ଭୁବନେଶ୍ଵର; ଓଡ଼ିଶାରେ ବିଜେପି ଶାସନର ଦୁଇବର୍ଷ ପୂର୍ତ୍ତି ଅବସରରେ ଦୁଇବର୍ଷର ଶାସନକାଳ ମଧ୍ୟରେ ହୋଇଥିବା ବିକାଶ ଓ ଉନ୍ନତିକୁ ନେଇ ଆଜି ଓଡ଼ିଶା ପାଳୁଛି ବିକାଶର ଧାରା । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଲୋକସେବା ଭବନର ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମାନ୍ୟବର ସାଂସଦ ରାଜ୍ୟସଭା ମନମୋହନ ସାମଲ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶ୍ରୀ ବିଜୟ ପାଲ ସିଂ ତୋମାର ଏବଂ ଶ୍ରୀ ହେମନ୍ତ ଶର୍ମା ମହୋଦୟ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ପ୍ରଥମେ ପୁଷ୍ପଗୁଚ୍ଛ ସହିତ ମଞ୍ଚାସୀନ ସମସ୍ତ ଅତିଥିଙ୍କୁ ସ୍ବାଗତ କରାଯାଇଥିଲା ଏବଂ ଏକ ଥିମ୍ ମୂଳକ ସଙ୍ଗୀତ ପରିବେଷଣ କରାଯାଇଥିଲା ଏବଂ l ଏହା ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଅଭିଭାଷଣ ରଖି ଓଡ଼ିଶାର ଭିତ୍ତିଭୂମି ବିକାଶ ଓ ତୃଣମୂଳସ୍ତରରେ ଯୋଜନାର ପରିଚାଳନା, ପ୍ରତିଟି କମ୍ୟୁନିଟି ସହ ସହଭାଗିତା ଓ ସମ୍ପୃକ୍ତି, ଆଉଟରିଚ୍ କାର୍ଯ୍ୟକ୍ରମ ମାଧ୍ୟମରେ ଜନସମ୍ପର୍କ ସ୍ଥାପନ ଓ ବୈଷୟିକ ଜ୍ଞାନ କୌଶଳ ସମୃଦ୍ଧି ଉପରେ ଆଲୋକପାତ କରିଥିଲେ ଏବଂ ବିକଶିତ ଓଡ଼ିଶା ଦିଗରେ ଲକ୍ଷ୍ୟ ଓ କାର୍ଯ୍ୟପନ୍ଥା ନେଇ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଏହା ପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରଗତି ପ୍ରବାହ ଏବଂ ବିକାଶର ଧାରା ଓଡ଼ିଶା ସାରା ପୁସ୍ତକ ଉନ୍ମୋଚନ କରାଯାଇଛି।

ଏହା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜର ବହୁମୂଲ୍ୟ ଅଭିଭାଷଣ ପ୍ରଦାନ ପୂର୍ବକ ଗତ ଦୁଇବର୍ଷରେ ଓଡ଼ିଶାର ପ୍ରଗତି ଓ ସମୃଦ୍ଧି ଉପରେ ବାର୍ତ୍ତା ପ୍ରଦାନ କରିଛନ୍ତି । ତାଙ୍କ ଆଲୋଚନା ମଧ୍ୟରେ ବିକଶିତ ଓଡ଼ିଶା ୨୦୩୬ ଏବଂ ତାର ଲକ୍ଷ୍ୟ ଓ ରୋଡ଼ ମ୍ୟାପ୍ ର କଥା ଆସିଛି । ଡବଲ ଇଞ୍ଜିନ ସରକାର ଓ ଦୁଇଗୁଣ ବିକାଶର କଥା ଓ ଓଡ଼ିଶାରେ ପରିବର୍ତ୍ତନର ଧାରାର କଥା ଉଲ୍ଲେଖ ହୋଇଛି । ଶ୍ରୀ ମାଝୀ କହିଛନ୍ତି ଯେ ଓଡ଼ିଶା ଏବେ ଆତ୍ମବିଶ୍ଵାସୀ ଓ ସ୍ୱାବଲମ୍ବୀ ହୋଇ ପାରିଛି, ମହିଳା ମାନେ ସଶକ୍ତ ହୋଇଛନ୍ତି ଓ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିଛି ଓ ବିକାଶର ପଥରେ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ମାଝୀ ଓଡ଼ିଶାରେ ଦଣ୍ଡର ମାତ୍ରା ଓ ସମାଧାନର ମାତ୍ରାରେ ବୃଦ୍ଧିର କଥା ଉଲ୍ଲେଖ କରିଛନ୍ତି । ଏହା ସହ କୃଷି ଓ କୃଷକ ସଶକ୍ତିକରଣ କଥା ଏବଂ ଓଡ଼ିଆ ଚାଷୀ ମାନଙ୍କ ପାଇଁ ହୋଇଥିବା ବିକାଶର କଥା ଉଲ୍ଲେଖ କରିଛନ୍ତି । ଏହା ସହ ସେ କ୍ରୀଡ଼ା ଓ ଜୀବନଚର୍ଯ୍ୟା ଉପରେ ଓଡ଼ିଆ ଜୀବନର ବିକାଶ ଓ ପରିବର୍ତ୍ତନ ଏବଂ ଶିଳ୍ପାୟନ ଓ ବାଣିଜ୍ୟ କ୍ଷେତ୍ରରେ ଓଡ଼ିଶାରେ ହେବାକୁ ଥିବା ଓ ହୋଇଥିବା ନିବେଶ ଉପରେ ସୂଚନା ପ୍ରଦାନ କରିଛନ୍ତି । ଜନଜାତି ବର୍ଗର ଉନ୍ନତି ନିମନ୍ତେ ଓ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ନିଆଯାଇଥିବା ନୂତନ ପଦକ୍ଷେପ ବିଷୟରେ ଆଲୋକପାତ କରା ଯାଇଛି ।

ଏହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଆଗାମୀ ଦିନରେ ଓଡ଼ିଶା ସେମିକଣ୍ଡକ୍ଟର ହବ ହେବାର କଥା, କେଜି ରୁ ପିଜି ଦେୟମୁକ୍ତ ଶିକ୍ଷା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ନୂତନ ମେଡ଼ିକାଲ କଲେଜ, ଉପାନ୍ତ ଅଞ୍ଚଳରେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ଏବଂ ନୂତନ ଚାରିଗୋଟି ବିଶ୍ୱବିଦ୍ୟାଳୟର ପ୍ରସ୍ତୁତି ନିମନ୍ତେ ଘୋଷଣା କରିଛନ୍ତି । ଏହା ସହ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଘୋଷଣା ପ୍ରକାଶ କରିଛନ୍ତି ।