କେନ୍ଦ୍ର କ୍ୟାବିନେଟ ଓଡ଼ିଶାର ବହୁ ପ୍ରତୀକ୍ଷିତ ୮,୩୦୦ କୋଟି ଟଙ୍କାର ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ପ୍ରକଳ୍ପକୁ ମଞ୍ଜୁରି ଦେଇଛି। ୧୬୦ କିମି ଦୀର୍ଘ ଏହି କରିଡର ଉପକୂଳ ଅଞ୍ଚଳରେ ପର୍ଯ୍ୟଟନ, ଶିଳ୍ପ ଓ ଲଜିଷ୍ଟିକ୍ସ ବିକାଶକୁ ନୂଆ ଦିଗ ଦେବ।

ଭୁବନେଶ୍ୱର: ଓଡ଼ିଶାର ବହୁ ପ୍ରତୀକ୍ଷିତ ରାମେଶ୍ୱର-ପାରାଦ୍ବୀପ ଉପକୂଳ ରାଜପଥ ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି ମିଳିଛି । ପ୍ରାୟ ୮,୩୦୦.୭୯ କୋଟି ଟଙ୍କା ବ୍ୟୟରେ ଏହି ୧୬୦.୧୮ କିଲୋମିଟର ଦୀର୍ଘ ରାଜପଥ ନିର୍ମାଣ କରାଯିବ ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ, ପ୍ରକଳ୍ପଟି ଦୁଇଟି ପ୍ୟାକେଜରେ କାର୍ଯ୍ୟକାରୀ ହେବ । ପ୍ରଥମ ପ୍ୟାକେଜରେ ରାମେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ୭୯.୪ କିଲୋମିଟର ଚାରି ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ହେବ । ଦ୍ୱିତୀୟ ପ୍ୟାକେଜରେ କୋଣାର୍କରୁ ପାରାଦୀପ ପର୍ଯ୍ୟନ୍ତ ୮୦.୭୮ କିଲୋମିଟର ଦୁଇ ଲେନ ବିଶିଷ୍ଟ ରାଜପଥ ନିର୍ମାଣ କରାଯିବ ।

ଏହି ରାଜପଥ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଦେଇ ଅତିକ୍ରମ କରିବ । ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ରାମେଶ୍ୱରରୁ ପାରାଦୀପ ଯାତ୍ରା ସମୟ ପ୍ରାୟ ଅଢ଼େଇ ଘଣ୍ଟା କମିବ । ଏହା ଦ୍ୱାରା ଯାତ୍ରୀ ଗମନାଗମନ ଓ ମାଲ ପରିବହନ ଅଧିକ ସୁଗମ ହେବା ସହ ଇନ୍ଧନ ବ୍ୟୟ ଓ ଯାନ ଚାଳନା ଖର୍ଚ୍ଚ ହ୍ରାସ ପାଇବ ।

ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନରେ ନିର୍ମିତ ହେବାକୁ ଥିବା ଏହି କରିଡର ୯ଟି ଅର୍ଥନୈତିକ ନୋଡ୍ ଓ ୫ଟି ଲଜିଷ୍ଟିକ୍ସ ହବ୍‌କୁ ସଂଯୋଗ କରିବ । ପାରାଦୀପ ବନ୍ଦର, ପ୍ରସ୍ତାବିତ ପୁରୀ ବିମାନବନ୍ଦର, ଅସ୍ତରଙ୍ଗ ବନ୍ଦର, ଶିଳ୍ପ କ୍ଲଷ୍ଟର, ମତ୍ସ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ଏଥିରୁ ବିଶେଷ ଲାଭ ପାଇବେ ।

ଏହି ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ଏହି ପ୍ରକଳ୍ପ ଓଡ଼ିଶାର ବ୍ଲୁ ଇକୋନୋମି, ଉପକୂଳ ପର୍ଯ୍ୟଟନ ଓ ଶିଳ୍ପାୟନକୁ ନୂଆ ଗତି ପ୍ରଦାନ କରିବ ।

Share This Article 1 shares

Continue Reading

View All ଓଡ଼ିଶା →