ଓଡ଼ିଶା କ୍ୟାବିନେଟ୍ ୨୬ ଜିଲ୍ଲାର ୬୪ଟି ସ୍ଥାନର ବିକୃତ ଇଂରାଜୀ ବନାନ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛି । Balasore କୁ Baleshwar, Cuttack କୁ Kataka, Berhampur କୁ Brahmapur ଭଳି ଅନେକ ନାମ ପରିବର୍ତ୍ତନ ହେବ । ଏହି ପଦକ୍ଷେପ ଓଡ଼ିଆ ଭାଷା, ଐତିହ୍ୟ ଓ ସାଂସ୍କୃତିକ ଅସ୍ମିତାକୁ ସୁରକ୍ଷା ଦେବା ପାଇଁ ନିଆଯାଇଛି ।

ଭୁବନେଶ୍ୱର: ଓଡ଼ିଆ ଭାଷା ଓ ସାଂସ୍କୃତିକ ଅସ୍ମିତାକୁ ସୁରକ୍ଷା ଦେବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ମୋହନ ସରକାର । ରାଜ୍ୟ କ୍ୟାବିନେଟ୍ ଶୁକ୍ରବାର ୨୬ଟି ଜିଲ୍ଲାର ୬୪ଟି ସ୍ଥାନର ଇଂରାଜୀ ବନାନ ପରିବର୍ତ୍ତନ ପ୍ରସ୍ତାବକୁ ଅନୁମୋଦନ କରିଛି । ଏହି ସମସ୍ତ ନାମ ଇଂରାଜ ଶାସନ କାଳରେ ବିକୃତ ହୋଇଥିବା ବେଳେ ବର୍ତ୍ତମାନ ସେଗୁଡ଼ିକୁ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ସଂଶୋଧନ କରାଯିବ । 

ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ସୂଚନା ଅନୁସାରେ, ଅନେକ ସ୍ଥାନ ଏବେ ବି ସରକାରୀ ଦଲିଲରେ ଭୁଲ କିମ୍ବା ବିକୃତ ଇଂରାଜୀ ନାମରେ ଉଲ୍ଲେଖ ହେଉଛି । ଏହା ଓଡ଼ିଆ ଧ୍ୱନି, ଐତିହ୍ୟ ଓ ସାଂସ୍କୃତିକ ପରିଚୟ ସହ ସଙ୍ଗତ ନୁହେଁ । ତେଣୁ ମୂଳ ଓଡ଼ିଆ ନାମକୁ ପୁନଃସ୍ଥାପିତ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । 

ପରିବର୍ତ୍ତନ ହେବାକୁ ଥିବା କିଛି ପ୍ରମୁଖ ନାମ ମଧ୍ୟରେ Balasore → Baleshwar, Cuttack → Kataka, Berhampur → Brahmapur, Keonjhar → Kendujhar, Kendrapara → Kendrapada, Khurda → Khordha/Khoradha, Deogarh → Debagarh, Aul → Aali, Bolangir → Balangir, Bargarh → Baragada ଆଦି ରହିଛି। ଏହାସହ ଅନେକ ଉପଖଣ୍ଡ, ତହସିଲ ଓ ବ୍ଲକ୍‌ର ନାମ ମଧ୍ୟ ସଂଶୋଧିତ ହେବ । 

ସରକାରଙ୍କ କହିବା ଅନୁଯାୟୀ, ଏହି ପଦକ୍ଷେପ ଦ୍ୱାରା ଓଡ଼ିଆ ଭାଷାର ସଠିକ୍ ଉଚ୍ଚାରଣ ରକ୍ଷା ପାଇବା ସହ ରାଜ୍ୟର ଐତିହ୍ୟ ଓ ସଂସ୍କୃତିକୁ ନୂତନ ପରିଚୟ ମିଳିବ । ଆଗାମୀ ଦିନରେ ସମସ୍ତ ସରକାରୀ ରେକର୍ଡ, ସାଇନ୍‌ବୋର୍ଡ ଓ ପ୍ରଶାସନିକ ଦସ୍ତାବିଜରେ ନୂଆ ବନାନ ବ୍ୟବହାର କରାଯିବ ।

 

 

Share This Article 0 shares

Continue Reading

View All ଓଡ଼ିଶା →