ଫିଲିପାଇନ୍ସର ମିଣ୍ଡାନାଓ ଅଞ୍ଚଳରେ ସୋମବାର ସକାଳେ 8.1 ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଆଘାତ କରିଛି । ଭୂକମ୍ପରେ ଅନେକ କୋଠାଘର ଭୁଶୁଡ଼ି ପଡ଼ିଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରଶାସନ ପକ୍ଷରୁ ସୁନାମି ସତର୍କତା ଜାରି କରାଯାଇଛି ।

ଫିଲିପାଇନ୍ସ; ଫିଲିପାଇନ୍ସର ଦକ୍ଷିଣ ଅଞ୍ଚଳ ମିଣ୍ଡାନାଓରେ ସୋମବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ବିଭିନ୍ନ ଭୂକମ୍ପ ନିରୀକ୍ଷଣ ସଂସ୍ଥା ଏହାର ତୀବ୍ରତା 7.8ରୁ 8.1 ମଧ୍ୟରେ ଥିବା ସୂଚନା ଦେଇଛନ୍ତି । ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ମଧ୍ୟରେ ଥିବାରୁ ପରବର୍ତ୍ତୀ ସମୟରେ ସୁନାମି ଆଶଙ୍କା ବଢ଼ିଯାଇଛି ।

ଭୂକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ଅନେକ ବହୁତଳ କୋଠା ଓ ବ୍ୟବସାୟିକ ଭବନ କ୍ଷତିଗ୍ରସ୍ତ ହୋଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ କିଛି ବଡ କୋଠା ମୁହୂର୍ତ୍ତକ ମଧ୍ୟରେ ଧ୍ୱଂସସ୍ତୂପରେ ପରିଣତ ହେଉଥିବା ଦେଖିବାକୁ ମିଳିଛି । ଜେନେରାଲ ସାଣ୍ଟୋସ ସହରରେ ଅନେକ ସଂରଚନା ଭାଙ୍ଗି ପଡ଼ିଥିବା ସୂଚନା ମିଳିଛି । 

ଭୂକମ୍ପ ପରେ ଫିଲିପାଇନ୍ସ ସରକାର ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରିଛନ୍ତି । ସ୍କୁଲ ବନ୍ଦ ରଖାଯାଇଥିବାବେଳେ ଉପକୂଳବର୍ତ୍ତୀ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି । ଇଣ୍ଡୋନେସିଆ, ପାଲାଉ, ତାଇୱାନ ଓ ପାପୁଆ ନ୍ୟୁ ଗିନି ଭଳି ଦେଶମାନଙ୍କ ପାଇଁ ମଧ୍ୟ ସୁନାମି ସତର୍କତା ଜାରି କରାଯାଇଛି ।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ କିଛି ଲୋକଙ୍କ ମୃତ୍ୟୁ ଓ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ଅଧିକ କ୍ଷୟକ୍ଷତିର ଆକଳନ ଜାରି ରହିଛି । 

Share This Article 0 shares

Continue Reading

View All ଦୁନିଆ →