କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ତୃଣମୂଳ କଂଗ୍ରେସ ମଧ୍ୟରେ ଦେଖାଦେଇଥିବା ବିଭାଜନ ଆହୁରି ଗଭୀର ହୋଇଛି । ଦଳରୁ ବହିଷ୍କୃତ ନେତା ଋତାବ୍ରତ ବନାର୍ଜୀଙ୍କୁ ବିଧାନସଭାରେ ବିରୋଧୀ ଦଳନେତା ଭାବେ ମାନିବାକୁ ମମତା ବାନାର୍ଜୀଙ୍କ ଅନୁଗତ ନେତାମାନେ ସ୍ପଷ୍ଟ ଭାବେ ଅସ୍ୱୀକାର କରିଛନ୍ତି ।
୫୮ ଜଣ ତୃଣମୂଳ ବିଧାୟକ ଋତାବ୍ରତଙ୍କ ସହ ଯୋଗଦେଇ ବିଧାନସଭାର ପ୍ରମୁଖ ବିରୋଧୀ ଦଳ ବୋଲି ଘୋଷଣା କରିଛନ୍ତି । ଦଳର ବରିଷ୍ଠ ନେତା କୁନାଲ ଘୋଷ କହିଛନ୍ତି ଯେ ଏହି ବିଧାୟକମାନେ ମମତା ବାନାର୍ଜୀଙ୍କ ନେତୃତ୍ୱ ଓ ଲୋକପ୍ରିୟତା ଆଧାରରେ ନିର୍ବାଚିତ ହୋଇଥିଲେ। ତେଣୁ ଜଣେ ବହିଷ୍କୃତ ନେତା ଦଳର ନେତୃତ୍ୱ ନେଇପାରିବେ ନାହିଁ ।
ଅନ୍ୟ ପକ୍ଷରେ ଦଳରେ ବୃଦ୍ଧି ପାଉଥିବା ଅସନ୍ତୋଷକୁ ନିୟନ୍ତ୍ରଣ କରିବା ପାଇଁ ତୃଣମୂଳ କଂଗ୍ରେସ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ୍ ସ୍ତରୀୟ ସଂଗଠନକୁ ଭଙ୍ଗ କରିଦେଇଛି । ଦଳ କହିଛି ଯେ ସାମ୍ପ୍ରତିକ ନିର୍ବାଚନୀ ପରାଜୟ ପରେ ସଂଗଠନର ସମୀକ୍ଷା କରାଯିବ ଏବଂ ନୂତନ ଭାବେ କମିଟିଗୁଡ଼ିକ ଗଠନ କରାଯିବ । ତେବେ ଦଳ ଭଙ୍ଗ ହୋଇଯାଇଥିବା ଗୁଜବକୁ ତୃଣମୂଳ କଂଗ୍ରେସ ଖଣ୍ଡନ କରିଛି ।