ଅହମ୍ମଦାବାଦର ଇକେଏ ଆରେନାରେ ଆୟୋଜିତ ପ୍ରଥମ ବିଶ୍ୱ ଯୋଗାସନ ଚ୍ୟାମ୍ପିୟନଶିପ୍ ୨୦୨୬ରେ ଭାରତ ଅଭୂତପୂର୍ବ ପ୍ରଦର୍ଶନ କରି ୧୧୪ଟି ପଦକ ଜିତି ପଦକ ତାଲିକାରେ ଶୀର୍ଷସ୍ଥାନ ଅଧିକାର କରିଛି। ଏଥିରେ ୧୦୨ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ପଦକ ରହିଛି। ୭୯ଟି ଦେଶର ୫୨୨ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

      ଅହମ୍ମଦାବାଦ, ଜୁନ ୯: ପ୍ରଥମଥର ପାଇଁ ଆୟୋଜିତ ବିଶ୍ୱ ଯୋଗାସନ ଚ୍ୟାମ୍ପିୟନଶିପ୍ ୨୦୨୬ରେ ଭାରତ ନିଜର ଯୋଗ ଶକ୍ତି ଓ ପାରମ୍ପରିକ ଐତିହ୍ୟର ଅଦ୍ଭୁତ ପ୍ରଦର୍ଶନ କରିଛି । ଗୁଜରାଟର ଅହମ୍ମଦାବାଦସ୍ଥିତ ଇକେଏ ଆରେନାରେ ଜୁନ ୪ରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପାଞ୍ଚ ଦିନିଆ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ୧୧୪ଟି ପଦକ ଜିତି ସମସ୍ତଙ୍କୁ ପଛରେ ପକାଇ ଦେଇଛି ।

     ଭାରତୀୟ ଦଳର ଖାତାରେ ୧୦୨ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ଯୋଗ ହୋଇଛି । ଏହା ସହିତ ଭାରତ ପଦକ ତାଲିକାରେ ଏକଛତ୍ର ଆଧିପତ୍ୟ ସ୍ଥାପନ କରିଛି । ଆୟୋଜକ ଦେଶ ଭାବେ ଭାରତର ଏହି ସଫଳତା ବିଶ୍ୱ ମଞ୍ଚରେ ଯୋଗାସନ କ୍ରୀଡ଼ାର ବୃଦ୍ଧିଶୀଳ ଗୁରୁତ୍ୱକୁ ଆହୁରି ମଜବୁତ କରିଛି ।

     ଏହି ଚ୍ୟାମ୍ପିୟନଶିପ୍‌ରେ ୭୯ଟି ଦେଶର ୫୨୨ ଜଣ ଖେଳାଳି ଭାଗ ନେଇଥିଲେ । ମୋଟ ୩୧ଟି ଦେଶ ଅନ୍ୟୁନ ଗୋଟିଏ ପଦକ ଜିତିଥିବା ବେଳେ ୧୦ଟି ଦେଶ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି ।

      ପଦକ ତାଲିକାରେ ଜାପାନ ଦ୍ୱିତୀୟ ସ୍ଥାନରେ ରହିଛି । ଜାପାନ ୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୫ଟି ବ୍ରୋଞ୍ଜ ସହ ମୋଟ ୧୧ଟି ପଦକ ଜିତିଛି । ଆର୍ଜେଣ୍ଟିନା ୨ଟି ସ୍ୱର୍ଣ୍ଣ ଓ ୩ଟି ରୌପ୍ୟ ସହ ତୃତୀୟ ସ୍ଥାନ ହାସଲ କରିଛି । ଆର୍ଜେଣ୍ଟିନାର ନାବିଲା ବାରାଜା ୨ଟି ସ୍ୱର୍ଣ୍ଣ ଓ ୩ଟି ରୌପ୍ୟ ଜିତି ଚ୍ୟାମ୍ପିୟନଶିପ୍‌ର ସବୁଠାରୁ ସଫଳ ଖେଳାଳି ଭାବେ ଉଭା ହୋଇଛନ୍ତି ।

       ନେପାଳ ପଦକ ତାଲିକାରେ ପଞ୍ଚମ ସ୍ଥାନରେ ଥିଲେ ମଧ୍ୟ ମୋଟ ୫୨ଟି ପଦକ ଜିତି ଚର୍ଚ୍ଚାରେ ରହିଛି । ଦଳଟି ୧ଟି ସ୍ୱର୍ଣ୍ଣ, ୩୬ଟି ରୌପ୍ୟ ଓ ୧୫ଟି ବ୍ରୋଞ୍ଜ ପଦକ ଜିତିଛି । ଉଜବେକିସ୍ତାନ ମଧ୍ୟ ୨୫ଟି ପଦକ ସହ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ।

        ଭାରତ ୧୨୨ ସଦସ୍ୟ ବିଶିଷ୍ଟ ଦଳକୁ ଛଅଟି ବୟସ ବର୍ଗରେ ମଇଦାନକୁ ଓହ୍ଲାଇଥିଲା । ପ୍ରତିଯୋଗିତାରେ ପାରମ୍ପରିକ ଯୋଗାସନ, ଆର୍ଟିଷ୍ଟିକ୍ ସିଙ୍ଗଲ୍, ଆର୍ଟିଷ୍ଟିକ୍ ପେୟାର, ଆର୍ଟିଷ୍ଟିକ୍ ଗ୍ରୁପ୍ ଏବଂ ରିଦମିକ୍ ପେୟାର ଭଳି ବିଭିନ୍ନ ବର୍ଗରେ ମୁକାବିଲା ହୋଇଥିଲା ।

        ‘ଯୁଜ୍’ (ଏକତ୍ର କରିବା) ଓ ‘ଆସନ’ ଶବ୍ଦରୁ ଉତ୍ପନ୍ନ ଯୋଗାସନ ବର୍ତ୍ତମାନ ଏକ ପ୍ରତିଯୋଗିତାମୂଳକ କ୍ରୀଡ଼ା ରୂପେ ବିଶ୍ୱସ୍ତରରେ ପରିଚିତ ହେଉଛି । ଖେଳାଳିମାନଙ୍କର ନମନୀୟତା, ସନ୍ତୁଳନ, ଧୈର୍ଯ୍ୟ, ସ୍ଥିରତା ଏବଂ ନିୟନ୍ତ୍ରଣ ଆଧାରରେ ବିଚାର କରାଯାଏ ।

        ଯୋଗାସନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହାକୁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୧ରେ ସାମିଲ କରାଯାଇଥିଲା ଏବଂ ପରେ ୨୦୨୫ ଉତ୍ତରାଖଣ୍ଡ ଜାତୀୟ କ୍ରୀଡ଼ାରେ ମଧ୍ୟ ସ୍ଥାନ ମିଳିଥିଲା ।

Share This Article 0 shares

Continue Reading

View All କ୍ରୀଡା ଓ ମନୋରଂଜନ →