ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ସମ୍ବଲପୁର ଡିଭିଜନର Command Area Development Authority (CADA)ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି (Disproportionate Assets-DA) ଅଭିଯୋଗରେ ବଡ଼ ଧରଣର ଚଢ଼ାଉ କରିଛି । ବିଶେଷ ଭିଜିଲାନ୍ସ ଜଜ୍, ସମ୍ବଲପୁରଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ତଲାସି ଅଭିଯାନ ଆରମ୍ଭ ହୋଇଛି ।
ଭିଜିଲାନ୍ସ ସୂତ୍ର ଅନୁଯାୟୀ, ଚାରିଜଣ ଡିଏସ୍ପି (DSP), ୧୩ ଜଣ ଇନ୍ସପେକ୍ଟର, ୭ ଜଣ ଏଏସ୍ଆଇ (ASI) ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଏହି ଅଭିଯାନ ଚଳାଇଛି । ତଲାସି ସମ୍ବଲପୁର, କଟକ, ବାଲେଶ୍ୱର ଓ ମାଲକାନଗିରି ଜିଲ୍ଲାର ମୋଟ ୭ଟି ସ୍ଥାନରେ ଏକାସାଙ୍ଗରେ କରାଯାଇଛି ।
ଭିଜିଲାନ୍ସ ଟିମ୍ ସମ୍ବଲପୁରର ଧନୁପାଲିସ୍ଥିତ ଭଡ଼ା ଘର, ସେଠାରେ ଥିବା କାର୍ଯ୍ୟାଳୟ କକ୍ଷ, କଟକର ବିଦ୍ୟାଧରପୁରରେ ଥିବା ତିନି ମହଲା ବିଶିଷ୍ଟ ଘର, ବାଲେଶ୍ୱର ଜିଲ୍ଲାର ବସ୍ତା ଅଞ୍ଚଳର ମୁଖାଲିସ୍ରେ ଥିବା ଦୁଇ ମହଲା ବିଶିଷ୍ଟ ଘର, କଟକରେ ତାଙ୍କର ସହଯୋଗୀଙ୍କ ଦୁଇଟି ସ୍ଥାନ ଏବଂ ମାଲକାନଗିରି ଜିଲ୍ଲାର କାଲିମେଳାରେ ଜଣେ ସହଯୋଗୀଙ୍କ ସମ୍ପତ୍ତିରେ ତଲାସି କରିଛି ।
ତଲାସି ସମୟରେ ଅଚଳ ଓ ଚଳ ସମ୍ପତ୍ତି, ବ୍ୟାଙ୍କ ଜମା, ନିବେଶ, ଜମିଜମା ସମ୍ବନ୍ଧୀୟ ଦସ୍ତାବିଜ ଏବଂ ଆର୍ଥିକ କାରବାରର ତଥ୍ୟ ଯାଞ୍ଚ କରାଯାଉଛି । ପଦ୍ମଲୋଚନ ନାୟକ ତାଙ୍କ ଜଣାଶୁଣା ଆୟ ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରହିଛି । ତେବେ ତଲାସି ଜାରି ଥିବାରୁ ଏପର୍ଯ୍ୟନ୍ତ ଜବତ ସମ୍ପତ୍ତିର ସଠିକ୍ ପରିମାଣ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ କୌଣସି ଚୂଡ଼ାନ୍ତ ସୂଚନା ଦିଆଯାଇନାହିଁ ।