ପୁରୀ, ପ୍ରତିନିଧି: ପୁରୀରେ ଆୟୋଜିତ ବ୍ରିକ୍ସ (BRICS) କାର୍ଯ୍ୟଦଳ ଟେକ୍ନିକାଲ ବୈଠକକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ ବିପର୍ଯ୍ୟୟ ପ୍ରତିରୋଧ, ଜଳବାୟୁ ଅନୁକୂଳ ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ଓଡ଼ିଶାର ପ୍ରତିବଦ୍ଧତାକୁ ଉପସ୍ଥାପନ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ଜନିତ ବଢୁଥିବା ଚ୍ୟାଲେଞ୍ଜକୁ ମୁକାବିଲା ପାଇଁ ଆନ୍ତର୍ଜାତିକ ଏବଂ ଆନ୍ତର୍ରାଜ୍ୟ ସହଯୋଗ ଅତ୍ୟନ୍ତ ଜରୁରୀ । ସେ ଓଡ଼ିଶାର ବିଶ୍ୱ ପ୍ରଶଂସିତ “ଜିରୋ କ୍ୟାଜୁଆଲ୍ଟି” ବିପର୍ଯ୍ୟୟ ପରିଚାଳନା ମଡେଲକୁ ଉଲ୍ଲେଖ କରି ସୃଷ୍ଟି, ସୁଦୃଢ଼ ଭିତ୍ତିଭୂମି ଏବଂ ସମୁଦାୟ ଭିତ୍ତିକ ପ୍ରସ୍ତୁତିର ଗୁରୁତ୍ୱ ଉପରେ ଜୋର ଦେଇଥିଲେ ।
ସେ ସମ୍ପ୍ରତି ଅନୁମୋଦିତ ଗ୍ରୀନଫିଲ୍ଡ କୋଷ୍ଟାଲ ହାଇୱେ ରାଜ୍ୟର ବିପର୍ଯ୍ୟୟ ପ୍ରସ୍ତୁତି ଓ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାକୁ ଆହୁରି ସୁଦୃଢ଼ କରିବା କଥା ଉଲ୍ଲେଖ କରିଥିଲେ । ବୈଠକର ଫଳାଫଳ ନେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ପୁରୀ ଡିଲିବରେସନ୍ସ” ଭବିଷ୍ୟତର ବିଶ୍ୱ ବିପର୍ଯ୍ୟୟ ହ୍ରାସ ଓ ସହନଶୀଳତା ନୀତି ଗଠନରେ ମାର୍ଗଦର୍ଶକ ହୋଇପାରିବ। ଏହି ବୈଠକରେ ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧିମାନେ ଯୋଗଦେଇ ବିଭିନ୍ନ ଅଭିଜ୍ଞତା ଓ କୌଶଳ ଆଦାନ-ପ୍ରଦାନ କରିଥିଲେ।