ଭୁବନେଶ୍ୱର/ଦୀଘା: ପଶ୍ଚିମବଙ୍ଗର ଦୀଘା ସ୍ଥିତ ଜଗନ୍ନାଥ ମନ୍ଦିରକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦରେ ଏବେ ଏକ ନୂଆ ମୋଡ଼ ଆସିଥିବା ଚର୍ଚ୍ଚା ହେଉଛି । ମନ୍ଦିର ନାମ ସହ “ଧାମ” ଶବ୍ଦ ବ୍ୟବହାରକୁ ନେଇ ଓଡ଼ିଶା ସହିତ ଦେଶର ବହୁ ସନାତନ ଧର୍ମାବଲମ୍ବୀ ଓ ଜଗନ୍ନାଥ ପ୍ରେମୀ ଆପତ୍ତି ଉଠାଇଥିଲେ । ସେମାନଙ୍କ ମତରେ “ଶ୍ରୀଜଗନ୍ନାଥ ଧାମ”ର ପରିଚୟ ଓ ଐତିହ୍ୟ ପୁରୀ ସହ ଅବିଚ୍ଛିନ୍ନ ଭାବେ ଜଡିତ ଥିବାରୁ ଅନ୍ୟ କୌଣସି ସ୍ଥାନରେ ଏହି ଶବ୍ଦର ବ୍ୟବହାର ଭ୍ରମ ସୃଷ୍ଟି କରିପାରେ ।

ଏହି ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ତରଫରୁ ଏକ ଚିଠି କରାଯାଇଥିଲା ଓ ଚିଠିର ଅନୁରୋଧ ରକ୍ଷାକରି ପଶ୍ଚିମବଙ୍ଗ ସରକାର ଏକ ପ୍ରେସମିଟ୍ ଆୟୋଜନ କରିଛନ୍ତି । ଓଡ଼ିଶା ସରକାର ପକ୍ଷରୁ ଉଠାଯାଇଥିବା ଆପତ୍ତି ଏବଂ ଭକ୍ତମାନଙ୍କ ଭାବନାକୁ ସମ୍ମାନ ଜଣାଇ ଦୀଘା ଜଗନ୍ନାଥ ମନ୍ଦିରର ନାମରୁ “ଧାମ” ଶବ୍ଦ ହଟାଇବା ପ୍ରସଙ୍ଗ ଉପରେ ସକାରାତ୍ମକ ଆଲୋଚନା କରିଛନ୍ତି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଆଲୋଚନାରେ ପୁରୀ ସାଂସଦ ସମ୍ବିତ ପାତ୍ର ଯୋଗଦେଇଥିବା ଜଣାପଡ଼ିଛି । ଆଲୋଚନା ସମୟରେ ଜଗନ୍ନାଥ ସଂସ୍କୃତି ଓ ପୁରୀର ଆଧ୍ୟାତ୍ମିକ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ସୂତ୍ର ଅନୁସାରେ, ପଶ୍ଚିମବଙ୍ଗ ସରକାର ଆଗାମୀ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରି ଦୀଘା ଜଗନ୍ନାଥ ମନ୍ଦିର ନାମରୁ “ଧାମ” ଶବ୍ଦ ହଟାଇବା ନେଇ ଔପଚାରିକ ଘୋଷଣା କରିପାରନ୍ତି । ଏହି ପଦକ୍ଷେପ ଜଗନ୍ନାଥ ଭକ୍ତମାନଙ୍କ ଭାବନାକୁ ସମ୍ମାନ ଜଣାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବୋଲି ମନେ କରାଯାଉଛି ।