ଓମାନ ଉପକୂଳରେ ତେଲ ଟ୍ୟାଙ୍କର MT Settebello ଉପରେ ଆମେରିକୀୟ ସେନାର ଆକ୍ରମଣରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି। ଜାହାଜରେ ମୋଟ ୨୪ ଜଣ ଭାରତୀୟ କ୍ରୁ ସଦସ୍ୟ ଥିବାବେଳେ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଘଟଣାକୁ ନେଇ ଭାରତ ସରକାର ଆମେରିକା ପାଖରେ କଡ଼ା ପ୍ରତିବାଦ ଜଣାଇଛନ୍ତି।

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଓମାନ ଉପକୂଳରେ ଏକ ବଡ଼ ସମୁଦ୍ର ଦୁର୍ଘଟଣା ଘଟିଛି । ପାଲାଉ ପତାକାବାହୀ ତେଲ ଟ୍ୟାଙ୍କର MT Settebello ଉପରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ପକ୍ଷରୁ କରାଯାଇଥିବା ଆକ୍ରମଣରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି । ପୂର୍ବରୁ ସେମାନେ ନିଖୋଜ ଥିବା ସୂଚନା ମିଳିଥିଲା, କିନ୍ତୁ ପରେ ସେମାନଙ୍କ ମୃତଦେହ ଚିହ୍ନଟ ହୋଇଥିବା ଭାରତର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଜାହାଜରେ ମୋଟ ୨୮ ଜଣ କ୍ରୁ ସଦସ୍ୟ ଥିଲେ । ସେଥିରୁ ୨୪ ଜଣ ଭାରତୀୟ ଓ ଅନ୍ୟମାନେ ବିଦେଶୀ ନାଗରିକ ଥିଲେ । ଆକ୍ରମଣ ପରେ ୨୧ ଜଣ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ୩ ଜଣ ନିଖୋଜ ଥିଲେ । ପରେ ସେମାନଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି । 

ଆମେରିକୀୟ ସେନାର ଦାବି ଅନୁଯାୟୀ, ଉକ୍ତ ଟ୍ୟାଙ୍କରଟି ଇରାନରୁ ତେଲ ପରିବହନ କରୁଥିଲା ଏବଂ ଚାଲୁଥିବା ଅବରୋଧକୁ ଉଲ୍ଲଂଘନ କରିଥିଲା । ଏହି କାରଣରୁ ଜାହାଜର ଇଞ୍ଜିନ୍ ରୁମ୍‌କୁ ଲକ୍ଷ୍ୟ କରି ‘ପ୍ରିସିଜନ୍ ମ୍ୟୁନିସନ୍’ ବ୍ୟବହାର କରାଯାଇଥିଲା ବୋଲି CENTCOM କହିଛି । 

ଏହି ଘଟଣାକୁ ଭାରତ ସରକାର ଗୁରୁତର ଭାବେ ନେଇଛନ୍ତି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଆମେରିକାର ଶୀର୍ଷ କୂଟନୀତିଜ୍ଞଙ୍କୁ ଡାକି କଡ଼ା ପ୍ରତିବାଦ ଜଣାଯାଇଛି । ସମୁଦ୍ର ପଥରେ ବାଣିଜ୍ୟିକ ଜାହାଜ ଉପରେ ଏପରି ଆକ୍ରମଣ ଚିନ୍ତାଜନକ ବୋଲି ଭାରତ କହିଛି ଏବଂ ଅଞ୍ଚଳରେ ତୁରନ୍ତ ଉତ୍ତେଜନା ହ୍ରାସ କରିବାକୁ ଆହ୍ୱାନ କରିଛି ।

ଏହି ଘଟଣା ମଧ୍ୟପ୍ରାଚ୍ୟରେ ଚାଲିଥିବା ଆମେରିକା-ଇରାନ କୁ ଆହୁରି ଗମ୍ଭୀର କରିଦେଇଛି । ବିଶ୍ୱ ବାଣିଜ୍ୟ ଓ ତେଲ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀ ଅଞ୍ଚଳରେ ଏହି ଘଟଣା ଆନ୍ତର୍ଜାତିକ ସ୍ତରରେ ଚିନ୍ତା ବଢ଼ାଇଛି ।

Share This Article 0 shares

Continue Reading

View All ଦେଶ →