସଜାଡ଼ି, ଚୀନ ଭଳି ଅବଶିଷ୍ଟ ପୃଥିବୀକୁ ନିଜ ଉପରେ ନିର୍ଭରଶୀଳ କରିବାର ସାମର୍ଥ୍ୟ ସୃଷ୍ଟି କରି ପ୍ରକୃତ ଉତ୍ତର ଦେବା ଲାଗି ପରିବେଶ ସୃଷ୍ଟି କରିବା ; ଯଦ୍ବାରା ପୂର୍ବାଗ୍ରହର ଶିକାର ପାଶ୍ଚାତ୍ୟ ଗଣମାଧ୍ୟମ ଅବଲୀଳା କ୍ରମେ ହତବାକ୍ ହେବାକୁ ବାଧ୍ୟ ହେବ |

 

Share This Article 1 shares

Continue Reading

View All ଅତିଥି ସ୍ତମ୍ଭ →