ଓଡ଼ିଶାର ସମୃଦ୍ଧ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟର ବିକାଶ ଦିଗରେ ଜନମତକୁ ଏକ ସକାରାତ୍ମକ ଦିଗ ଦେବା ଉଦ୍ଦେଶ୍ୟରେ ‘ସୂଚନା ଓ ସଚେତନତା’ ଆରମ୍ଭ ହୋଇଥିଲା । ଏକ ସାମାଜିକ-ସାଂସ୍କୃତିକ ଏବଂ ଲୋକନୀତି କେନ୍ଦ୍ରିକ ଥିଙ୍କ ଟ୍ୟାଙ୍କ ଭାବରେ, ଓଡ଼ିଶାର ମୌଳିକତାର ସଂରକ୍ଷଣ ସହିତ ବିକାଶ ଧାରାକୁ ଆଗେଇ ନେବା ଦିଗରେ ଆମେ କାମ କରିଆସୁଛୁ । ଗତ କିଛି ବର୍ଷ ଧରି, ଆମେ ଓଡ଼ିଆ ଅସ୍ମିତାକୁ ନେଇ ଏକ ସକାରାତ୍ମକ ଜନମତ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିଛୁ। ଗବେଷଣା, ଆଲୋଚନାଚକ୍ର ଏବଂ ଲୋକ ସମ୍ପର୍କ ମାଧ୍ୟମରେ, ଆମେ ଲେଖକମାନଙ୍କୁ ଓଡ଼ିଆ ଭାଷା, ସଂସ୍କୃତି, ଇତିହାସ, ଏବଂ ବିକାଶମୂଳକ ବିଷୟଗୁଡ଼ିକ ଉପରେ ଗଭୀର ଗବେଷଣାତ୍ମକ ଏବଂ ସନ୍ତୁଳିତ ଦୃଷ୍ଟିକୋଣ ସୁଦୃଢ କରିବାରେ ସହାୟତା କରିଛୁ । ଆମ ସହିତ ସମ୍ପୃକ୍ତ ଲେଖକ ମାନଙ୍କର ନେଟୱାର୍କ ବିଭିନ୍ନ ସମ୍ବାଦପତ୍ର ଓ ଗଣମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ ଚେତନା ଓ ବିକଶିତ ଓଡ଼ିଶାର ଭିଜନ ଉପରେ ଆଧାରିତ ବିଷୟ ପ୍ରକାଶିତ ଓ ପ୍ରସାରିତ କରୁଛନ୍ତି ।
ତେବେ ଏହି ବ୍ୟବସ୍ଥାକୁ ଆହୁରି ପାଦେ ଆଗେଇ ନେବାପାଇଁ ଆରମ୍ଭ କରାଯାଇଛି, ‘କହୁଛି ଓଡ଼ିଶା’ ପୁସ୍ତିକା ଓ ଡିଜିଟାଲ ପ୍ଲାଟଫର୍ମ (ୱେବ ସାଇଟ, ୟୁ ଟ୍ୟୁବ ଚ୍ୟାନେଲ ଓ ସାମାଜିକ ଗଣମାଧ୍ୟମ) । ଏହା ମାଧ୍ୟମରେ ଆମେ ଏକ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ, ଯେଉଁଠାରେ ଦାୟିତ୍ୱପୂର୍ଣ ସାମ୍ବାଦିକତା ଓ ନିରପେକ୍ଷ ଖବର ସହିତ ଉଭୟ ଯୁବ ଓ ଅଭିଜ୍ଞ ବିଚାରକ ତଥା ଲେଖକମାନଙ୍କୁ ରାଜ୍ୟ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଗବେଷଣାଭିତ୍ତିକ ଲେଖା ଲେଖିବା ପାଇଁ ପ୍ରୋତ୍ସାହନ ଦିଆଯିବ । କହୁଛି ଓଡ଼ିଶା କନଫରେନ୍ସ ମାଧ୍ୟମରେ ସାମାଜିକ ବିମର୍ଷକୁ ଆହୁରି ଗତି ଦେବାକୁ ଆମେ ଉଦ୍ୟମ କରୁଛୁ । ଏହା ବ୍ୟତୀତ ଭବିଷ୍ୟତରେ ସେମିନାର, ପ୍ରତିଯୋଗିତା, ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ପ୍ରଗତି ତଥା ଓଡିଶାବାସୀଙ୍କ କଲ୍ୟାଣ ପାଇଁ ଆମେ ନିରନ୍ତର ଉଦ୍ୟମ କରିବୁ ।
ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀକୁ ଆଉ ଗୋଟିଏ ଦଶନ୍ଧି ବାକି ଅଛି । ଏହା ପୂର୍ବରୁ ଆମ ରାଜ୍ୟକୁ ‘ବିକଶିତ ଓଡ଼ିଶା’ ଭାବେ ଗଢି ତୋଳିବା ନେଇ କୋଟି କୋଟି ଓଡ଼ିଆ ନିଜ ନିଜ ସ୍ତରରେ ଉଦ୍ୟମ କରୁଛନ୍ତି । ସେହି ସମୟରେ ଓଡ଼ିଶାର ମୌଳିକତା ଓ ସାଂସ୍କୃତିକ ଚେତନାକୁ ନେଇ ଏକ ବିରାଟ ସାମାଜିକ ବିମର୍ଷର ଆବଶ୍ୟକତା ରହିଛି । ଦ୍ରୁତ ଆର୍ଥିକ ବିକାଶ ଓ ଏକବିଂଶ ଶତାବ୍ଦୀର କୋଳାହଳ ଭିତରେ ଯେପରି ସମାଜରେ ଅଧ୍ୟାତ୍ମ ଓ ସାଂସ୍କୃତିକ ଚେତନା ଅବହେଳାର ଶିକାର ନ ହୁଏ, ସେ ନେଇ ଯତ୍ନବାନ ହେବାର ଆବଶ୍ୟକତା ରହିଛି।
ପ୍ରାରମ୍ଭିକ ପର୍ଯ୍ୟାୟରେ ‘କହୁଛି ଓଡ଼ିଶା’ ଏକ ଥିମାଟିକ୍ ପବ୍ଲିକେଶନ ଭାବରେ ବର୍ଷକୁ ଦୁଇଥର ପ୍ରକାଶିତ ହେବ । ‘ଓଡ଼ିଆ ଅସ୍ମିତାର ଅନ୍ତଃସ୍ୱର’ ବିଷୟବସ୍ତୁ ଉପରେ ଆଧାରିତ ଏହାର ପ୍ରଥମ ସଂସ୍କରଣରେ ରାଜ୍ୟର ଯୁବ ଓ ଅଭିଜ୍ଞ ଲେଖକମାନେ ଅତ୍ୟନ୍ତ ସୁନ୍ଦର ଓ ଅର୍ଥପୂର୍ଣ୍ଣ ଲେଖା ଲେଖିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଆଧ୍ୟାତ୍ମିକ ଚେତନା, ବନବାସୀ ସମ୍ପ୍ରଦାୟର ପରମ୍ପରା, ରାଜ୍ୟର ଇତିହାସ, ଶିକ୍ଷା ବ୍ୟବସ୍ଥା, ପର୍ବପର୍ବାଣୀ ଏବଂ ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନ, ଭାଷା ଆନ୍ଦୋଳନର ଗୌରବଗାଥାକୁ ସ୍ପଷ୍ଟ ଏବଂ ଚିନ୍ତାଶୀଳ ଭାବରେ ଉପସ୍ଥାପନ କରିଛନ୍ତି ।