ଭୁବନେଶ୍ୱର : ଓଡ଼ିଶାର ବୈଷୟିକ ଶିକ୍ଷା କ୍ଷେତ୍ରରେ ସାମାଜିକ ନ୍ୟାୟ ଓ ସମାନ ସୁଯୋଗ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ୨୦୨୬-୨୭ ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ, ମେଡିକାଲ୍ ସମେତ ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ଅନୁସୂଚିତ ଜନଜାତି (ଏସ୍ଟି), ଅନୁସୂଚିତ ଜାତି (ଏସ୍ସି) ଏବଂ ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ (ଏସ୍ଇବିସି/ଓବିସି) ଛାତ୍ରଛାତ୍ରୀଙ୍କ ପାଇଁ ବର୍ଦ୍ଧିତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ଏନେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ନୂତନ ବ୍ୟବସ୍ଥା ଅନୁଯାୟୀ, ବୈଷୟିକ ଶିକ୍ଷାରେ ଏସ୍ଟି ବର୍ଗର ଛାତ୍ରଛାତ୍ରୀଙ୍କୁ ୨୨.୫ ପ୍ରତିଶତ, ଏସ୍ସି ବର୍ଗକୁ ୧୬.୨୫ ପ୍ରତିଶତ ଏବଂ ଏସ୍ଇବିସି/ଓବିସି ବର୍ଗକୁ ୧୧.୨୫ ପ୍ରତିଶତ ସଂରକ୍ଷଣ ମିଳିବ। ଏହି ନିଷ୍ପତ୍ତି ଏପ୍ରିଲ୍ ୪ ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଦୀର୍ଘ ବର୍ଷ ଧରି ରାଜ୍ୟରେ ନିଯୁକ୍ତି ଓ ସାଧାରଣ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଥିବା ସତ୍ତ୍ୱେ ବୈଷୟିକ ଶିକ୍ଷାରେ ପଛୁଆ ବର୍ଗଙ୍କ ପାଇଁ ସେହି ଅନୁପାତର ସୁବିଧା ଉପଲବ୍ଧ ନଥିଲା। ପୂର୍ବରୁ ଇଞ୍ଜିନିୟରିଂ ଓ ମେଡିକାଲ୍ ଭଳି ପାଠ୍ୟକ୍ରମରେ ଏସ୍ଟି ବର୍ଗ ପାଇଁ ମାତ୍ର ୧୨ ପ୍ରତିଶତ ଏବଂ ଏସ୍ସି ବର୍ଗ ପାଇଁ ୮ ପ୍ରତିଶତ ସଂରକ୍ଷଣ ରହିଥିଲା। ସେହିପରି ଏସ୍ଇବିସି କିମ୍ବା ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିଲା।
ସରକାରଙ୍କ ମତରେ, ଏହି ନୂଆ ନୀତି ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ କରିବା ସହ ସେମାନଙ୍କର ଉଚ୍ଚ ଓ ବୈଷୟିକ ଶିକ୍ଷାରେ ଅଂଶଗ୍ରହଣ ବଢ଼ାଇବାକୁ ସହାୟକ ହେବ। ସ୍ୱାଧୀନତାର ପ୍ରାୟ ଆଠ ଦଶକ ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏସ୍ଇବିସି ବର୍ଗକୁ ବୈଷୟିକ ଶିକ୍ଷାରେ ସଂରକ୍ଷଣ ମିଳୁଥିବାରୁ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ଅନେକ ମହଳରେ ମତ ପ୍ରକାଶ ପାଇଛି।
ଏହି ସଂରକ୍ଷଣ ବ୍ୟବସ୍ଥା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସେମାନଙ୍କ ଅନୁବନ୍ଧିତ କଲେଜ, ଆଇଟିଆଇ, ପଲିଟେକ୍ନିକ୍ ଏବଂ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରେ ଲାଗୁ ହେବ। ଇଞ୍ଜିନିୟରିଂ, ଟେକ୍ନୋଲୋଜି, ମ୍ୟାନେଜମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ୍, ମେଡିସିନ୍, ସର୍ଜରୀ, ଡେଣ୍ଟାଲ୍, ନର୍ସିଂ, ଫାର୍ମାସି, ଆଲାଏଡ୍ ହେଲ୍ଥ ସାଇନ୍ସ, ଭେଟେରିନାରୀ ସାଇନ୍ସ, ଆୟୁର୍ବେଦ, ହୋମିଓପାଥି, କୃଷି ଓ ସମ୍ପର୍କିତ ବିଜ୍ଞାନ, ଆର୍କିଟେକ୍ଚର୍, ପ୍ଲାନିଂ ଏବଂ ସିନେମାଟିକ୍ ଆର୍ଟ ଆଣ୍ଡ ଟେକ୍ନୋଲୋଜି ଭଳି ପାଠ୍ୟକ୍ରମଗୁଡ଼ିକ ଏହାର ଅନ୍ତର୍ଭୁକ୍ତ ହେବ।
ଶିକ୍ଷା କ୍ଷେତ୍ରରେ ସାମାଜିକ ସମାବେଶ ଓ ସମାନ ସୁଯୋଗକୁ ଗୁରୁତ୍ୱ ଦେଇ ନିଆଯାଇଥିବା ଏହି ନିଷ୍ପତ୍ତି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି ଆଶା କରାଯାଉଛି।