ଉତ୍ତର ପ୍ରଦେଶ: ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଭକ୍ତମାନଙ୍କ ଦାନ ଅର୍ଥ ଓ ମୂଲ୍ୟବାନ ସାମଗ୍ରୀ ଆତ୍ମସାତ ଅଭିଯୋଗକୁ ନେଇ ଚାଲିଥିବା ତଦନ୍ତରେ ବଡ଼ ସଫଳତା ମିଳିଛି । FIRରେ ନାମ ଥିବା ସମସ୍ତ ୮ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଗୁରୁବାର ବିଳମ୍ବିତ ରାତିରେ ଅଯୋଧ୍ୟାରୁ ସେମାନଙ୍କୁ ଗିରଫ କରାଯାଇଥିବା ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ଏହି ମାମଲାରେ ତିନିଜଣିଆ ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ (SIT) ପ୍ରାଥମିକ ରିପୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ଦେବା ପରେ ରାମଜନ୍ମଭୂମି ଥାନାରେ FIR ରୁଜୁ କରାଯାଇଥିଲା । ଏହି ଅଭିଯୋଗ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସହ ଜଡିତ କୃଷ୍ଣ ମୋହନଙ୍କ ପକ୍ଷରୁ ଦାଖଲ କରାଯାଇଥିଲା ।
ପୁଲିସ ଅନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତମାନେ ମନ୍ଦିରରେ ଭକ୍ତମାନଙ୍କ ଦ୍ୱାରା ଦିଆଯାଉଥିବା ନଗଦ ଅର୍ଥ, ସୁନା, ରୂପା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଗଣନା ଏବଂ ପରିଚାଳନା କାମରେ ନିୟୋଜିତ ଥିଲେ । ସେମାନଙ୍କ ବିରୋଧରେ ଦାନ ଅର୍ଥ ଓ ସାମଗ୍ରୀ ଆତ୍ମସାତ, ଚୋରି, ଅପରାଧିକ ବିଶ୍ୱାସଘାତ, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି ।
ତଦନ୍ତକାରୀ ସଂସ୍ଥା ମନ୍ଦିରର ଦାନ ବାକ୍ସରୁ ସଂଗୃହୀତ ଅର୍ଥର ହିସାବ, ନଗଦ ଗଣନା ପ୍ରକ୍ରିୟା, ସଂରକ୍ଷଣ ବ୍ୟବସ୍ଥା ଏବଂ ଆର୍ଥିକ ରେକର୍ଡ ଯାଞ୍ଚ କରୁଛି । ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ଆହୁରି ପଚରାଉଚରା କରାଯାଉଛି ଏବଂ ସେମାନଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ । ତଦନ୍ତ ଆଗକୁ ବଢ଼ିବା ସହ ଆବଶ୍ୟକ ହେଲେ ଆହୁରି ଗିରଫଦାରୀ ହୋଇପାରେ ବୋଲି ପୁଲିସ ସଙ୍କେତ ଦେଇଛି ।
ଏହି ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, କର୍ତ୍ତୃପକ୍ଷ କହିଛନ୍ତି ଯେ ତଦନ୍ତ ନିରପେକ୍ଷ ଭାବେ ଚାଲିବ ଏବଂ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ ।