ଓଡ଼ିଶା କ୍ୟାବିନେଟର ଏହି ୮ଟି ନିଷ୍ପତ୍ତି ରାଜ୍ୟର ଶିଳ୍ପ, ରୋଜଗାର, ସହରୀୟ ଢାଞ୍ଚା ଓ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ମନେ କରାଯାଉଛି।

ଭୁବନେଶ୍ୱର, ୧୩ ଜୁନ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟ ବୈଠକରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ନିଷ୍ପତ୍ତି ଗୁଡ଼ିକ ମଧ୍ୟରେ ଶିଳ୍ପ, ଗ୍ରାମୀଣ ରୋଜଗାର, ସହରୀୟ ପାଇପାରିକ ବିକାଶ, ହସ୍ତଶିଳ୍ପ କ୍ଷେତ୍ର ଓ ଓଡ଼ିଆ ଭାଷା-ସଂସ୍କୃତିର ସୁରକ୍ଷାକୁ ଗୁରୁତ୍ୱ ଦେଇ ନିଆଯାଇଛି । 

କ୍ୟାବିନେଟ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏବଂ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀଙ୍କ ପାଇଁ ନୂତନ ସେବା ନିୟମାବଳୀକୁ ଅନୁମୋଦନ କରିଛି । ଏହା ନିଯୁକ୍ତି ଓ ପଦୋନ୍ନତି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବ । ସେହିପରି ବନ୍ଦ ହୋଇଥିବା ସ୍ପିନିଂ ମିଲ୍, ପାୱାରଲୁମ୍ ଓ ସାଇଜିଂ ୟୁନିଟ୍‌ଗୁଡ଼ିକର ଦେୟ ପରିଶୋଧ ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର ହୋଇଛି, ଯାହା ନୂତନ ବସ୍ତ୍ର ଓ ପୋଷାକ ଶିଳ୍ପରେ ନିବେଶ ଏବଂ ରୋଜଗାର ସୃଷ୍ଟିକୁ ଉତ୍ସାହିତ କରିବ । 

ଗ୍ରାମୀଣ ଅଞ୍ଚଳରେ ରୋଜଗାର ବୃଦ୍ଧି ପାଇଁ “ବିକଶିତ ଭାରତ-ରୋଜଗାର ଓ ଆଜୀବିକା ମିଶନ (ଗ୍ରାମୀଣ)”କୁ ୧ ଜୁଲାଇ ୨୦୨୬ରୁ ସମସ୍ତ ଗ୍ରାମ ପଞ୍ଚାୟତରେ ଲାଗୁ କରାଯିବ । ଏହା ଯୋଗ୍ୟ ଗ୍ରାମୀଣ ପରିବାରଙ୍କୁ ୧୨୫ ଦିନର ମଜୁରିଭିତ୍ତିକ ରୋଜଗାର ସୁନିଶ୍ଚିତ କରିବ ।

ଭୁବନେଶ୍ୱରର ବିଡିଏ ଟାଉନ ପ୍ଲାନିଂ ସ୍କିମ୍ (TPS) ଅଞ୍ଚଳରେ ଭୂତଳ ସ୍ୱେରେଜ୍ ବ୍ୟବସ୍ଥା ନିର୍ମାଣ ପାଇଁ ୧୭୫.୪୭ କୋଟି ଟଙ୍କାର ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ମିଳିଛି । ଏହା ସହରର ପରିମଳ ବ୍ୟବସ୍ଥା ଓ ନାଗରିକ ସୁବିଧାକୁ ସୁଦୃଢ଼ କରିବ । 

ଅନ୍ୟପଟେ, PM SVANidhi ଯୋଜନା ଅଧୀନରେ ଋଣ ଚୁକ୍ତି ପାଇଁ ଷ୍ଟାମ୍ପ ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି, ଯାହା ରାସ୍ତାପାର୍ଶ୍ୱ ବ୍ୟବସାୟୀମାନଙ୍କୁ ସିଧାସଳଖ ଲାଭ ଦେବ ।

ସବୁଠାରୁ ଚର୍ଚ୍ଚିତ ନିଷ୍ପତ୍ତି ଭାବେ ୨୬ ଜିଲ୍ଲାର ୬୪ଟି ସ୍ଥାନର ଇଂରାଜୀ ବନାନ ସଂଶୋଧନକୁ ମଞ୍ଜୁରି ମିଳିଛି । ଏହି ପଦକ୍ଷେପ ଓଡ଼ିଆ ଉଚ୍ଚାରଣ, ଭାଷା ଐତିହ୍ୟ ଓ ସାଂସ୍କୃତିକ ପରିଚୟକୁ ସୁରକ୍ଷିତ ରଖିବାରେ ସହାୟକ ହେବ । 

Share This Article 0 shares

Continue Reading

View All ଓଡ଼ିଶା →