ନୂଆଦିଲ୍ଲୀ: ଓମାନ ଉପକୂଳ ନିକଟରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆମେରିକୀୟ ସାମରିକ ଆକ୍ରମଣକୁ ନେଇ ଭାରତ ପୁଣିଥରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଗତ ତିନି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭାରତ ସରକାର ନୂଆଦିଲ୍ଲୀସ୍ଥିତ ଆମେରିକାର ଉପ-ମିଶନ ମୁଖ୍ୟ ଜେସନ୍ ମିକ୍ସଙ୍କୁ ବିଦେଶ ମନ୍ତ୍ରାଳୟକୁ ତଲବ କରି ଔପଚାରିକ ପ୍ରତିବାଦ ଜଣାଇଛି ।
ସୂଚନା ଅନୁଯାୟୀ, ଓମାନ ଉପକୂଳରେ ଚାଲୁଥିବା କିଛି ବାଣିଜ୍ୟିକ ଜାହାଜ ଉପରେ ଆମେରିକୀୟ ସେନା କାର୍ଯ୍ୟାନୁଷ୍ଠାନ ଚଳାଇଥିଲା । ଏହି ଜାହାଜଗୁଡ଼ିକରେ ଭାରତୀୟ ନାବିକମାନେ କାର୍ଯ୍ୟରତ ଥିବାରୁ ସେମାନଙ୍କ ସୁରକ୍ଷାକୁ ନେଇ ଭାରତ ଗଭୀର ଚିନ୍ତା ପ୍ରକାଶ କରିଛି । ବିଦେଶ ମନ୍ତ୍ରାଳୟ କହିଛି ଯେ, ସମୁଦ୍ର ମାର୍ଗରେ କାର୍ଯ୍ୟରତ ଭାରତୀୟ ନାବିକମାନଙ୍କ ସୁରକ୍ଷା ଭାରତ ପାଇଁ ସର୍ବୋଚ୍ଚ ପ୍ରାଥମିକତା ।

ଏହା ପୂର୍ବରୁ ପାଲାଉ ପତାକା ବହନ କରୁଥିବା ତୈଳ ଟ୍ୟାଙ୍କର MT Settebello ଉପରେ ଆମେରିକାର ଆକ୍ରମଣରେ ତିନିଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଭାରତ ପ୍ରଥମ ଥର ପାଇଁ ଆମେରିକୀୟ କୂଟନୀତିଜ୍ଞଙ୍କୁ ତଲବ କରି କଡ଼ା ପ୍ରତିବାଦ ଜଣାଇଥିଲା । ପରବର୍ତ୍ତୀ ସମୟରେ ଆଉ ଏକ ଭାରତୀୟ ନାବିକ ଥିବା ଜାହାଜ ଉପରେ ଆକ୍ରମଣ ଘଟିବା ପରେ ନୂଆଦିଲ୍ଲୀ ପୁଣିଥରେ ଆମେରିକାକୁ ଜବାବ ଦେବାକୁ ବାଧ୍ୟ କରିଛି ।
ଭାରତ ସରକାର ଏହି ଅଞ୍ଚଳରେ ବଢ଼ୁଥିବା ସାମରିକ ଉତ୍ତେଜନା ଉପରେ ଚିନ୍ତା ପ୍ରକାଶ କରି ସମସ୍ତ ପକ୍ଷଙ୍କୁ ସଂଯମ ରକ୍ଷା କରିବା ଏବଂ କୂଟନୀତିକ ଆଲୋଚନା ମାଧ୍ୟମରେ ସମାଧାନର ପଥ ଖୋଜିବାକୁ ଆହ୍ୱାନ କରିଛି । ଏହି ଘଟଣା ଭାରତ-ଆମେରିକା ସମ୍ପର୍କରେ ଅସ୍ଥାୟୀ ତିକ୍ତତା ସୃଷ୍ଟି କରିଥିବା ବେଳେ ଆଗାମୀ ଜି-୭ ସମ୍ମିଳନୀ ପୂର୍ବରୁ ଏହା କୂଟନୀତିକ ମହତ୍ତ୍ୱ ଅର୍ଜନ କରିଛି ।