ଭୁବନେଶ୍ଵର; ରାଜ୍ୟ ସରକାର ଦୁର୍ନୀତି ଓ ପ୍ରଶାସନିକ ଅନିୟମିତତା ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ବରଗଡ଼ ଜିଲ୍ଲାର ଏକ କେନାଲ ଉନ୍ନୟନ ପ୍ରକଳ୍ପରେ ଘଟିଥିବା ଅନିୟମିତତା ମାମଲାରେ ବଡ଼ ପଦକ୍ଷେପ ନିଆଯାଇଛି । ଜଳ ସମ୍ପଦ ବିଭାଗର ୩ ଜଣ ଯନ୍ତ୍ରୀଙ୍କୁ ଗୁରୁତର ଅସଦାଚରଣ ଏବଂ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ତୁରନ୍ତ ପ୍ରଭାବରୁ ସସପେଣ୍ଡ କରାଯାଇଛି ।
ସୂଚନା ଅନୁଯାୟୀ, ବରଗଡ଼ କେନାଲ ଡିଭିଜନ ଅଧୀନରେ ଚାଲୁଥିବା ‘କନଷ୍ଟ୍ରକ୍ସନ୍ ଅଫ୍ ବକ୍ସ କଣ୍ଡୁଇଟ୍ ଓଭର ବରଗଡ଼ ଡିଷ୍ଟ୍ରିବ୍ୟୁଟାରି’ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ବିଭିନ୍ନ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥିଲା । ଏହା ପରେ ବିଭାଗୀୟ ସ୍ତରରେ ପ୍ରାଥମିକ ଯାଞ୍ଚ କରାଯାଇଥିଲା ଏବଂ ତଦନ୍ତରେ କିଛି ଗୁରୁତର ତ୍ରୁଟି ଓ ଦାୟିତ୍ୱହୀନତା ଚିହ୍ନଟ ହୋଇଥିଲା ।
ଏହି ମାମଲାରେ ବରଗଡ଼ ଇରିଗେସନ୍ ଡିଭିଜନର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ମଦନ ମୋହନ ସେଠୀ, ଭେଡେନ ଇରିଗେସନ୍ ସବ୍-ଡିଭିଜନର ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ ଇଞ୍ଜିନିୟର ରାଜ କୁମାର ମିଶ୍ର ଏବଂ ବରଗଡ଼ କେନାଲ ସେକ୍ସନର ଆସିଷ୍ଟାଣ୍ଟ ଇଞ୍ଜିନିୟର ରଞ୍ଜନ ପଟେଲଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଜୁନ୍ ୮ ତାରିଖରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ, ଓଡ଼ିଶା ସିଭିଲ ସର୍ଭିସ (ଶ୍ରେଣୀକରଣ, ନିୟନ୍ତ୍ରଣ ଓ ଅପିଲ) ନିୟମାବଳୀ, ୧୯୬୨ର ନିୟମ ୧୨(୧) ଅନୁସାରେ ଏହି ତିନି ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି । ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ସେମାନେ ନିଜ ଦାୟିତ୍ୱ ପାଳନ କରିପାରିବେ ନାହିଁ ।
ସସପେଣ୍ଡ ଅବଧି ମଧ୍ୟରେ ମଦନ ମୋହନ ସେଠୀଙ୍କ ମୁଖ୍ୟାଳୟ ଭୁବନେଶ୍ୱରସ୍ଥିତ ଇଞ୍ଜିନିୟର-ଇନ୍-ଚିଫ୍ କାର୍ଯ୍ୟାଳୟରେ ନିର୍ଦ୍ଧାରିତ କରାଯାଇଥିବା ବେଳେ ଅନ୍ୟ ଦୁଇ ଅଧିକାରୀଙ୍କୁ ବୁର୍ଲାସ୍ଥିତ ମହାନଦୀ ବେସିନ୍ କାର୍ଯ୍ୟାଳୟରେ ସଂଲଗ୍ନ କରାଯାଇଛି । ସରକାରଙ୍କ ପୂର୍ବ ଅନୁମତି ବିନା ସେମାନେ ନିଜ ନିର୍ଦ୍ଧାରିତ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ।
ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶାସନିକ ସ୍ୱଚ୍ଛତା ଓ ଜବାବଦେହିତା ସୁନିଶ୍ଚିତ କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ ଭାବେ ଦେଖାଯାଉଛି । ପ୍ରକଳ୍ପ କାର୍ଯ୍ୟରେ ଅନିୟମିତତା ସହିତ ଜଡ଼ିତ ଅନ୍ୟ କୌଣସି ବ୍ୟକ୍ତିଙ୍କ ଭୂମିକା ଥିଲେ ସେମାନଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି ।