FIFA ବିଶ୍ୱକପ୍ 2026ରେ ଲିଓନେଲ୍ ମେସି ହ୍ୟାଟ୍ରିକ୍ କରି ଆର୍ଜେଣ୍ଟିନାକୁ 3-0ରେ ବିଜୟ ଦେଇଛନ୍ତି।

ଆର୍ଜେଣ୍ଟିନା: FIFA ବିଶ୍ୱକପ୍ 2026ର ଷଷ୍ଠ ଦିନରେ ଫୁଟବଲ୍ ଜଗତ ପୁଣିଥରେ ଲିଓନେଲ୍ ମେସିଙ୍କ ଜାଦୁ ଦେଖିଲା । ଆଲଜେରିଆ ବିପକ୍ଷରେ ଆର୍ଜେଣ୍ଟିନାର 3-0 ବିଜୟରେ ମେସି ଏକାକୀ ହ୍ୟାଟ୍ରିକ୍ ହାସଲ କରି ବିଶ୍ୱକପ୍ ଇତିହାସରେ ସର୍ବାଧିକ 16 ଗୋଲ୍‌ର ରେକର୍ଡକୁ ସ୍ପର୍ଶ କରିଛନ୍ତି । 2026 FIFA ବିଶ୍ୱକପ୍‌ର ଗ୍ରୁପ୍-J ମ୍ୟାଚ୍‌ରେ ବର୍ତ୍ତମାନର ଚାମ୍ପିଅନ୍ ଆର୍ଜେଣ୍ଟିନା ଆଲଜେରିଆକୁ 3-0 ଗୋଲ୍‌ରେ ପରାସ୍ତ କରି ଅଭିଯାନର ଶୁଭାରମ୍ଭ କରିଛି । ଏହି ମ୍ୟାଚ୍‌ର ସମସ୍ତ ତିନୋଟି ଗୋଲ୍ ଅଧିନାୟକ ଲିଓନେଲ୍ ମେସିଙ୍କ ପାଖରୁ ଆସିଥିଲା । 

୩୮ ବର୍ଷୀୟ ମେସି ପ୍ରଥମାର୍ଦ୍ଧର 17ତମ ମିନିଟ୍‌ରେ ଏକ ଚମତ୍କାର ଶଟ୍‌ ମାଧ୍ୟମରେ ଦଳକୁ ଆଗୁଆ କରିଥିଲେ । ଦ୍ୱିତୀୟାର୍ଦ୍ଧର 60ତମ ମିନିଟ୍‌ରେ ଗୋଲକିପରଙ୍କ ରିବାଉଣ୍ଡରୁ ଦ୍ୱିତୀୟ ଗୋଲ୍ କରି ସ୍କୋର 2-0 କରିଥିଲେ । ପରେ 76ତମ ମିନିଟ୍‌ରେ ନିକୋଙ୍କ ପାସ୍‌କୁ ସୁନ୍ଦର ଭାବେ ଗୋଲ୍‌ରେ ପରିଣତ କରି ସେ ନିଜର ପ୍ରଥମ ବିଶ୍ୱକପ୍ ହ୍ୟାଟ୍ରିକ୍ ପୂରଣ କରିଥିଲେ । 

ଏହି ତିନିଟି ଗୋଲ୍ ସହିତ ମେସିଙ୍କ ବିଶ୍ୱକପ୍ ଗୋଲ୍ ସଂଖ୍ୟା 16ରେ ପହଞ୍ଚିଛି । ଏହା ସହ ସେ ଜର୍ମାନୀର କିମ୍ବଦନ୍ତୀ ଷ୍ଟ୍ରାଇକର୍ ମିରୋସ୍ଲାଭ୍ କ୍ଲୋଜେଙ୍କ ସର୍ବକାଳୀନ 16 ଗୋଲ୍‌ର ରେକର୍ଡକୁ ସ୍ପର୍ଶ କରିଛନ୍ତି । ବର୍ତ୍ତମାନ ଉଭୟ ଖେଳାଳି ବିଶ୍ୱକପ୍ ଇତିହାସର ସର୍ବାଧିକ ଗୋଲ୍ ସ୍କୋରର ଭାବେ ଯୁଗ୍ମ ଭାବରେ ଶୀର୍ଷରେ ଅଛନ୍ତି । 

ଏହି ମ୍ୟାଚ୍ ମେସିଙ୍କ ପାଇଁ ଆଉ ଏକ ବିଶେଷ ଉପଲବ୍ଧି ନେଇ ଆସିଛି । ଏହା ଥିଲା ତାଙ୍କର ଆର୍ଜେଣ୍ଟିନା ପାଇଁ 200ତମ ଆନ୍ତର୍ଜାତୀୟ ମ୍ୟାଚ୍ ଏବଂ ସେ ବିଶ୍ୱର ପ୍ରଥମ ଫୁଟବଲର୍ ଭାବେ ଛଅଟି ବିଶ୍ୱକପ୍‌ରେ ଖେଳିବାର ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି ।

ମେସିଙ୍କ ଏହି ଅସାଧାରଣ ପ୍ରଦର୍ଶନ ଆର୍ଜେଣ୍ଟିନାକୁ ଟାଇଟଲ୍ ରକ୍ଷା ଅଭିଯାନରେ ଆତ୍ମବିଶ୍ୱାସୀ ଆରମ୍ଭ ଦେଇଛି । ତାଙ୍କର ଫର୍ମ ଦେଖି ଫୁଟବଲ୍ ପ୍ରେମୀମାନେ ଆଶା କରୁଛନ୍ତି ଯେ ସେ ଶୀଘ୍ର ହିଁ କ୍ଲୋଜେଙ୍କ ରେକର୍ଡ ଭାଙ୍ଗି ବିଶ୍ୱକପ୍ ଇତିହାସର ସର୍ବକାଳୀନ ଶ୍ରେଷ୍ଠ ଗୋଲ୍ ସ୍କୋରର ହେବେ ।

Share This Article 0 shares

Continue Reading

View All କ୍ରୀଡା ଓ ମନୋରଂଜନ →